କନକ ବ୍ୟୁରୋ: କୁସ୍ତିଯୋଦ୍ଧାଙ୍କୁ ସମର୍ଥନ, କୃଷିଜାତ ଦ୍ରବ୍ୟର ନ୍ୟୁନତମ ଦାମ ପାଇଁ ଆଇନ, ଅଗ୍ନିବୀର ସ୍କିମ ହଟାଇବା ଭଳି ପ୍ରସଙ୍ଗକୁ ନେଇ ହରିଆଣାରେ କଂଗ୍ରେସ ଗୋଟି ଚାଳନା କରିଛି ।ଏହାଦ୍ବାରା କଂଗ୍ରେସ ଆଗାମୀ ବିଧାନସଭା ନିର୍ବାଚନ ଜିତିବା ନେଇ ଆଶା ରଖିଛି ।ଅକ୍ଟୋବର ନଭେମ୍ବରରେ ହୋଇପାରେ ହରିଆଣା ବିଧାନସଭା ନିର୍ବାଚନ ।
ରୋହତକ କଂଗ୍ରେସ ସାଂସଦ ଦିପେନ୍ଦ୍ରେ ହୁଡ୍ଡା ଏକ ବିଶାଳ ରୋଡ ଶେଷ କରି କୁସ୍ତିଯୋଦ୍ଧା ତଥା ପ୍ୟାରିସ ଅଲିମ୍ପିକ୍ସରେ ସମସ୍ତଙ୍କ ମନ ଜିତିଥିବା ଭିନେଶ ଫୋଗାଟଙ୍କୁ ସ୍ୱାଗତ କରିଥିଲେ । ଏହାକୁ ଏକ ସାଧାରଣ ସ୍ୱାଗତ ସମ୍ବର୍ଦ୍ଧନା କହି ଏଡାଇଯିବା ଠିକ ହେବନି । ବର୍ତ୍ତମାନର ପରିସ୍ଥିତିରେ ଭିନେଶଙ୍କୁ ସମସ୍ତେ ସମର୍ଥନ କରୁଛନ୍ତି । ରେସଲିଂ ଫେଡେରେସନର ପୂର୍ବ ସଭାପତି ତଥା ବିଜେପି ନେତା ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ଭିନେଶ, ସାକ୍ଷୀ, ବଜରଙ୍ଗ ପୁନିଆ କରୁଥିବା ଆନ୍ଦୋଳନକୁ କଂଗ୍ରେସ ଖୋଲାଖୋଲି ସମର୍ଥନ କରିଥିଲା ।
ଏହି ସମର୍ଥନ କରି କଂଗ୍ରେସ ଦେଖାଇବାକୁ ଚାହୁଁଛି ବିଜେପି ହରିଆଣା ଖେଳାଳୀଙ୍କ ପଛରେ ନାହିଁ । ଏଭଳି ଚାଲ ଖେଳି କଂଗ୍ରେସ ଜନସାଧାରଣଙ୍କ ମତକୁ ପ୍ରଭାବିତ କରିବାକୁ ଉଦ୍ୟମ କରିଛି ।
ହରିଆଣାର ୧୦ବର୍ଷ ବିଜେପି ସରକାରଙ୍କ ବିରୋଧରେ କଂଗ୍ରେସ ଗୋଟି ଚାଳନା ଆରମ୍ଭ କରିଛି । ଗତ ଲୋକସଭା ନିର୍ବାଚନରେ କଂଗ୍ରେସର ଭୋଟ ହାର ୨୮ପ୍ରତିଶତ ବୃଦ୍ଧି ପାଇ ୪୩ ପ୍ରତିଶତରେ ପହଁଚିଛି । ଶାସକ ବିଜେପିକୁ ମାତ ଦେଇ କଂଗ୍ରେସ ୫ଟି ଆସନ ହାତେଇପାରିଛି । ଏଭଳି ଫଳାଫଳକୁ ନେଇ ଉତ୍ସାହିତ ଅଛି କଂଗ୍ରେସ । ହରିଆଣା ସାଧାରଣ ଜନତାଙ୍କୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ପ୍ରସଙ୍ଗଗୁଡିକରେ ଖୋଲାଖୋଲି ଆଗେଇଛି ଦଳ ।
ଏହାମଧ୍ୟରେ କୃଷିଜାତ ଦ୍ରବ୍ୟର ନ୍ୟୁନତମ ମୂଲ୍ୟ ଅନ୍ୟତମ ପ୍ରସଙ୍ଗ ରହିଛଇ। ଏଥିପାଇଁ ସଂସଦରେ ଆଇନପ୍ରଣୟନ ଦିଗରେ କଂଗ୍ରେସ ଯଥାସମ୍ଭବ ଉଦ୍ୟମ କରୁଛି । ଗତ ଚାଷୀ ଆନ୍ଦୋଳଳ ସମୟରୁ ଏହି ଚାଷୀ ବିଜେପି ସରକାରଙ୍କ ବିରୋଧରେ ଅଛନ୍ତି । ଯାହାର ଫାଇଦା ନେବାକୁ ଚାହୁଁଛି କଂଗ୍ରେସ ।
ଏହା ସହିତ ସେନା ଭର୍ତି ପାଇଁ ଅଗ୍ନିବୀର ସ୍କିମକୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ କଂଗ୍ରେସ ନିଜ ଜିଦରେ ଅଟଳ ରହିଛି ।ବିଭିନ୍ନ ସମୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଲୋକସଭା ସମେତ ଅନ୍ୟାନ୍ୟ ମଂଚରେ ଏହି ସର୍ମ୍ପକରେ ମତ ଦେଉଛନ୍ତି । ପ୍ରତ୍ୟେକ ବର୍ଷ ସେନାରେ ହରିଆଣାରୁ ୫ହଜାରରୁ ଅଧିକ ଯୁବକ ଯୋଗ ଦିଅନ୍ତି । ମାତ୍ର ଏବର୍ଷ ଏହାକୁ ୯ଶହକୁ ଖସିଆସିଛି । ଯାହାକି କଂଗ୍ରେସର ଅଗ୍ନିବୀର ବିରୋଧୀ ବାର୍ତ୍ତାକୁ ବଳ ଯୋଗାଇଛି ।
ଗତ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଦୁଇଥର ମୁଖ୍ୟମନ୍ତ୍ରୀ ମନୋଲାଲ ଖଟ୍ଟରଙ୍କୁ ବଦଳାଇଥିଲା ମାତ୍ର ଲୋକସଭା ନିର୍ବାଚନକୁ ନିଜ ସପକ୍ଷରେ ନେବାକୁ ବିଜେପି ବିଫଳ ହେଲା । ଲୋକସଭାର ଅଧା ଆସନ କଂଗ୍ରେସ ଜିତିଥିଲା । ଏହାପରଠୁ ବିଜେପି ବ୍ୟାକଫୁରେ ରହିଛି । ମାତ୍ର ବହୁ ଗୋଷ୍ଠୀରେ ବିଭକ୍ତ କଂଗ୍ରେସ ଉପରୋକ୍ତ ସମସ୍ତ ଗୋଟି ଚାଳନାରେ ସଫଳ ହେବା ନା ନାହିଁ ତାହା ଅକ୍ଟୋବର ୪ରେ ଜଣାପଡିବ ।