ବୌଦ୍ଧରେ ଚାଷୀ ମୃତ୍ୟୁ ପରେ ଉଠିଲା ଧାନ। ମଣ୍ଡିରୁ ତରବରିଆ ଭାବେ ଧାନ ଉଠାଇଛି ପ୍ରଶାସନ।

ବୌଦ୍ଧରେ ଚାଷୀ ମୃତ୍ୟୁ ପରେ ଉଠିଲା ଧାନ। ମଣ୍ଡିରୁ ତରବରିଆ ଭାବେ ଧାନ ଉଠାଇଛି ପ୍ରଶାସନ।

କନକ ବ୍ୟୁରୋ: ମଣ୍ଡିରେ ଚାଷୀ ମୃତ୍ୟୁ ଓ ଏହାକୁ ନେଇ ବିଧାନସଭାରେ ହଙ୍ଗାମା ପରେ ତରବରିଆ ଭାବେ ମୃତ ଚାଷୀଙ୍କ ଧାନକୁ ଉଠାଯାଇଛି । ଧାନ ଉଠାଇବାକୁ ମଣ୍ଡିରେ ୨୩ଦିନ ଧରି ଜଗି ରହିଥିବା ଚାଷୀ ଧରଣୀ ମେହେରଙ୍କ ମୃତ୍ୟୁ ପରେ ଗତକାଲି ମଣ୍ଡିରୁ ଉଠିଛି ତାଙ୍କ ଧାନ । ହେଲେ ଏହା ଦେଖିବାକୁ ଆଉ ଜୀବିତ ନାହାନ୍ତି ଧରଣୀ । ୨୩ଦିନ ଧରି ମଣ୍ଡିରେ ଜଗି ରହିବା ପରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ଧରଣୀ ମେହେରଙ୍କ ମୃତ୍ୟୁ ଖବରକୁ ନେଇ ବୌଦ୍ଧରୁ ବିଧାନସଭା ହୁଲୁସ୍ତୁଲୁ ହେବା ପରେ ପ୍ରଶାସନକୁ ଚେତା ପଶିଛି । ଧରଣୀଙ୍କୁ ୨୫ ଜାନୁଆରୀରୁ ଟୋକନ୍ ମିଳିଥିବାବେଳେ ୨୩ ଦିନ ଧରି କାହିଁକି ଉଠି ନଥିଲା ଧାନ, ଏନେଇ ପେକ୍ସ ସମ୍ପାଦକଙ୍କୁ ପ୍ରଶ୍ନ କରାଯିବାରୁ ସେ ବିଭିନ୍ନ ପ୍ରକାର ଉତ୍ତର ଦେଉଥିବା ଦେଖିବାକୁ ମିଳିଛି ।

କେତେବେଳେ କହୁଛନ୍ତି ମଣ୍ଡିର ଟାର୍ଗେଟ ସରିଯାଇଥିଲା, ତ ପୁଣି କେତେବେଳେ କହୁଛନ୍ତି ତାଙ୍କର ଅଧା ଧାନ କିଣା ସରିଛି । ଫଳରେ ଘଟଣାକୁ ନେଇ ପ୍ରଶାସନଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବୌଦ୍ଧ ଜିଲ୍ଲା ଜାମଘାଟି ଗାଁର ଧରଣୀ ମେହେର । ଅମଳ କରିଥିବା ୫୬ କ୍ୱିଂଟାଲ୍ ଧାନ ବିକ୍ରି କରିବା ପାଇଁ ଜାନୁୟାରୀ ୨୫ତାରିଖରେ ଧରଣୀଙ୍କୁ ଟୋକନ୍ ମିଳିଥିଲା । ଧାନ ଧରି ବାଉଁଶୁଣୀ ମଣ୍ଡିକୁ ଧାଇଁଥିଲେ ଧରଣୀ । ୨୩ ଦିନ ଧରି ଅପେକ୍ଷା କରିବା ପରେ ଧାନ ଉଠିନଥିଲା । ଏହାରି ଭିତରେ ମଣ୍ଡିରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ ଧରଣୀ । ପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ । ତେବେ ତାଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ବୋଲି ପ୍ରଶ୍ନ ଉଠାଇଥିଲେ ପରିବାର ଲୋକେ । ଧାର, କରଜ କରି ଚାଷୀ ଅମଳ କରିଥିବା ଧାନ ଭଲ ମୂଲ୍ୟରେ ବିକି ନିଜ ଋଣ ସୁଝିବ ବୋଲି ଭାବିଥାଏ । ହେଲେ ଧାନ ଉଠିବା ପୂର୍ବରୁ ଆଖିବୁଜିଛନ୍ତି ଧରଣୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe