ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ନେଇ ଚିନ୍ତାବ୍ୟକ୍ତ କଲେ ରାଷ୍ଟ୍ରପତି : ରାମନାଥ କୋବିନ୍ଦଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଲେ ମୋଦୀ

ସେପଟେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ସାରା ଦେଶରେ ବିଜେପି ପକ୍ଷରୁ ମହାମୃତ୍ୟୁଂଜୟ ଜପ

589

କନକ ବ୍ୟୁରୋ : ପଂଜାବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ନେଇ ରାଷ୍ଟ୍ରପତି ଚିନ୍ତା ପ୍ରକଟ କରିଛନ୍ତି । ଗତକାଲି ପଂଜାବରେ ଏହି ଘଟଣା ଘଟିଥିଲା । ଏ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତି ଭବନରେ ଏହି ସାକ୍ଷାତ ହୋଇଛି । ପ୍ରଧାନମନ୍ତ୍ରୀ ଗତକାଲିର ଘଟଣା ନେଇ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛନ୍ତି । ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଘଟଣା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିସାରିଛନ୍ତି । ଟ୍ୱିଟ କରି ଉପରାଷ୍ଟ୍ରପତି ଏହି ସୂଚନା ଦେଇଛନ୍ତି ।

ଏଭିଳି ଘଟଣାରେ ଯେଭଳି ପୁନରାବୃତି ନ ହୁଏ ସେ ନେଇ ଥିବା ପ୍ରୋଟକଲକୁ କଡାକଡି କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ପଞ୍ଜାବ ଗସ୍ତରେ ଯାଇଥିଲେ । ସଡର ପଥରେ ଯାଉଥିବା ସମୟରେ କିଛି ପ୍ରଦର୍ଶନକାରୀ ତାଙ୍କ ରାସ୍ତାକୁ ଅଟକାଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ପ୍ରାୟ ୨୦ ମିନିଟ ଅଟକିଥିଲା । ଏହା ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷାରେ କଡା ତ୍ରୁଟି ବୋଲି କୁହାଯାଉଛି । ବିଜେପି ଅଭିଯୋଗ ଆଣିଛି, ପଂଜାବ ପୁଲିସ ପ୍ରଦର୍ଶନକାରୀଙ୍କୁ ମୋଦିଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଥିଲା । କଂଗ୍ରେସ ଏହାର ପାଲଟା ଜବାବରେ ରହିଛି, ପ୍ରଧାନମନ୍ତ୍ରୀଙ୍କ ରାଲିରେ ଲୋକ ନହେବାରୁ ମୋଦୀ ଏଭଳି ନାଟକ କରିଛନ୍ତି ।

ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା ସୁପ୍ରିମକୋର୍ଟରେ ପଂହଚିଛି । ଏ ନେଇ ବରିଷ୍ଠ ଆଇନଜୀବୀ ମନିନ୍ଦିର ସିଂ ସର୍ବୋଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ଦାଖଲ କରିଛନ୍ତି । ଆବେଦନରେ କୁହାଯାଇଛି, ସୁରକ୍ଷାରେ ଏଭଳି ତ୍ରୁଟି ଗ୍ରହଣ ଯୋଗ୍ୟ ନୁହେଁ । ଏଥିପାଇଁ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଉ । ପଂଜାବ ସରକାରଙ୍କୁ ବି ଉଚିତ ନିର୍ଦ୍ଦେଶ ଦିଆଯାଉ । ଆସନ୍ତାକାଲି ଏହାର ଶୁଣାଣି ହୋଇପାରେ । ଗତକାଲି ଏହି ଘଟଣାକୁ ନେଇ ପଞ୍ଜାବ ସରକାର ଓ ବିଜେପି ମୁହାଁମୁହିଁ ହୋଇଥିଲେ ।

ସେପଟେ ଘଟଣା ପରେ ଆକ୍ସନରେ ଆସିଛନ୍ତି ପଞ୍ଜାବର ଚନ୍ନି ସରକାର । ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ପଂଜାବ ସରକାର । ୩ ଦିନ ଭିତରେ କମିଟି ତାର ରିପୋର୍ଟ ଦେବ । ଗତକାଲି ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଗମ୍ଭୀର ତ୍ରୁଟି ଦେଖାଦେଇଥିଲା । ମୋଦୀଙ୍କ ଗାଡି ଫ୍ଲାଇଓଭରରେ ପ୍ରାୟ ୨୦ ମିନିଟ ଅଟକିଯାଇଥିଲା । ପ୍ରଧାନମନ୍ତ୍ରୀ ଏହି ଘଟଣାକୁ ନିଜ ଜୀବନ ପ୍ରତି ବିପଦ ଦର୍ଶାଇଥିଲେ । ପ୍ଲାଇଓଭରରେ ଅଟକିବା ପରେ ବିନା ରାଲି କରି ଦିଲ୍ଲୀ ଫେରିଆସିଥିଲେ ପ୍ରଧାନମନ୍ତ୍ରୀ । ବିଜେପି ନେତା ଏହି ଘଟଣା ପାଇଁ ପଂଜାବର ଚନ୍ନି ସରକାରଙ୍କୁ ଦାୟୀ କରିଥିଲେ ।

ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଘଟଣା ନେଇ ୫ଟି ପ୍ରଶ୍ନ ଉଠୁଛି, ପ୍ରଥମ କଥା ହେଲ, ପ୍ରଧାନମନ୍ତ୍ରୀଙ୍କ ରୁଟକୁ କିଏ ଗ୍ରୀନ ସିଗନାଲ ଦେଇଥିଲା । ପ୍ରଧାନମନ୍ତ୍ରୀ ଗାଡି ଫସିବା ପରେ ସ୍ଥାନୀୟ ଅଂଚଳକୁ କାହିଁକି ତତକାଳ ଖାଲି କରାଗଲା ନାହିଁ । ଏମରଜେନ୍ସି ରୁଟ ନେଇ ପୁଲିସର କି ପ୍ଲାନ ଥିଲା । ପ୍ରଦର୍ଶନକାରୀଙ୍କୁ କିଭଳି ମିଳିଥିଲା ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଅପଡେଟ୍ । ମୋଦିଙ୍କୁ ସ୍ୱାଗତ କରିବାକୁ ପଂଜାବର ଡିଜିପି ଓ ମୁଖ୍ୟଶାସନ ସଚିବ କାହିଁକି ଯାଇନଥିଲେ ।

ଗତକାଲିର ଘଟଣା ପରେ ମୋଦୀଙ୍କ ଦୀର୍ଘାୟୁ କାମନା କରି ସାରା ଦେଶରେ ପୂଜାର୍ଚ୍ଚନା କରିଛନ୍ତି ବିଜେପି କର୍ମୀ । ଦିଲ୍ଲୀରେ ବିଜେପି କର୍ମୀମାନେ ପୂଜାର୍ଚ୍ଚନା କରିଥବାବେଳେ ମଧ୍ୟପ୍ରଦେଶରେ ମହାମୃତ୍ୟୁଞ୍ଜୟ ଜପ କରାଯାଇଛି । ଭୋପାଳରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପରେ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହ୍ୱାନ ଓ ଦଳର ନେତାମାନେ ସାମିଲ ହୋଇଥିଲେ ।