ହେବ କି ମନ୍ତ୍ରୀ ମଣ୍ଡଳର ଅଦଳବଦଳ ? ୬ ଜଣ ମନ୍ତ୍ରୀଙ୍କୁ ଦଳୀୟ ପଦବୀ ଦିଆଯିବା ପରେ ପାୱାର କରିଡରରେ ବଢ଼ିଲା ଚର୍ଚ୍ଚା, ମୁହଁ ଖୋଲୁନାହାନ୍ତି ବିଜେଡି ନେତା । ମନ୍ତ୍ରୀଙ୍କ ମନରେ ଛନକା, ଦ୍ୱନ୍ଦ୍ୱରେ ଆଶାୟୀ ।

771

କନକ ବ୍ୟୁରୋ : ବିଜେଡି ସାଂଗଠନିକ ପୁନର୍ଗଠନ ପରେ ମନ୍ତ୍ରୀମଣ୍ଡଳରେ କିଛି ଅଦଳବଦଳ ହେବା ନେଇ ଜୋର ଧରିଛି ଚର୍ଚ୍ଚା । କେହି ମୁହଁ ଖୋଲୁନଥିଲେ ମଧ୍ୟ ମନ୍ତ୍ରୀମାନଙ୍କୁ ସଂଗଠନ ଦାୟିତ୍ୱ ଦିଆଯିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ଯେଉଁ ନେତା ମନ୍ତ୍ରୀ ପଦ ପାଇଁ ଆଶା ବାନ୍ଧିଥିଲେ, ଦଳୀୟ ପଦବୀ ପାଇବା ପରେ ସେମାନଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି । ହେଲେ ସମସ୍ତେ ଚୁପ୍ ।

ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ବଢୁଛି ଚର୍ଚ୍ଚା । ବିଜେଡି ସାଂଗଠନିକ ପୁନର୍ଗଠନ ପରେ କଳ୍ପନାଜଳ୍ପନା । ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ୮ ଜଣ ବରିଷ୍ଠ ଉପସଭାପତି, ୯ ଜଣ ଉପସଭାପତି ଏବଂ ୧୫ ଜଣ ବରିଷ୍ଠ ସାଧାରଣ ସଂପାଦକ । ଏହିପରି ଭାବେ ଦଳର ୩୨ ଜଣ ବରିଷ୍ଠ ନେତାଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ଦିଆଯାଇଛି । ଏହାରି ଭିତରେ ସବୁଠୁ ବଡ଼ କଥା ହେଉଛି, ୬ ଜଣ ମନ୍ତ୍ରୀଙ୍କୁ ଦଳୀୟ ପଦାଧିକାରୀ କରାଯାଇଛି ।

ମନ୍ତ୍ରୀ ପଦରେ ଥିବା ବିକ୍ରଖ ଆରୁଖ, ପଦ୍ମନାଭ ବେହେରାଙ୍କୁ ଦଳର ଉପସଭାପତି କରାଯାଇଛି । ସେହିପରି ମନ୍ତ୍ରୀ ପଦରେ ଥିବା ନବକିଶୋର ଦାସ, ଅରୁଣ ସାହୁ, ପ୍ରତାପ ଜେନା ଏବଂ ଅଶୋକ ପଣ୍ଡାଙ୍କୁ ଦଳର ବରିଷ୍ଠ ସାଧାରଣ ସଂପାଦକ ଦାୟିତ୍ୱ ଦିଆଯାଇଛି । ମନ୍ତ୍ରୀପଦରେ ରହିଥିବା ନେତାମାନଙ୍କୁ ଦଳୀୟ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯିବା ପରେ ମନ୍ତ୍ରିମଣ୍ଡଳରେ ଅଦଳବଦଳକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମନ୍ତ୍ରୀ ପଦରେ ଥିବା ନେତାମାନଙ୍କ ମନରେ ଏହାକୁ ନେଇ ଛନକା ପଶିଛି ।

ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏନେଇ ମୁହଁ ଖୋଲୁନାହାନ୍ତି ବିଜେଡି ନେତା । କେବଳ ଯେଉଁ ମନ୍ତ୍ରୀମାନେ ସାଂଗଠନିକ ଦାୟିତ୍ୱ ପାଇଛନ୍ତି, ସେମାନେ ଯେ ନିରବ ରହିଛନ୍ତି ତାହା ନୁହେଁ, ଯେଉଁମାନେ ସାଂଗଠନିକ ଦାୟିତ୍ୱ ପାଇନାହାନ୍ତି, ସେମାନେ ବି ଏବେ ଚୁପ୍ । ନିଜ ବିଭାଗ ସଂପର୍କରେ ବି ସେମାନେ ଗଣମାଧ୍ୟମ ଆଗରେ ମତ ରଖୁନାହାନ୍ତି । କରୋନା କାଳରେ ସ୍କୁଲରେ ପାଠପଢ଼ା କିପରି ଚାଲିବ, ମାଟ୍ରିକ ଓ ପ୍ଲସ-ଟୁ ରେଜଲ୍ଟ କେବେ ବାହାରିବ, ଏନେଇ ମୁହଁ ଖୋଲୁନାହାନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ଦରଦାମ ହୁ ହୁ ହୋଇ ବଢ଼ୁଥିବା ବେଳେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ନିରବ । ଏପଟେ ଯେଉଁ ନେତା ମନ୍ତ୍ରୀ ପଦ ପାଇଁ ଆଶା ବାନ୍ଧିଥିଲେ, ଦଳୀୟ ପଦବୀ ପାଇବା ପରେ ସେମାନଙ୍କ ସ୍ୱପ୍ନ ଭଙ୍ଗ ହେବା ଭଳି ଲାଗୁଛି ।

ଦଳର ସାଂଗଠନିକ ଢାଂଚାରେ ପରିବର୍ତ୍ତନ କରି ପ୍ରଥମ ଥର ପାଇଁ ବରିଷ୍ଠ ଉପସଭାପତି ଓ ବରିଷ୍ଠ ସାଧାରଣ ସଂପାଦକ ପଦ ନୂଆ କରି ସୃଷ୍ଟି କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ପ୍ରାୟ ଅଧିକାଂଶ ବରିଷ୍ଠ ନେତାଙ୍କୁ ଦଳୀୟ ପଦବୀ ଦେଇ ଥଇଥାନ କରାଯାଇଛି । ତେବେ ଏହା ମନ୍ତ୍ରିମଣ୍ଡଳର ଅଦଳବଦଳ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।