ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଚେତିଲା ଏସବିଆଇ । ଇଲେକ୍ଟୋରାଲ ବଣ୍ଡ ନମ୍ବର ସମେତ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କଲା ସମସ୍ତ ତଥ୍ୟ

158

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ଆଜି ଏକ ସତ୍ୟପାଠ ଦାଖଲ କରି କହିଛି କି, ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରିଛି । ନିର୍ବାଚନ ଆୟୋଗଙ୍କୁ ଦାନଦାତା ଓ ଲାଭାର୍ଥୀଙ୍କ ପକ୍ଷର ବଣ୍ଡ ନମ୍ବର ପ୍ରଦାନ କରାଯାଇଛି । ଏସବିଆଇର ଚେୟାରମ୍ୟାନ ଦିନେଶ ଖାରା ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ , ନିର୍ବାଚନ ଆୟୋଗଙ୍କ ନିକଟରେ ଇଲେକ୍ଟୋରାଲ ବଣ୍ଡ କିଣିଥିବା କମ୍ପାନୀର ନାମ, ମୁଲ୍ୟବର୍ଗ ଓ ଇଲେକ୍ଟୋରାଲ ବଣ୍ଡର ବିଶିଷ୍ଠ ସଂଖ୍ୟା ପ୍ରଦାନ କରାଯାଇଛି । ଏହାସହ ଇଲେକ୍ଟୋରାଲ ବଣ୍ଡ ପାଇଥିବା ରାଜନୈତିକ ପାର୍ଟିଙ୍କ ନାମ ଓ ପାର୍ଟିମାନଙ୍କର ବ୍ୟାଙ୍କ ଆକାଉଣ୍ଟର ଶେଷ ୪ଟି ନମ୍ବର ପ୍ରଦାନ କରାଯାଇଛି । ଏହାବ୍ୟତୀତ ନିର୍ବାଚନୀ ବଣ୍ଡ ନେଇ ଅନ୍ୟ କିଛି ତଥ୍ୟ ବ୍ୟାଙ୍କ ପାଖରେ ନଥିବା କଥା ବ୍ୟାଙ୍କ ତରଫରୁ କୋର୍ଟଙ୍କୁ ସୂଚିତ କରାଯାଇଛି ।

ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ନିର୍ବାଚନୀ ବଣ୍ଡକୁ ନେଇ ସମସ୍ତ ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଛି । ଏହା ଚାନ୍ଦା ପ୍ରଦାନକାରୀ ଓ ଚାନ୍ଦା ପାଇଥିବା ରାଜନୈତିକ ଦଳମାନଙ୍କର ତଥ୍ୟ ବାହାର କରିବାରେ ସହାୟକ ହେବ ।

ମାର୍ଚ୍ଚ ୧୮ ତାରିଖରେ ସୁପ୍ରିମକୋର୍ଟ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆକୁ କହିଥିଲେ କି ଆମେ ଯେଉଁ ସୂଚନା ପାଇବାକୁ ଚାହୁଁଛୁ ତାହା ଏପର୍ଯ୍ୟନ୍ତ ପ୍ରଦାନ କରାଯାଇନାହିଁ । ଆପଣଙ୍କୁ ଆମେ ଯେଉଁ ସୂଚନା ମାଗିଛୁ ତାହା ଦେବା ପାଇଁ ଆପଣ ବାଧ୍ୟ । ଆପଣଙ୍କୁ ବିସ୍ତାର ଭାବେ ସମସ୍ତ ସୂଚନା ଦେବାକୁ ହେବ । କୋର୍ଟ ଆହୁରି କହିଥିଲେ କି, ଏସବିଆଇକୁ ବଣ୍ଡ ନମ୍ବର ଦେବାକୁ ପଡିବ । ଏହାସହ ବଣ୍ଡ ସହିତ ଜଡିତ ସମସ୍ତ ସୂଚନା ବ୍ୟାଙ୍କକୁ କୋର୍ଟଙ୍କ ନିକଟରେ ପ୍ରଦାନ କରିବାକୁ ପଡିବ । ଅନ୍ୟପଟେ କୋର୍ଟ କହିଥିଲେ କି ଷ୍ଟେଟବ୍ୟାଙ୍କ ଇଣ୍ଡିଆକୁ କୋର୍ଟରେ ସତ୍ୟପାଠ ପ୍ରଦାନ କରିବାକୁ ପଡିବ କି ନିର୍ବାଚନୀ ବଣ୍ଡ ନେଇ କିଛି ତଥ୍ୟ ବ୍ୟାଙ୍କ ତରଫରୁ ଲୁଚାଯାଇନାହିଁ ।