କ୍ରସ ଭୋଟିଂ ପରେ ମୋକିମକୁ ନେଇ ବଢିଲା ଚର୍ଚ୍ଚା । ୨୦୨୪ରେ କଂଗ୍ରେସ ଥିବ କି ନଥିବ, ଏମିତି ପ୍ରଶ୍ନ ଉଠାଇ ବିବାଦ ଛିଡା କଲେ କଂଗ୍ରେସ ବିଧାୟକ । 

472

କନକ ବ୍ୟୁରୋ: ଚର୍ଚ୍ଚାରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ଗତକାଲି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଭୋଟ୍ ଦେବା ପରେ ତାଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି । ଏପରିକି ସେ ଆଗାମୀ ଦିନରେ ଦଳରେ ରହିବେ  କି ନାହିଁ ସେ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ହେଲେ, ସେ କଂଗ୍ରେସର ଜଣେ ଶୃଙ୍ଖଳିତ କର୍ମୀ କହିବା ସହ ଦଳରେ ରହିବେ ବୋଲି ଦୃଢ଼ୋକ୍ତି କରିଛନ୍ତିି ।

୨୦୨୪ରେ କଂଗ୍ରେସ ଥିବ କି ନଥିବ, ଏମିତି ପ୍ରଶ୍ନ ଉଠାଇ ବଡ ବିବାଦ ଛିଡା କରିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ । କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେବା ବେଳେ ଏଡିଟର ମନୋରଞ୍ଜନ ମିଶ୍ର ୨୦୨୪ରେ ସେ କଂଗ୍ରେସ ଦଳରୁ ନିର୍ବାଚନ ଲଢିବେ କି ବୋଲି ପ୍ରଶ୍ନ କରିଥିଲେ । ଆଉ ଯାହାର ଉତ୍ତରରେ ମୋକିମ କହିଛନ୍ତି, ସେ ଭବିଷ୍ୟବାଣୀ କରିବାକୁ ଚାହାଁନ୍ତି ନାହିଁ କିନ୍ତୁ ଯଦି ୨୦୨୪ରେ କଂଗ୍ରେସ ଦଳ ଥାଏ ତେବେ ସେ ଲଢିବେ ।

ଦଳର ନିଷ୍ପତି ବାହାରକୁ ଯାଇ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କୁ ଭୋଟ ଦେବା ପରେ ଏବେ ଚର୍ଚ୍ଚାରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ପାର୍ଟିର ସିଦ୍ଧାନ୍ତରୁ ଓହରି ମାଟିର ଝିଅକୁ ବିବେକ ଅନୁସାରେ ଭୋଟ ଦେଇଥିବ କହିବା ପରେ ତାଙ୍କୁ ଦଳରୁ ବିରୋଧ ବଢିଛି । ଏପରିକି ତାଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯିବ ବୋଲି କହିଛନ୍ତି ପିସିସି ସଭାପତି । ତେବେ କଂଗ୍ରେସରେ ଅଛନ୍ତି ଓ ଆଗକୁ ରହିବେ ବୋଲି ଦୃଢୋକ୍ତି ରଖିଛନ୍ତି ମୋକିମ ।

ମୁଖ୍ୟ ବିରୋଧୀଦଳ ପଦ ହରେଇବା ପରେ ବିଧାନସଭାରେ ସରକାରଙ୍କୁ ଘେରିବାକୁ ନବଗ୍ରହ ଭାବରେ କଂଗ୍ରେସର ୯ ବିଧାୟକ ଲଢେଇ ଜାରି ରଖିବେ ବୋଲି ପୂର୍ବରୁ କହିଥିଲେ କଂଗ୍ରେସ ନେତୃବୃନ୍ଦ କିନ୍ତୁ ଏବେ ପୁଣି ଥରେ ନିଜ ଘର କଳିରେ ଛନ୍ଦି ହୋଇପଡିଛି ରାଜ୍ୟ କଂଗ୍ରେସ ।