କନକ ବ୍ୟୁରୋ: ଉପ-ନିର୍ବାଚନ ବିଗୁଲ୍ ବାଜିବା ପରେ ଝାରସୁଗୁଡ଼ା ଲଢ଼େଇ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ରାଜନୈତିକ ଦଳ । ଶାସକ ବିଜେଡି ଦଳ ପକ୍ଷରୁ ନବ ଦାସଙ୍କ ଝିଅ ଦୀପାଳି ଦାସ ଝାରସୁଗଡ଼ାରେ କରିଛନ୍ତି ଶକ୍ତି ପ୍ରଦର୍ଶନ । ରାମନବମୀ ଅବସରରେ ମନମୋହନ ସ୍କୁଲ ଅଞ୍ଚଳରୁ ବାହାରିଛି ବିଶାଳ ରାଲି । ଏପଟେ ବିଜେପି ନେତା ଟଙ୍କଧର ତ୍ରିପାଠୀ ମଧ୍ୟ ରାଜ୍ୟର ଆଇନ ଶୃଙ୍ଖଳା ନେଇ ଶାସକ ଦଳକୁ ଘେରିଛନ୍ତି ।

Advertisment

ରାଜନୀତିର ଏହି ବୟାନବାଜୀ ଭିତରେ ପ୍ରଶ୍ନ ହେଉଛି- କାହିଁକି ଗୁରୁତ୍ୱ ରଖୁଛି ଝାରସୁଗୁଡ଼ା ଉପ-ନିର୍ବାଚନ? ୨୦୨୪ ଲଢ଼େଇ ପାଇଁ ଝାରସୁଗୁଡ଼ାରୁ ଆସିବ କେଉଁ ବାର୍ତ୍ତା? ଝାରସୁୁଗୁଡ଼ା ଉପ-ନିର୍ବାଚନ ଏଥିପାଇଁ ଗୁରୁତ୍ୱ ରଖୁଛି କାରଣ, ସାଧାରଣ ନିର୍ବାଚନ ପୂର୍ବରୁ ହୁଏତ, ଏହା ଶେଷ ନିର୍ବାଚନ ହେବାକୁ ଯାଉଛି । ୨୪ର ଫାଇନାଲ ଲଢ଼େଇ ପୂର୍ବରୁ ଉପ-ନିର୍ବାଚନର ସେମିଫାଇନାଲ ଲଢ଼େଇରେ ବାଜି ମାରି ସାଧାରଣ ନିର୍ବାଚନ ପୂର୍ବରୁ ତିନି ପ୍ରମୁଖ ଦଳ ଏକ ବଡ଼ ବାର୍ତା ଦେବାକୁ ଉଦ୍ୟମ କରିବେ । ଏପଟେ ଯେଉଁ ହତ୍ୟାକାଣ୍ଡ ପାଇଁ ଝାରସୁଗୁଡ଼ା ଏକ ଉପ-ନିର୍ବାଚନ ସାମ୍ନା କରିବାକୁ ଯାଉଛି, ସେହି ନବ ଦାସଙ୍କ ହତ୍ୟା ଘଟଣାକୁ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସହ ଯୋଡ଼ି ହେଇଛନ୍ତି ବିରୋଧୀ ।

ଏସବୁ ଭିତରେ କିନ୍ତୁ ପରିସଂଖ୍ୟାନ କହୁଛି, ଝାରସୁଗୁଡ଼ାରେ ବିଜେଡିର ପଲ୍ଲା ଭାରି । ୨୦୧୯ ବିଧାନସଭା ନିର୍ବାଚନରେ ଝାରସୁଗୁଡ଼ାରୁ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ ନବ କିଶୋର ଦାସ । ବିଜେପିର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଦିନେଶ କୁମାର ଜୈନଙ୍କୁ ୪୫, ୬୯୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ । କେବଳ ବିଧାନସଭା ନୁହେଁ ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ବି ବାଜିମାତ୍ କରିଥିଲା ବିଜେଡି । ୫ରୁ ୫ ଜିଲ୍ଲା ପରିଷଦକୁ ପୋଛି ନେଇଥିଲା ବିଜେଡି । ସାମନ ପରିଣାମ ଦେଖିବାକୁ ମିଳିଥିଲା ଜିଲ୍ଲାର ଏକମାତ୍ର ଝାରସୁଗୁଡ଼ା ମୁନିସିପାଲଟିରେ । ୨୪ଟି ୱାର୍ଡରୁ ୨୧ଟି ଆସନ ବିଜେଡି ପାଇଥିଲା ବେଳେ ବିଜେପିକୁ ମିଳିଥିଲା ମାତ୍ର ୩ଟି ଆସନ ।

୨୦୧୯ ବିଧାନସଭା ଫଳାଫଳ
ପ୍ରାର୍ଥୀ                              ଦଳ                         ଭୋଟ                   ଫଳାଫଳ
ନବ କିଶୋର ଦାସ             ବିଜେଡି                    ୯୮,୬୨୦              ବିଜୟୀ
ଦିନେଶ କୁମାର ଜୈନ         ବିଜେପି                     ୫୨,୯୨୧             ପରାଜିତ
ମହେନ୍ଦ୍ର ନାୟକ                 କଂଗ୍ରେସ                    ୧୮,୮୨୩             ପରାଜିତ
---
ଜିଲ୍ଲା ପରିଷଦ
ଲଇକେରା (୨ଟି)          ବିଜେଡି
ଝାରସୁଗୁଡ଼ା                  ବିଜେଡି
କିରମିରା                     ବିଜେଡି
କୁଲାବିରା                    ବିଜେଡି

ପୌର ପରିଷଦ (ଝାରସୁଗୁଡ଼ା)
ବିଜେଡି            ୨୧ ଆସନ
ବିଜେପି            ୦୩ ଆସନ
କଂଗ୍ରେସ           ୦୦

୨୦୧୯ରୁ ୨୦୨୩ ମଧ୍ୟରେ ୭ଟି ଉପନିର୍ବାଚନ ଦେଖିଛି ଓଡ଼ିଶା । ଯେଉଁଥିରୁ ବିଜେଡି ୬ଟି ଏବଂ ଧାମନଗରରେ ଏକମାତ୍ର ଉପ-ନିର୍ବାଚନ ଜିିତିଛି ବିଜେପି । ଆଉ ଏହି ଧାମନଗର ହିଁ ବିଜେଡିର ଜୟଯାତ୍ରାରେ ବ୍ରେକ୍ ଲଗାଇଥିଲା । ତେଣୁ ଝାରସୁଗୁଡ଼ା ଉପ-ନିର୍ବାଚନ ନିଷ୍ପତି ନେବ, ବିଜେପିର ଯାତ୍ରା ଆଗକୁ କେମିତି ରହିବ ।