ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ସାଂଘାତିକ ଅଭିଯୋଗ ଆଣିଲେ ମୀନତି ବହିଦାର । କହିଲେ ତାଙ୍କ ଭାଇଙ୍କ ହତ୍ୟା ପଛରେ ଥିଲା ମନ୍ତ୍ରୀଙ୍କ ହାତ

2,356

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବଡ ବୟାନ ଦେଇଛନ୍ତି କଟକର ସମାଜସେବୀ ମୀନତି ବହିଦାର । ପ୍ରଥମେ ସୋସିଆଲ ମିଡିଆ ପୋଷ୍ଟ କରି ମନ୍ତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ମନ୍ତବ୍ୟ ରଖିଥିଲେ ମୀନତି ବହିଦାର । ସେ ଅଭିଯୋଗ କରିଛନ୍ତି, ୧୭ ବର୍ଷ ତଳେ ତାଙ୍କ ଭାଇଙ୍କ ହତ୍ୟା ପଛରେ ଥିଲା ମନ୍ତ୍ରୀଙ୍କ ହାତ । ତେବେ ରାଜନୈତିକ ଆକ୍ରୋଶ ରଖି ତାଙ୍କ ଭାଇଙ୍କୁ ବୋମା ପକାଇ ମାରି ଦିଆଯାଇଥିଲା ବୋଲି କହିଛନ୍ତି ମୀନତି ।

ମୀନତି ହେଉଛନ୍ତି ସେହି ବୃଦ୍ଧା, ଯିଏ ତାଙ୍କ ସବୁ ସମ୍ପତି ଜଣେ ରିକ୍ସାବାଲାଙ୍କୁ ଦାନ କରିଦେଇଥିଲେ । କଟକରେ ରହୁଥିବା ଏହି ମହିଳା ମୀନତି ମ୍ୟାଡମ୍ ଝାରସୁଗୁଡ଼ାର ମୂଳବାସିନ୍ଦା । ତେବେ ସେ ଏବେ ଏକ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ଅଛନ୍ତି । ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ନେଇ ସାରା ଓଡ଼ିଶା ସ୍ତବ୍ଧ ଥିବା ବେଳେ ମିନତୀ ବହିଦାର, ମନ୍ତ୍ରୀଙ୍କ ମୃତ୍ୟୁକୁ ନେଇ ଖୁସିଥିବା କହିଛନ୍ତି । ସେ ଅଭିଯୋଗ କରି କହିଛନ୍ତି, ତାଙ୍କ ଭାଇ ବିଧାନ ବହିଦାରଙ୍କ ମୃତ୍ୟୁ ପଛରେ ମନ୍ତ୍ରୀ ନବ ଦାସଙ୍କ ସଂପୃକ୍ତ ଥିଲେ ।

ମିନତୀ ବହିଦାରଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଭାଇ ବିଧାନ ବହିଦାରଙ୍କୁ ବୋମାମାଡ଼ କରି ରାତିର ଅନ୍ଧାରରେ ହତ୍ୟା କରାଯାଇଥିଲା । ଭାଇ ବିଧାନଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଭାଙ୍ଗି ପଡ଼ିଥିଲା । ରାଜନୈତିକ ପ୍ରତିଦ୍ୱନ୍ଦିତାକୁ କେନ୍ଦ୍ରକରି ତାଙ୍କ ଭାଇଙ୍କୁ ହତ୍ୟା କରିଥିବା ମିନତୀ ବହିଦାର ଅଭିଯୋଗ କରିଛନ୍ତି ।

ମୀନତି ବହିଦାର ଯେଉଁ ଦୁଇ ଜଣ ନେତାଙ୍କ ନାଁରେ ଅଭିଯୋଗ ଆଣୁଛନ୍ତି, ବର୍ତମାନ ଉଭୟ ନେତାଙ୍କ ଦେହାନ୍ତ ହୋଇସାରିଛି । ଏମିତି କି ମୀନତି ଆଣୁଥିବା ଅଭିଯୋଗ ଉପରେ ପ୍ରତିପକ୍ଷଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ସ୍ୱାମୀ-ଝିଅଙ୍କ ମୃତ୍ୟୁ ପରେ ସମାଜସେବା ପ୍ରତି ଆକର୍ଷିତ ହୋଇ ଗତବର୍ଷ ବିଜେଡିରେ ସାମିଲ ହୋଇଥିଲେ ମୀନତି ବହିଦାର । ହେଲେ ଏସବୁ ଭିତରେ ମୀନତି ବହିଦାର, ଦିବଙ୍ଗତ ନେତାଙ୍କୁ ନେଇ ଯେଉଁ ସନ୍ଦେହ କରୁଛନ୍ତି ବା ଯେଉଁ ଅଭିଯୋଗ କରିଛନ୍ତି ସେଥିରେ କେତେ ସତ୍ୟତା ରହିଛି, ତାର ଉତ୍ତର କେବଳ ପୁଲିସ ତଦନ୍ତର ପୁରୁଣା ଫାଇଲରେ ହିଁ ମିଳିପାରେ ।