କନକ ବ୍ୟୁରୋ: ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଲା ଘରୋଇ କଳି । ସ୍ୱାମୀଙ୍କ ମୃତ୍ୟୁ ପରେ ଶାଶୁ ଘର ଲୋକ ଘରେ ପୁରାଉ ନଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ କରି ଜିଲ୍ଲାପାଳଙ୍କ ଅଫିସ ଯାଇଛନ୍ତି ଶୁଭଶ୍ରୀ ପାତ୍ର । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡା ଥାନା ବଡ଼ଗରା ଗାଁରୁ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । ପାରିବାରିକ ବିବାଦ ପାଇଁ ଶୁଭଶ୍ରୀ ୨ବର୍ଷରୁ ଅଧିକ ହେବ ଶାଶୁ ଘରେ ରହୁନଥିଲେ । ସ୍ୱାମୀ ମନୋଜ ରାଉତ ବିଦେଶରେ ପାଣି ପାଇପ କାମ କରୁଥିଲେ ।

Advertisment

ଶୁଭଶ୍ରୀଙ୍କ ଅଭିଯୋଗ ଅନୁଯାୟୀ ପାରିବାରିକ କଳହ ପାଇଁ ତାଙ୍କ ଶାଶୁଘର ଲୋକ ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ । ତାଙ୍କ ୨ ଝିଅଙ୍କୁ ବି ତାଙ୍କ ଠାରୁ ଛଡ଼ାଇ ନେଇଛନ୍ତି ଶାଶୁଘର ଲୋକ । ଥାନାରେ ଘଟଣା ନେଇ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଶୁଣିନଥିଲା । ବାଧ୍ୟହୋଇ ବାହାର ରାଜ୍ୟରେ ଶ୍ରମିକ ଭାବେ କାମ କରୁଥିଲେ ଶୁଭଶ୍ରୀ ପାତ୍ର । ଗତ ୬ ତାରିଖରେ ସ୍ୱାମୀ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ପାଇଁ ସୁଧି ହେବାକୁ ଶାଶୁଘର ଗାଁକୁ ଆସିଥିଲେ । ଶାଶୁ ଘର ଲୋକ ତାଙ୍କୁ ବିଧବା କରିବା ପରିବର୍ତେ ଘରୁ ତଡ଼ିଦେଇଥିଲେ । ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପାଇଁ ଆସିଛନ୍ତି ମହିଳା ।