କନକ ବ୍ୟୁରୋ : ସ୍ତ୍ରୀକୁ ହତ୍ୟା ପାଇଁ ସ୍ୱାମୀ ଦେଇଥିଲା ସୁପାରୀ । ପୋଲିସ ଆଗରେ ସତ ମାନିଲା ଅଭିଯୁକ୍ତ ସ୍ୱାମୀ । ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଛି ପୋଲିସ । ଏପରି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ସହର କାଶୀପୁର ଅଞ୍ଚଳରୁ । ସ୍ତ୍ରୀ ସୁନୀତା ଘଣା ଓ ସ୍ୱାମୀ ସୁରେଶ ପରିଡ଼ାଙ୍କ ମଧ୍ୟରେ ଦିନକୁ ଦିନ ତିକ୍ତତା ବଢିଥିଲା ।
ଦୁଇ ଜଣଙ୍କ ମଧ୍ୟରେ ତିକ୍ତତା ଏତେ ବଢିଯାଇଥିଲା ଯେ, ସ୍ତ୍ରୀ ସୁନୀତାକୁ ହତ୍ୟା ପାଇଁ ଯୋଜନା କରିଥିଲା ସ୍ୱାମୀ ସୁରେଶ । କାଶୀପୁରରେ ରହୁଥିବା ଭଡ଼ା ଘରୁ ସ୍ୱାମୀ ଓ ସ୍ତ୍ରୀ ଖଣ୍ଡାଧାର ଜଳପ୍ରପାତ ବୁଲିବାକୁ ଯାଇଥିଲେ । ସେଠାରୁ ଫେରିବା ବେଳେ କେନ୍ଦୁଝର ରାସ୍ତାରେ ନଯାଇ ବସନ୍ତପୁର ରାସ୍ତାର ଅଣ୍ଡିଆମାରା ନଦୀ ପାଖକୁ ଯାଇଥିଲେ । ସେଠାରୁ ଶୌଚ ଯିବାକୁ କହି ସ୍ତ୍ରୀକୁ ଛାଡି ପଳାଇଥିଲେ ସୁରେଶ ।
ପୂର୍ବରୁ ସେଠାରେ ଲୁଚି ରହିଥିବା ୨ରୁ ୩ ଜଣ ଲୋକ ସୁନୀତାଙ୍କୁ ଆକ୍ରମଣ କରିବା ସହ ବେକରେ ରଶି ଲଗାଇ ହତ୍ୟା କରିଥିଲେ । ସୁନୀତାଙ୍କ ମୃତ୍ୟୁ ହେବା ପରେ ତାଙ୍କ ମୃତଦେହକୁ ନଦୀକୁ ଫିଙ୍ଗି ଦେଇଥିଲେ । ଏହା ପରେ ସୁରେଶ ସୁପାରୀ କିଲରଙ୍କୁ ୩ ଲକ୍ଷ ଟଙ୍କାର ସୁପାରୀ ଦେଇଥିବା ଜଣାପଡ଼ିଛି । ଘଟଣା ଜଣାପଡ଼ିବା ପରେ ସୁରେଶଙ୍କୁ ପଚରାଉଚରା କରିବା ପରେ ସେ ପୋଲିସ ଆଗରେ ସବୁ ସତକଥା ମାନିଥିଲା । ଏହା ପରେ ସୁରେଶକୁ ଘଟଣାସ୍ଥଳକୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରିଛି ସଦର ଥାନା ପୋଲିସ ।
- ସୁନ୍ଦରଗଡ଼ କୋଇଡା ଥାନା ସାରକୁଣ୍ଡା ଗାଁରେ ସୁନୀତା ଘଣାଙ୍କ ଘର
- ୫ ବର୍ଷ ତଳେ ପୋଡାସିମିଳା ଗାଁରୁ ସୁରେଶଙ୍କୁ ପ୍ରେମ ବିବାହ କରିଥିଲେ
- ସୁନୀତାଙ୍କ ବିବାହ ପୂର୍ବରୁ ସୁରେଶ ଅନ୍ୟ ଜଣଙ୍କୁ ବିବାହ କରିଥିବା ସୂଚନା
- ପ୍ରଥମ ପତ୍ନୀଙ୍କଠାରୁ ସୁରେଶଙ୍କ ଗୋଟିଏ ଝିଅ ଓ ପୁଅ ରହିଛନ୍ତି
- ସୁନୀତାଙ୍କୁ ବିବାହ ପରେ ଦୁଇ ଜଣଙ୍କ ମଧ୍ୟ ଅନେକ ସମୟରେ ଝଗଡ଼ା ହେଉଥିଲା
- ଫଳରେ ସୁନୀତାଙ୍କୁ ହଟାଇବାକୁ ଯୋଜନା କରିଥିଲା ସୁରେଶ
- ଗତ ୨୦ ତାରିଖରେ ମଲଦା ନଦୀରୁ ସୁନୀତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା
- ସୁନୀତାଙ୍କ ଭାଇ ଓ ମାଆ ମୃତଦେହ ଚିହ୍ନଟ କରିଥିଲେ
- ସୁରେଶ ହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା
- ସୁରେଶକୁ ପଚରାଉଚରା ପରେ ପୋଲିସ ଆଗରେ ସତ କଥା ମାନିଥିଲା