ଓଡ଼ିଶା ପାଇଁ ଆଶ୍ୱସ୍ତିର ସଙ୍କେତ । ୬ମାସ ପରେ ରାଜ୍ୟରେ ପ୍ରଥମ ଥର ପାଇଁ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ଶୂନ ।

317

କନକ ବ୍ୟୁରୋ : ଓଡିଶା ପାଇଁ ଆଶ୍ୱସ୍ତିର ସଙ୍କେତ । ଗତ ୨୪ ଘଣ୍ଟାରେ କୋଭିଡ୍ ମୃତ୍ୟୁ ସଂଖ୍ୟା ଶୂନ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କରାଯାଇଥିବା ଏହି ଟ୍ୱିଟ୍ ହିଁ ଆଣିଛି ଆଶ୍ୱସ୍ତିର ବାର୍ତ୍ତା । ଗତ ୬ ମାସରୁ ଅଧିକ ସମୟ ମଧ୍ୟରେ ଜାନୁଆରୀ ୫ ତାରିଖରେ ରାଜ୍ୟରେ ଜଣଙ୍କର ବି କରୋନାଜନିତ ମୃତ୍ୟୁ ହୋଇନାହିଁ । କରୋନା ଯୋଦ୍ଧାଙ୍କ ଅବିଶ୍ରାନ୍ତ ଉଦ୍ୟମ ଏହି ସଫଳତା ଆଣିଛି ।

୨୦୨୦ ମସିହା ଏପ୍ରିଲ ୬ ତାରିଖରେ ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ ଘଟିଥିଲା । ୭୨ ବର୍ଷୀୟ ବୃଦ୍ଧ ଜଣକ ଶ୍ୱାସକ୍ରିୟାରେ ଅସୁବିଧା ଯୋଗୁଁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ ଏବଂ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ୧ ହଜାର ୮୮୭ ଜଣଙ୍କର ମୃତ୍ୟୁ ପରେ ଏବେ ଏଥିରେ ବିରାମ ଲାଗିଛି । ସବୁଠାରୁ ବଡ କଥା ହେଉଛି, ଆଗକୁ ଟିକା ବି ଆସୁଛି ।

ଦେଶରେ କମୁଛି ବିଦେଶରେ ବଢୁଛି । ବ୍ରିଟେନରେ ସାଂଘାତିକ ପରିସ୍ଥିତି । ଧିରେ ଧିରେ ଅଧିକ ଜଟିଳ ହେଉଛି ବ୍ରିଟେନର ସ୍ଥିତି । ଗତ ୨୪ ଘଂଟାରେ ୫୭ ହଜାର ଲୋକଙ୍କଠାରେ କରୋନା ଚିହ୍ନଟ ହେବା ପରେ ବ୍ରିଟେନ ସରକାର ଦୋହଲି ଯାଇଛନ୍ତି । କରୋନାର ନୂଆ ଷ୍ଟ୍ରେନ୍ ମାଡି ଚାଲିଛି । ଫଳରେ ସାରା ଦେଶରେ ହସ୍ପିଟାଲ ଗୁଡିକ ଭର୍ତି ହୋଇଗଲାଣି । ଅନେକ ସ୍ଥାନରେ ନୂଆ ରୋଗୀଙ୍କ ପାଇଁ ଜାଗା ନାହିଁ । ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ କହିଛନ୍ତି, ମହାମାରୀ ବ୍ୟାପିବା ପରଠାରୁ ହସ୍ପିଟାଲ ଗୁଡିକ ଉପରେ ଏତେ ଚାପ ପଡିନଥିଲା ।

ଡିସେମ୍ବର ୧ରେ ଇଂଲଣ୍ଡରେ ଚିହ୍ନଟ ହେଉଥିବା କରୋନା ରୋଗୀଙ୍କ ସଂଖ୍ୟା ଭାରତର ଅଧା ଥିଲା । କିନ୍ତୁ ଡିସେମ୍ବର ଶେଷ ବେଳକୁ ଭାରତର ଦୈନିକ ଆକ୍ରାନ୍ତ ସଂଖ୍ୟାଠାରୁ ଇଂଲଣ୍ଡର ସଂଖ୍ୟା ତିନିଗୁଣ ହୋଇଯାଇଛି । ସେପଟେ ଜାନୁଆରୀ ୧ ସୁଦ୍ଧା ବ୍ରିଟେନରେ ୧୦ ଲକ୍ଷ ଲୋକଙ୍କୁ ଫାଇଜର ଟିକା ପ୍ରଦାନ କରାଯାଇସାରିଛି ।