କ୍ରିକେଟପ୍ରେମୀଙ୍କ ପାଇଁ ଖୁସିଖବର : ଟି-୨୦ ବିଶ୍ୱକପ ପରେ ଆଇପିଏଲ ପାଇଁ ବାଜିପାରେ ବିଗୁଲ, ଜାଣନ୍ତୁ କେବେ ହୋଇପାରେ ନିଲାମୀ?

165

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ପାଇଁ ଆଉ ଦିନ କେଇଟା ବାକି ଅଛି । ଟି-୨୦ ବିଶ୍ୱକପ ପାଇଁ ବିଭିନ୍ନ ଦେଶ ନିଜର ଦଳ ଘୋଷଣା କରି ସାରିଲେଣି । ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ମଧ୍ୟ ଜୋରଦାର ପ୍ରସ୍ତୁତି ଜାରି ରଖିଛି । ଆଉ ଏସବୁ ଭିତରେ କ୍ରିକେଟପ୍ରେମୀଙ୍କ ପାଇଁ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ଟି-୨୦ ଫର୍ମାଟରେ ବେଶ ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ ପାଲଟିଥିବା ଆଇପିଏଲକୁ ନେଇ ଆସିଛି ବଡ ଖବର । ଟି-୨୦ ବିଶ୍ୱକପ ପରେ ଅଥାର୍ତ ଆସନ୍ତା ଡିସେମ୍ବର ମାସରେ ଆଇପିଏଲ ୨୦୨୩ ପାଇଁ ନିଲାମୀ ହୋଇପାରେ । ଗତଥର ଭଳି ମେଗାନିଲାମୀ ନୁହେଁ ଛୋଟ ନିଲାମୀ ହେବ । ତେବେ ନିଲାମୀ କେଉଁଠି ହେବ ତାହାର ଭେନ୍ୟୁ ଏଯାଏଁ ସ୍ଥିର ହୋଇନାହିଁ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଡିସେମ୍ବର ମାସର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ବିସିସିଆଇ ଆଇପିଏଲ-୨୦୨୩ ପାଇଁ ମିନି ନିଲାମୀ କରିପାରେ । ଖାସକରି ଡିସେମ୍ବର ୧୬ରେ ଏହି ନିଲାମୀ ହୋଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ୨୦୨୨ରେ ଆଇପିଏଲର ମେଗା ନିଲାମୀ ହୋଇଥିଲା କିନ୍ତୁ ଚଳିତଥର ମିନି ନିଲାମୀ ହେବ । ନିଲାମୀ ପାଇଁ ପ୍ରତି ଟିମ ପାଖରେ ୯୫ କୋଟି ଟଙ୍କା ରହିବ । ଯଦି କୌଣସି ଖେଳାଳୀ ଦଳ ଛାଡି ଯାଇଥାନ୍ତି ତେବେ ସେହି ହିସାବରେ ଦଳର ପର୍ସ ମୂଲ୍ୟ ବୃଦ୍ଧି ପାଇବ । ଗତବର୍ଷ ତୁଳନାରେ ଚଳିତବର୍ଷ ଟିମର ପର୍ସରେ ୫ କୋଟି ଟଙ୍କା ଅଧିକ ଦିଆଯାଇଛି । ତେଣୁ କେଉଁ ଦଳ କିଭଳି ଟଙ୍କା ଖର୍ଚ୍ଚ କରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ଚଳିତବର୍ଷ ନିଲାମୀରେ ଅନେକ ନୂଆ ଖେଳାଳୀଙ୍କ ଉପରେ ବିଭିନ୍ନ ଫ୍ରାଞ୍ଚାଇଜର ନଜର ରହିଛି । ସେହିଭଳି କିଛି ପୁରୁଣା ଖେଳାଳୀ ଦଳ ଛାଡିବା ନେଇ ସଂକେତ ମିଳିଥିବାରୁ ସେମାନଙ୍କ ଉପରେ ମଧ୍ୟ ଫ୍ରାଞ୍ଚାଇଜ ଟଙ୍କା ବର୍ଷା କରିପାରନ୍ତି । ଯେଉଁମାନଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା, ଶୁଭମାନ ଗିଲଙ୍କ ଭଳି ଖେଳାଳୀଙ୍କ ନାଁ ସାମ୍ନାକୁ ଆସୁଛି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପୂର୍ବରୁ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ପୂର୍ବଭଳି ଆଇପିଏଲ ଭଳି ଆଇପିଏଲ ୨୦୨୩ ଖେଳାଯିବ ନାହିଁ । ଚଳିତବର୍ଷ ଆଇପିଏଲ ଭାରତରେ ହିଁ ଖେଳାଯିବ ଓ ନିଜର ହୋମଗ୍ରାଉଣ୍ଡରେ ମଧ୍ୟ ଖେଳିପାରିବେ ଦଳ ।

ଆସନ୍ତା ଆଇପିଏଲ ଅନେକ ଦୃଷ୍ଟିରୁ ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି । ଏହା ମହେନ୍ଦ୍ର ସିଂ ଧୋନୀଙ୍କର ଶେଷ ଆଇପିଏଲ ହୋଇପାରେ । ଏହାଛଡା ୨୦୨୩ରେ ମହିଳା ଆଇପିଏଲ ପାଇଁ ମଧ୍ୟ ବିଗୁଲ ବାଜିପାରେ । ଆଗକୁ ବ୍ୟସ୍ତ କାର୍ଯ୍ୟସୂଚୀ ଥିବାରୁ ବିସିସିଆଇ ଏବେଠୁ ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।