ବୁଲେଟ ଟ୍ରେନ ପରେ ମୋଦି ସରକାର ଆଣିବାକୁ ଯାଉଛନ୍ତି ମ୍ୟାଗଲୋବ ଟ୍ରେନ୍ : ଭାରତୀୟ କମ୍ପାନୀ ଭେଲ୍ , ସ୍ୱିସ୍ ର୍ୟାପିଡ୍ ସହ ଚୁକ୍ତି ; ଘଣ୍ଟା ପ୍ରତି ୫୦୦ରୁ ୮୦୦କିମି ବେଗରେ ଚାଲିବ ଏହି ଟ୍ରେନ୍  

468

କନକ ବ୍ୟୁରୋ : ବୁଲେଟ୍ ଟ୍ରେନ୍ ପରେ ମୋଦି ସରକାର ଆଣିବାକୁ ଯାଉଛନ୍ତି ମ୍ୟାଗଲୋବ୍ ଟ୍ରେନ୍ । ଏଥିପାଇଁ ଭାରତୀୟ କମ୍ପାନୀ ଭେଲ୍ , ସ୍ୱିସ୍ ର୍ୟାପିଡ୍ ଏଜି ସହିତ କରିଛି ଚୁକ୍ତି । ଏହି ଟ୍ରେନ୍ ଅଧଘଂଟାରେ ପହଁଚିବ ମୁମ୍ୱାଇରୁ ଚଣ୍ଡିଗଡ । ଚୁମ୍ୱକୀୟ ଶକ୍ତି ସହାୟତାରେ ଚାଲିବ ଏହି ଟ୍ରେନ୍ । ନିଜେ ଭାରତ ହେଭି ଇଲେକ୍ଟ୍ରିକ୍ ଲିମିଟେଡ୍, ଭେଲ୍ ଏନେଇ ସୂଚନା ଦେଇଛି । ମ୍ୟାଗଲୋବ୍ ଟ୍ରେନ୍ ଚୁମ୍ୱକୀୟ ଶକ୍ତି ସହାୟତାରେ ଚାଲିବ । ଏହା ଟ୍ରେନ୍ ଟିକୁ ଚୁମ୍ୱକୀୟ ଶକ୍ତି ସହାୟତାରେ ଉପରକୁ ଉଠାଇ ଆଗକୁ ଯିବାରେ ସହାୟତା କରିବ । ମ୍ୟାଗ୍ନେଟିକ୍ ଲେବିଟେସନ୍ ସହାୟତାରେ ଟ୍ରେନ୍ ଚଳାଇବା ପାଇଁ ରେଳ ମନ୍ତ୍ରାଳୟ ପିପିପି ମୋଡରେ ମ୍ୟାଗ୍ନେଟ୍ ଟ୍ରେନ୍ ସିଷ୍ଟମର ଯୋଜନା ତିଆରି କରିଛନ୍ତି ।

ଏହି ଟ୍ରେନର ରେଳ ଧାରଣା ସହିତ କୌଣସି ସିଧା ସଂପର୍କ ରହିବ ନାହିଁ । ତେଣୁ ଏଥିରେ ଉର୍ଜା ବ୍ୟବହାର ମଧ୍ୟ କମ୍ ହେବ । ଏହି ଟ୍ରେନ୍ ଘଂଟା ପ୍ରତି ୫୦୦ରୁ ୮୦୦ କିମି ବେଗରେ ଚାଲିପାରିବ । ସୂତ୍ର ଅନୁସାରେ କେନ୍ଦ୍ର ସରକାର ବେଙ୍ଗାଲୁରୁ-ଚେନ୍ନାଇ, ହାଇଦ୍ରାବାଦ୍-ଚେନ୍ନାଇ, ଦିଲ୍ଲୀ-ଚଣ୍ଡିଗଡ୍ ଏବଂ ନାଗପୁର-ମୁମ୍ୱାଇ ମଧ୍ୟରେ ଏହି ମ୍ୟାଗଲୋବ୍ ଟ୍ରେନ୍ ଚଳାଇବାକୁ ଯୋଜନା ତିଆରି କରୁଛନ୍ତି । ସାରା ବିଶ୍ୱରେ ହାତ ଗଣତି ଦେଶ ଗୁଡିକ ପାଖରେ ମ୍ୟାଗଲୋବ୍ ଟ୍ରେନ୍ ର ବୈଷୟିକ ଜ୍ଞାନ ରହିଛି । ଏହି ଦେଶ ଗୁଡିକ ମଧ୍ୟରେ ରହିଛି ଜର୍ମାନୀ, ଚୀନ, ଜାପାନ, ଦକ୍ଷିଣ କୋରିଆ ଏବଂ ଆମେରିକା । ପ୍ରଥମେ ମ୍ୟାଗଲୋବ୍ ଚଳାଇବା ସ୍ୱପ୍ନ ଦେଖିଥିଲେ ଜର୍ମାନୀ, ଆମେରିକା ଓ ବ୍ରିଟେନ୍ ।

ତେବେ ବୈଷୟିକ ଜ୍ଞାନ ଓ ଏହାର ଖର୍ଚ୍ଚ ଦୃଷ୍ଟିରୁ ଏହାକୁ ପ୍ରଥମେ ସଫଳ କରିପାରିନଥିଲେ । ଚୀନ୍ ବର୍ତମାନ୍ ସାଂଘାଇ ସହରରୁ ସାଂଘାଇ ବିମାନବନ୍ଦର ମଧ୍ୟରେ ଏହି ମ୍ୟାଗଲୋବ୍ ଟ୍ରେନ୍ ଚଳାଚଳ କରୁଛି । ଏହି ଦୂରତା ପ୍ରାୟ ୩୮ କିମି ରହିଛି । ବର୍ତମାନ ବିଶ୍ୱର ତିନୋଟି ରାଷ୍ଟ୍ରରେ ଏହି ମ୍ୟାଗଲୋବ୍ ଟ୍ରେନ୍ ବ୍ୟବସାୟିକ ଭାବେ କେବଳ ଚୀନ, ଦକ୍ଷିଣ କୋରିଆ ଏବଂ ଜାପାନ୍ ରେ ଚଳାଚଳ କରୁଛି । ମୋଦି ସରକାର ଏହି ଯୋଜନାକୁ ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଅଭିଯାନକୁ ନଜରରେ ରଖି ଚୁକ୍ତି କରିଛନ୍ତି । ଆଗକୁ ଭେଲ୍ ସ୍ୱିସ୍ ର୍ୟାପିଡ୍ ଏଜି ସହିତ ମିଶି ଏହି ଯୋଜନାରେ କାମ କରିବ । ଗତ ୫୦ ବର୍ଷ ଧରି ଭେଲ୍ ଭାରତୀୟ ରେଳବାଇର ବିକାଶ ଦିଗରେ କାମ କରି ଆସୁଛି । ମ୍ୟାଗଲୋବ୍ ଟ୍ରେନ୍ ଚଳାଚଳ କଲେ ଭାରତୀୟ ରେଳ ଇତିହାସରେ ଏହା ନୂଆ ଫର୍ଦ୍ଦ ଯୋଡିବ ।