କଂଗ୍ରେସ ପରେ ଏବେ ତେଜସ୍ୱୀଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକୁ ଆରଜେଡିର ବିରୋଧ, ଗୋହିଲ କହିଲେ ମତଭେଦ ରହିବ, କହ୍ନେୟାଙ୍କ ମତ ମୁଖ୍ୟମନ୍ତ୍ରୀ ଚେହେରା ନୁହେଁ ସାଧାରଣ ସର୍ବନିମ୍ନ କର୍ମସୂଚୀକୁ ଦିଆଯାଉ ଗୁରୁତ୍ୱ ।

461

କନକ ବ୍ୟୁରୋ : ବିହାର ନିର୍ବାଚନ ଆସନ୍ତା ଅକ୍ଟୋବର ୨୮ ରୁ ଆରମ୍ଭ ହୋଇ ନଭେମ୍ବର ୭ ରେ ଶେଷ ହେବ । ନଭେମ୍ବର ୧୦ ତାରିଖରେ ଫଳା ଫଳ ବାହାରିବ । ହେଲେ ବିହାରରେ ନିର୍ବାଚନ ତାରିଖ ଘୋଷଣା ପରେ ଏବେ ମହାମେଣ୍ଟରେ ଫାଟ ଦେଖିବାକୁ ମିଳିଛି । ଏନଡିଏକୁ ପରାସ୍ତ କରିବାକୁ ବିହାରରେ ଗଠିତ ହେବାକୁ ଥିବା ମହାମେଣ୍ଟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନକୁ ନେଇ ଦେଖିବାକୁ ମିଳିଛି ବିବାଦ ।

ମହାମେଣ୍ଟରେ ଆରଜେଡି, ସିପିଆଇ, ସିପିଏମ ଓ କଂଗ୍ରେସ ମୁଖ୍ୟ ଦଳ ଭାବେ ଏକତ୍ରୀତ ହେଉଥିବା ଖବର ଉପରେ ଭାରି ପଡିଛି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ । କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ କଂଗ୍ରେସ ଦାବିଦାର ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଥିଲା । ଏହାକୁ ନେଇ ମେଣ୍ଟ ଭିତରେ କିଛିଟା ଅସନ୍ତୁଷ ଦେଖା ଦେଇଥିବା ବେଳେ ମହାମେଣ୍ଟର ବଡ ପାର୍ଟି ଆରଜେଡି ମୁଖ୍ୟମନ୍ତ୍ରୀ ଦାବିଦାର ବୋଲି ଆରଜେଡି କହିଥିଲା । ଏହା ସହ ଲାଲୁ ଯାଦବଙ୍କ ବଡପୁଅ ତେଜସ୍ୱୀ ଯାଦବ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଆରଜେଡି ପକ୍ଷରୁ ଘୋଷଣା କରାଯାଇଥିଲା । ହେଲେ ଏବେ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ଖୋଦ ଆରଜେଡି ଭିତରୁ ବିରୋଧ ଆରମ୍ଭ ହୋଇଛି ।

କରୋନା ମାହାମାରୀ ବେଳେ ବିହାର ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ହେଲେ ଏଠାରେ ସରକାରରେ ଥିବା ଏନଡିଏକୁ ହରାଇବାକୁ ଗଠିତ ହୋଇଥିବା ମହାମେଣ୍ଟରେ ଏବେ ଫାଟ ପରେ ଫାଟ । ମହାମେଣ୍ଟରେ ସାମିଲ ହୋଇନଥିବା ରାଷ୍ଟ୍ରୀୟ ଲୋକସଭା ପାର୍ଟି (ଆରଏଲଏସପି) ର ଉପେନ୍ଦ୍ର କୁଶୱା ଗୁରୁବାର କହିଥିଲେ କି ମହାମେଣ୍ଟରେ ତେଜସ୍ୱୀ ଯାଦବଙ୍କ ନେତୃତ୍ୱକୁ କଂଗ୍ରେସ ଗ୍ରହଣ କରିବା ନାହିଁ । ଅନ୍ୟପଟେ ସେ ଆହୁରି କହିଛନ୍ତି କି ମହାମେଣ୍ଟରେ ଯୋଗ ଦେବାକୁ ତାଙ୍କ ପାଇଁ ସମସ୍ତ ଦ୍ୱାର ଖୋଲା ଅଛି । ହେଲେ ଚଳିତ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ପୁରା ରାଜ୍ୟରେ ୨୪୩ ଆସନରେ ପ୍ରତିଦ୍ୱନ୍ଦିତା କରିବାକୁ ପ୍ରସ୍ତୁତ ହେଉଛି ।

ବିହାର କଂଗ୍ରେସର ଦାୟିତ୍ୱରେ ଥିବା ରାଜ୍ୟସଭା ସାଂସଦ ଶକ୍ତି ସିଂ ଗୋହିଲ ଶୁକ୍ରବାର କହିଛନ୍ତି କି ନିତିଶ କୁମାରଙ୍କ ନେତୃତ୍ୱାଧିନ ଏନଡିଏ ସରକାରକୁ ଗାଦିଚ୍ୟୁତ କରିବାକୁ ସମସ୍ତ ବିରୋଧି ଦଳ ମାନେ ଏକଜୁଟ୍ ହୋଇ ଯୁଦ୍ଧ ମଇଦାନକୁ ଉହ୍ଲାଇବାର ଆବଶ୍ୟକତା ରହିଛି । ଏଭଳି ସ୍ଥିତିରେ ରାଜନୈତିକ ମଦଭେଦ ରହବା ସ୍ୱାଭାବିକ୍ । ବିହାରର ଲୋକମାନେ ପରିବର୍ତନ ଚାହୁଁଛନ୍ତି, ଯାହାର ଦାୟିତ୍ୱ ବିରୋଧୀ ମାନେ ନିଜ କାନ୍ଧରେ ନେବା ଦରକାର । ଆମକୁ ଲୋକମାନଙ୍କ ଭାବନାକୁ ବୁଝିବାକୁ ହେବ ଓ ଜନମାରଣ ସରକାରଙ୍କୁ ଗାଦିରୁ ତଡିବାକୁ ପଡିବ ।

କୁଶୱାଙ୍କୁ ନେଇ ଗୋହିଲ କହିଛନ୍ତି କି କଂଗ୍ରେସ ନିରନ୍ତର ଭାବେ କୁଶୱାଙ୍କ ସହିତ ଯୋଗ ଯୋଗରେ ରହିଛି । ସେ ଏନଡିଏ ଛାଡି ସାରିଛନ୍ତି । ତେଣୁ ଏନଡିଏକୁ ସେ ଅତି ନିକଟରୁ ଦେଖିଛନ୍ତି । ଆସନ ଭାଗବଣ୍ଟାକୁ ନେଇ ସେ କହିଛନ୍ତି କି ସମସ୍ତ ଦଳ ନିଜ ନିଜ ପାଇଁ ଅଧିକ ଆସନ ମାଗିବେ ଓ ନେତାଙ୍କୁ ପ୍ରୋଜେକ୍ଟ କରିବେ । ଏହା ତ ସ୍ୱଭାବିକ । ହେଲେ ଏହାକୁ ନେଇ ମତଭେଦ ରହିବା ଠିକ୍ ନୁହେଁ ।

ମହାମେଣ୍ଟରେ ସାମିଲ ହୋଇଥିବା ଅନ୍ୟଦଳ ମାନେ ଯେତେବେଳେ ମୁଖ୍ୟମନ୍ତ୍ରୀ ପ୍ରାଥୀତ୍ୱକୁ ନେଇ ବିଶେଷ କିଛି ମତଭେଦ ପ୍ରକାଶ କରୁନାହାନ୍ତି ସେଭଳି ସ୍ଥଳେ ଆରଜେଡି ପକ୍ଷରୁ କିଛି ନେତା ତେଜସ୍ୱୀଙ୍କ ମୁଖ୍ୟମନ୍ତ୍ରୀ ପ୍ରାଥୀତ୍ୱକୁ ନେଇ ବିରୋଧ ଆରମ୍ଭ କରିଛନ୍ତି । ଯାହା କି ଦଳର ଭିତିରି କନ୍ଦଳକୁ ପଦାରେ ପକାଇବାରେ ଲାଗିଛି ।

ଗୋହିଲ ଆହୁରି କହିଛନ୍ତି କି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ମିଳିତ ସହଯୋଗୀ ମାନେ ଆଲୋଚନା କରି ଘୋଷଣା କରିବେ । ଯଦି କୌଣସି ନାମ ସହମତ ନହୁଏ ତେବେ ସିଏମ୍ ପ୍ରାଥୀ ଘୋଷଣା ନକରି ନିର୍ବାଚନ ଲଢାଯିବ । ଅନ୍ୟପଟେ ବିହାରର ଚର୍ଚ୍ଚିତ ଚେହେରା ତଥା ଜେଏନୟୁର ପୂର୍ବତନ ସଭାପତି , ସିପିଆଇ କେନ୍ଦ୍ରୀୟ କମିଟିର ସଭ୍ୟ କହ୍ନେୟା କୁମାର କହିଛନ୍ତି କି ମୁଖ୍ୟମନ୍ତ୍ରୀ ଚେହରା ନୁହେଁ ସାଧାରଣ ସର୍ବନିମ୍ନ କର୍ମସୂଚୀକୁ ନେଇ ନିର୍ବାଚନ ଲଢିବାର ଆବଶ୍ୟକ ରହିଛି । ଏହା ସହ ମହାମେଣ୍ଟ ଯଦି ସରକାର ଗଠନ କରିବାକୁ ସମର୍ଥ ହୁଏ ତେବେ ସେତେବେଳେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଚିନ୍ତା କରାଯିବ ।