କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ନେଇ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିଦେଇଛନ୍ତି କସରତ ।  ବିଜେଡିର ପ୍ରାର୍ଥୀ କିଏ ହେବ ତାହା ସ୍ପଷ୍ଟ ହୋଇନାହିଁ  । ତେବେ ଏ ବାବଦରେ ଦଳର ସୁପ୍ରିମୋ ନିଷ୍ପତ୍ତି ନେବେ ବୋଲି ଜଣାଯାଇଛି । ଏପଟେ ଧାମନଗର ଉପନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସ ୫ ଜଣିଆ କମିଟି ଗଠନ କରିଥିବାବେଳେ ପ୍ରାର୍ଥୀ କିଏ ହେବ ତାହା ସ୍ପଷ୍ଟ ହୋଇନଥିବା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ତେବେ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନେଇ ସ୍ପଷ୍ଟ କରିନଥିବା ବେଳେ ପରୋକ୍ଷରେ ସୂର୍ଯ୍ୟବଂଶୀଙ୍କ ନାଁ କହିଛନ୍ତି ରାଜ୍ୟ ପ୍ରଭାରୀ ପୁରନ୍ଦେଶ୍ୱରୀ ।

Advertisment
  • ଧାମନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
  • ବିଷ୍ଣୁଙ୍କ ଗଡ଼ରେ ଲଢ଼େଇ ପାଇଁ ପୁଅଙ୍କ ପ୍ରସ୍ତୁତି
  • ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ନଜର

ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରେ ସକ୍ରିୟ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ, ବାପାଙ୍କ ଆସନକୁ ବିଜେପି କବଜାରେ ରଖିବା ପାଇଁ ସବୁ କଳକୌଶଳ ଲଗାଇ ଦେଇଛନ୍ତି । ବିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି ସୂର୍ଯ୍ୟବଂଶୀ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ବରିଷ୍ଠ ନେତା ମନମୋହନ ସାମଲ ଓ ଗୋଲଖ ମହାପାତ୍ର ପ୍ରମୁଖ ଭଦ୍ରକରେ ପହଞ୍ଚି ମାରାଥନ ବୈଠକ କରିଛନ୍ତି । ଔପଚାରିକ ଘୋଷଣା ବାକିଥିବାବେଳେ ବିଷ୍ଣୁଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀଙ୍କ ନାଁକୁ ଏକପ୍ରକାର ଚୂଡାନ୍ତ କରାଯାଇଥିବା ଜଣାପଡିଛି । ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ମଧ୍ୟ ସୂରଜଙ୍କ ଆଡକୁ ଇସାରା କରିଛନ୍ତି । ରାଜ୍ୟ ବିଜେପିର ନିର୍ବାଚନ କମିଟି କେନ୍ଦ୍ରୀୟ ପାର୍ଲାମେଣ୍ଟାରୀ ବୋର୍ଡକୁ ନାଁ ସୁପାରିଶ କରିବା ପରେ ପ୍ରାର୍ଥୀ ଚୂଡାନ୍ତ ହେବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଧାମନଗର ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୪ ତାରିଖ ସୁଦ୍ଧା ନାମାଙ୍କନ ଓ ୧୭ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ । ନଭେମ୍ବର ୩ରେ ଧାମନଗରର ପ୍ରାୟ ୨ଲକ୍ଷ ୩୮ ହଜାର ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ନଭେମ୍ବର ୬ରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।

ଧାମନଗର ଉପ ନିର୍ବାଚନ ପାଇଁ ବିଜେଡି ଓ କଂଗ୍ରେସରେ ଏକାଧିକ ଆଶାୟୀ ଥିବା ଚର୍ଚ୍ଚା ହେଉଛି । ବିଷ୍ଣୁ ସେଠୀଙ୍କ ପୁଅ ସୂରଜଙ୍କୁ ମୈଦାନକୁ ଓହ୍ଲାଇ ବିଜେପି ଅନୁକମ୍ପା ଭୋଟ ହାତେଇବାକୁ ରଣନୀତି କରୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଆଧାରରେ ଧାମନଗର ଉପନିର୍ବାଚନ ଲଢିବ ବିଜେଡି । କାହାକୁ ପ୍ରାର୍ଥୀ କଲେ ନିର୍ବାଚନରେ ବିଜୟ ହେବ ସେନେଇ ଶୀର୍ଷ ନେତୃତ୍ୱ ବିଚାର ବିମର୍ଶ କରୁଛନ୍ତି । କଂଗ୍ରେସ ମଧ୍ୟ ଜୋରଦାର ଲଢେଇ ପାଇଁ ୪ ଜଣିଆ ପ୍ରତିନିଧିଙ୍କୁ ପ୍ରାର୍ଥୀ ଚୟନ ଦାୟିତ୍ୱ ଦେଇଛି ।

  • ପ୍ରଦୀପ ମହାରଥୀଙ୍କ ପରେ ରୁଦ୍ର ମହାରଥୀ
  • ବିଷ୍ଣୁ ଦାସଙ୍କ ପରେ ବିଜୟ ଶଙ୍କର ଦାସ
  • କିଶୋର ମହାନ୍ତିଙ୍କ ପରେ ଅଳକା ମହାନ୍ତି
  • ବେଦ ପ୍ରକାଶ ଅଗ୍ରୱାଲଙ୍କ ପରେ ସାବିତ୍ରୀ ଅଗ୍ରୱାଲ
  • ସୁବଳ ସାହୁଙ୍କ ପରେ ରୀତା ସାହୁ 

ରାଜ୍ୟ ରାଜନୀତିରେ ଉପନିର୍ବାଚନରେ ଏହି ଧାରା ଦେଖିବାକୁ ମିଳିଛି । ବିଧାୟକଙ୍କ ଦେହାନ୍ତ ପରେ ପ୍ରାର୍ଥୀ ଚୟନ ବେଳେ ପରିବାରକୁ ମିଳିଛି ଗୁରୁତ୍ୱ । ପିପିଲିରେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପୁଅ ରୁଦ୍ର ମହାରଥୀଙ୍କ ସୁଯୋଗ ଦେଇଥିଲା ବିଜେଡି । ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ତିର୍ତୋଲରୁ ପ୍ରାର୍ଥୀ କରିଥିଲା ଦଳ । ବ୍ରଜରାଜ ନଗରରେ ମଧ୍ୟ କିଶୋର ମହାନ୍ତିଙ୍କ ବିୟୋଗ ପରେ ତାଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରି ବିଜେଡି ସମବେଦନାର ଭୋଟ ହାତେଇଥିଲା ।

ପୂର୍ବରୁ ପାଟକୁରାରେ ବେଦ ପ୍ରକାଶ ଅଗ୍ରୱାଲଙ୍କ ସ୍ଥାନରେ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ବିଜେଡିି ମୈଦାନକୁ ଓହ୍ଲାଇଥିବା ବେଳେ ବିଜେପୁରରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ପତ୍ନୀ ରୀତା ସାହୁଙ୍କୁ ଟିକେଟ ଦେଇଥିଲା ବିଜେଡି । ତେଣୁ ବିଜେପି ଏଥର ଧାମନଗରରେ ପରିବାର କାର୍ଡ ଖେଳିବାକୁ ଯାଉଛି ।