ସୁବ୍ରତ ରାୟଙ୍କ ମୃତ୍ୟୁ ପରେ ଚିନ୍ତାରେ ଜମାକାରୀ । କେମିିତି ଫେରିପାଇବେ ଜମା ଟଙ୍କା ବଢ଼ିଲା ଆଶଙ୍କା । ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ
କନକ ବ୍ୟୁରୋ: ସାହାରା ଜମାକାରୀ ଫେରିପାଇବେ ତ ଟଙ୍କା? ସାହାରା ଇଣ୍ଡିଆର ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ ପରେ କିଛି ଏଭଳି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଦେଶରେ ଲକ୍ଷ ଲକ୍ଷ ଜମାକାରୀଙ୍କ ଟଙ୍କା ସାହାରା ଇଣ୍ଡିଆରେ ଫସିରହିଛି । ଆଉ ଏହାରି ଭିତରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ପୋର୍ଟାଲ ଖୋଲି କ୍ଷୁଦ୍ର ଜମାକାରୀଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ୧୦ ହଜାର ଟଙ୍କା ଦେବା ପ୍ରକ୍ରିୟା ଆରମ୍ଭ କରିଥିଲେ । କିନ୍ତୁ ଏବେ କମ୍ପାନୀ ମୁଖ୍ୟଙ୍କ ପରଲୋକ ପରେ ଭୟ ଓ ଆଶଙ୍କାରେ ରହିଛନ୍ତି ଜମାକାରୀ ।

Kanak News is now on WhatsApp
Join and get latest news updates delivered to you via WhatsApp
ସାହାରା ଗ୍ରୁପ ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକର ୨୪ ଘଣ୍ଟା ନପୁରୁଣୁ ବ୍ରହ୍ମପୁର ସାହାରା ଅଫିସ ଆଗରେ ଜମାକାରୀ ବିକ୍ଷୋଭ କରିଛନ୍ତି । ସାହାରଶ୍ରୀଙ୍କ ପରଲୋକ ପରେ ଭୟ ଓ ଆଶଙ୍କା ଭିତରେ ଅଛନ୍ତି ସାହାରା ଜମାକାରୀ । ସାହାରା ନିବେଶକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଙ୍କି ମାରିଛି ।
- ନିବେଶକ ଫେରିପାଇବେ କି ଟଙ୍କା?
- ବଢିଲା କ୍ଷୁଦ୍ର ଜମାକାରୀଙ୍କ ଚିନ୍ତା
ସୁବ୍ରତ ରାୟ ସାହାରା ଇଣ୍ଡିଆ ପରିବାରର ପ୍ରତିଷ୍ଠା କରିଥିଲେ । ଏବେ ତାଙ୍କର ପରଲୋକ ପରେ ଗାଁରେ ରହୁଥିବା ଛୋଟ ଜମାକାରୀଙ୍କ କଣ ହେବ ସେ ନେଇ ଅନେକ ପ୍ରଶ୍ନ ଉଠିଛି । ବ୍ରହ୍ମପୁରରେ ଜମାକାରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ର ସରକାର ଶେଷ ଭରସା ବୋଲି କହିଛନ୍ତି । ଟଙ୍କା ଫେରାଇବାରେ ବିଳମ୍ବ ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।
କେବଳ ବ୍ରହ୍ମପୁର ନୁହେଁ ସାରା ରାଜ୍ୟରେ ସାହାରା ଜମାକାରୀଙ୍କ ସେହି ଗୋଟିଏ ଚିନ୍ତା, ଟଙ୍କା ମିଳିବ କେବେ? ସାରା ଦେଶରେ ଲକ୍ଷ ଲକ୍ଷ ଜମାକାରୀଙ୍କ ଟଙ୍କା ସାହାରା ଇଣ୍ଡିଆରେ ଫସି ରହିଛି । ଏପରିକି ମ୍ୟାଚ୍ୟୁରିଟି ପରେ ଟଙ୍କା ମିଳୁନଥିଲା । ଆଉ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଜମାକାରୀଙ୍କ ମଧ୍ୟରେ ଆଶା ସଂଚାର ହୋଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜୁଲାଇରେ ସାହାରା ରିଫଣ୍ଡ ପୋର୍ଟାଲ ଲଞ୍ଚ୍ କରିଥିଲେ । ଏହି ପୋର୍ଟାଲରେ ଜମାକାରୀ ୧୦ ହଜାର ଯାଏଁ ଟଙ୍କା ଫେରସ୍ତ ପାଇପାରିବେ । ଦେଶରେ ଏଭଳି ପ୍ରାୟ ୪ କୋଟି ଜମାକାରୀ ଅଛନ୍ତି , ଯେଉଁମାନେ ୧୦ ହଜାର ଟଙ୍କା ପାଇବାକୁ ଦାବିଦାର ଅଟନ୍ତି । ଅଗଷ୍ଟ ସୁଦ୍ଧା ୧୮ ଲକ୍ଷ ଲୋକ ଟଙ୍କା ପାଇବାକୁ ଆବେଦନ କରିସାରିଛନ୍ତି । ଏବେ ସାହାରାଶ୍ରୀଙ୍କ ପରଲୋକ ପରେ ଜମାକାରୀ ଚିନ୍ତାରେ ଅଛନ୍ତି ପୋର୍ଟାଲରେ ପଞ୍ଜିକରଣ ପରେ ବି ଟଙ୍କା ମିଳିବ ନା ନାହିଁ ।
ବର୍ତ୍ତମାନ ସାହାରା ଆଣ୍ଡିଆରେ ଜମା ହୋଇଥିବା ନିବେଶକଙ୍କ ଟଙ୍କା ସେବି ପାଖରେ ଅଛି । ଆଉ ଏହି ଟଙ୍କା ଅନଲାଇନରେ ଆବେଦନ କରିଥିବା ଜମାକାରଙ୍କୁ ହିଁ ମିଳିବ । ଏବେ ସୁବ୍ରତ ରାୟଙ୍କ ପରଲୋକ ପରେ ଜମାକାରୀଙ୍କ ଭୟ ଦୂର କରିବାକୁ କେନ୍ଦ୍ର ସରକାର କି ପଦକ୍ଷେପ ନେଉଛନ୍ତି ସେ ଉପରେ ସମସ୍ତଙ୍କ ନଜର ରହିଛି ।