ବିହାରରେ ଜାତିଭିତିକ ଗଣନା ରିପୋର୍ଟ ପ୍ରକାଶ ପରେ ଓଡ଼ିଶାରେ ତେଜିଲା ଜାତି ରାଜନୀତି । ବିଜେଡି କହିଲା, ଓବିସି ଗଣନାକୁ ନେଇ ବସିଛି କମିଶନ । ସେପଟେ ସରକାରଙ୍କୁ ଓବିସି ବିରୋଧୀ କହି ଘେରିଲେ ବିଜେପି ଓ କଂଗ୍ରେସ ।
କନକ ବ୍ୟୁରୋ: ଦେଶର ପ୍ରଥମ ରାଜ୍ୟ ଭାବେ ବିହାର ଜାରି କରିଛି ଜାତିଗଣନା ରିପୋର୍ଟ । ଏହାକୁ ନେଇ ବିହାରରେ ରାଜନୀତି ସରଗରମ ରହିଥିବାବେଳେ ଅନ୍ୟ ରାଜ୍ୟ ଏ ନେଇ କି ଆଭିମୁଖ୍ୟ ଗ୍ରହଣ କରିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
- ରାଜନୀତି ପାଇଁ ଜାତି ଜରୁରୀ
- ବିହାରରେ ଜାତିଗଣନା ପରେ ଓଡିଶାରେ ବଢିଲା ଚର୍ଚ୍ଚା
ସର୍ଭେ ଫଳାଫଳରୁ ଜଣାପଡିଛି…..
- ବିହାରରେ ୬୩% ଲୋକ ପଛୁଆ ବର୍ଗର
- ଏଥିମଧ୍ୟରୁ ୩୬% ଅତିଶୟ ପଛୁଆ ଓ ୨୭.୧% ହେଉଛନ୍ତି ପଛୁଆ
- ୧୯.୭% ଏସସି ଓ ୧.୭% ଏସଟି ବର୍ଗର
- ସାଧାରଣ ବର୍ଗର ଲୋକ ହେଉଛନ୍ତି ୧୫.୫%
କୁହାଯାଉଛି, ଭୋଟ ରାଜନୀତିକୁ ଦୃଷ୍ଟିରେ ରଖି ବିହାରର ନୀତିଶ କୁମାର ଜାତିଗଣନା ରିପୋର୍ଟ ପ୍ରକାଶ କରିଛନ୍ତି । ଏହାକୁ ନେଇ ବିହାରରେ ବାକଯୁଦ୍ଧ ଆରମ୍ଭ ହୋଇଛି । ତେବେ ଗରିବ ଓ ଅବହେଳିତ ବର୍ଗର ବିକାଶ ପାଇଁ ଜାତି ଜନଗଣନା ଜରୁରୀ କି? ବିହାରରେ ଜାତିଗଣନା ରିପୋର୍ଟ ପ୍ରକାଶ ପାଇବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି । ପ୍ରଶ୍ନ ଉଠୁଛି, ଓଡିଶାରେ ଏଭଳି ଗଣନା କରିବେ କି ରାଜ୍ୟ ସରକାର ?
- ଓଡିଶାରେ ହେବ କି ଜାତି ଜନଗଣନା?
- ବିଜେଡିକୁ ଟାର୍ଗେଟ କଲେ ବିରୋଧୀ
ବିହାରରେ ଜାତିଗଣନା ରିପୋର୍ଟ ପ୍ରକାଶ ପାଇବା ପରେ ଓଡିଶାରେ ରାଜନୀତି ଜୋର ଧରିଛି । ବିଜେପି, ବିଜେଡିକୁ ଟାର୍ଗେଟ କରିଥିବାବେଳେ କଂଗ୍ରେସ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦୋଷ ଲଦିଛି । କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି , କେନ୍ଦ୍ର ଓ ରାଜ୍ୟ ସରକାର ଓବିସିଙ୍କ ଉନ୍ନତି ଚାହୁଁନାହାନ୍ତି । ଏମାନେ ଓବିସି ବିରୋଧୀ । ବିଜେପି କହିଛି, ରାଜ୍ୟ ସରକାରଙ୍କ ମନୋଭବ ମୂଳରୁ ଓବିସିଙ୍କ ପାଇଁ ଠିକ୍ ନଥିଲା । ସେଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ବିଜେଡି କହିଛି, ଓବିସି ଗଣନାକୁ ନେଇ କମିଶନ ବସିଛି । କମିଶନଙ୍କ ରିପୋର୍ଟ ଓ ଆନୁଷଙ୍ଗିକ ଯାହା ଅଛି, ସେହି ଅନୁସାରେ ମତାମତ ନିଆଯାଉଛି । ଭୋଟ୍ ରାଜନୀତି ପାଇଁ ବିହାରରେ ହୋଇଛି ଜନଗଣନା ।
ବିହାରରେ ଜାତି ଜନଗଣନା ରିପୋର୍ଟ ପ୍ରକାଶ ପାଇବା ପରେ ଇଣ୍ଡିଆ ମେଣ୍ଟର ଅନ୍ୟ ସହଯୋଗୀ ଦଳ ଏଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ଆସିଲେ ଜାତି ଜନଗଣନା କରିବ ବୋଲି କହିଛି । ତେଣୁ ଏହାକୁ ନେଇ ଆଗକୁ ରାଜନୀତି ଜୋର ଧରିବ ବୋଲି ଅନୁମାନ କରାଯାଉଛି ।