ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଖାଁ ଖାଁ ହୁଙ୍କେଇପୁର ଫାର୍ମ ହାଉସ । ଖାଲି ପଡିଛି ଚେୟାର ଟେବୁଲ, ମହାରଥୀ ବସୁଥିବା ଚେୟାରକୁ ପୂଜା କରି ଝୁରୁଛନ୍ତି ଫାର୍ମ ହାଉସ କର୍ମଚାରୀ ।

426

କନକ ବ୍ୟୁରୋ : ମହାରଥୀଙ୍କ ମୃତ୍ୟୁ ପରେ ଖାଁଖାଁ ଲାଗୁଛି ଫାର୍ମ ହାଉସ । ଆଉ ଫାର୍ମ ହାଉସରେ ଥିବା କର୍ମଚାରୀମାନେ ଏବେ ମହାରଥୀଙ୍କୁ ଝୁରି ହେଉଛନ୍ତି । ଯେଉଁ ଚେୟାରରେ ସବୁଥିଲେ ମହାରଥୀ, ସେହି ଚେୟାର ସାମ୍ନାରେ ବସି ଝୁରି ହେଉଛନ୍ତି ଫାର୍ମ ହାଉସରେ କାମ କରୁଥିବା କର୍ମଚାରୀ । ଅବସର ସମୟରେ ଏହି ଫାର୍ମ ହାଉସରେ କଟିଯାଉଥିଲା ମହାରଥୀଙ୍କ ସମୟ । ସପ୍ତାହକରେ ଦିନଟିଏ ହେଉପଛେ ସେ ଧାଇଁ ଆସୁଥିଲେ ହୁଙ୍କେଇପୁର ଫାର୍ମ ହାଉସ ।

ଏହାରି ଭିତରେ ରହିଛି ଅଟାଳିକା, ମାଛ ଗାଡ଼ିଆ, ବିଭିନ୍ନ ପ୍ରକାରର ଚାଷ ମଧ୍ୟ ହୋଇଥିଲା । ଏପରିକି ଏହି ଫାର୍ମ ହାଉସରେ ଗୋପାଳନ ମଧ୍ୟ କରୁଥିଲେ ମହାରଥୀ । ପ୍ରାୟ ୭୦ଟି ଗାଇ ଗୋରୁ ଏହି ଫାର୍ମ ହାଉସ୍ରେ ଅଛନ୍ତି । ଏହା ସହ ପାରା, କୁକ଼ୁଡ଼ା, ହଂସ, ବତକଙ୍କ କଳରବରେ କଟୁଥିଲା ମହାରଥିଙ୍କ ମସୟ । ତାଙ୍କ ମୃତ୍ୟୁ ପରେ ଯେମିତି ଆପେ ଆପେ ଏସବୁ ଶ୍ରୀହିନ ହୋଇଯାଇଛି ।

ଆଉ ଅନ୍ତେବାସୀଙ୍କ କଥା ତା ନକହିଲେ ଭଲ । କାହିଁକା ନା ପ୍ରଦୀପ ମହାରଥୀ ଚାଲିଯିବା ପରେ ସେମାନେ ଏକ ପ୍ରକାର ଭାଙ୍ଗି ପଡ଼ିଛନ୍ତି । ଯେଉଁ ବ୍ୟକ୍ତି ତାଙ୍କ କଥା ବୁଝୁଥିଲେ, ତାଙ୍କ ପରିବାରର ଦାୟିତ୍ୱ ନେଉଥିଲେ ସେ ଚାଲିଯିବା ପରେ କ’ଣ ହେବ ତାଙ୍କୁ ନେଇ ବି ସନ୍ଦିହାନ ଅଛନ୍ତି ।

ଗତ ରବିବାର ଦିନ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ସାରା ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଦଳୀୟ ନେତାଙ୍କଠାରୁ ଆରମ୍ଭ କରି ବିରୋଧୀ ନେତାମାନେ ମଧ୍ୟ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଥିଲେ ।