ବ୍ୟାଙ୍କ ଚାକିରିରୁ ଅବସର ପରେ ଆମ୍ବ ଚାଷ କରିଛନ୍ତି ବୌଦ୍ଧର ବୁଦ୍ଧିମନ୍ତ, ୨୦ ଏକର ଜମିରେ ଲଗାଇଛନ୍ତି ରୁ ଅଧିକ ଆମ୍ବଗଛ

242

କନକ ବ୍ୟୁରୋ : ୨୦ ଏକର ଜମିରେ ଲାଗିଛି ୮୦୦ରୁ ଅଧିକ ଆମ୍ବ ଗଛ । ଆଉ ଗଛରେ ଭର୍ତ୍ତି ହୋଇଛି ବିଭିନ୍ନ କିଶମର ଆମ୍ବ । ଦୋଶାରୀ, ନିଲମ, ଆମ୍ରପାଲି, ଲେଙ୍ଗଡ଼ା, ମଲ୍ଲିକା, ସୁନ୍ଦରୀ ବାଇଗଣ ପଲେଇ ଭଳି ଭିନ୍ନ ଭିନ୍ନ ପ୍ରଜାତିର ଆମ୍ବ ଗଛ ଲଗାଛନ୍ତି ବୌଦ୍ଧର ବୁଦ୍ଧିମନ୍ତ ପ୍ରଧାନ । ବ୍ୟାଙ୍କ ଚାକିରିରୁ ଅବସର ନେବା ପରେ ଘରେ ବସି ସମୟ ନଷ୍ଟ କରିବା ଅପେକ୍ଷା ଚାଷ ପ୍ରତି ମନ ବଳାଇଥିଲେ ବୁଦ୍ଧିମନ୍ତ । ଯାହା ତାଙ୍କୁ ଏବେ ଦେଇଛି ଢ଼େରସାରା ସଫଳତା । ବଗିଚାରୁ ଉତ୍ପାଦନ ହେଉଥିବା ଆମ୍ବ ବିକ୍ରି କରି ଲାଭବାନ ହେଉଛନ୍ତି ବୁଦ୍ଧିମନ୍ତ । ନିଜେ ରୋଜଗାର କରିବା ସହ ସ୍ଥାନୀୟ ଅଂଚଳର ୧୫ରୁ ୨୦ ଜଣଙ୍କୁ ମଧ୍ୟ ସେ ରୋଜଗାରର ରାସ୍ତା ଦେଖାଇଛନ୍ତି । ଏହି ବଗିଚାରେ ୧୫ଜଣଙ୍କୁ କାମରେ ନିୟୋଜିତ କରିଛନ୍ତି । ସେମାନେ ମଧ୍ୟ କିଛି ରୋଜଗାର କରିପାରୁଛନ୍ତି   ।

ହରଭଙ୍ଗା ଠାରୁ କେସିଙ୍ଗା ଯିବା ରାସ୍ତାରେ ପଡ଼େ ବୁଦ୍ଧିମନ୍ତଙ୍କ ଆମ୍ବ ବଗିଚା । ଏହି ବଗିଚାରେ କେବଳ ଆମ୍ବ ଗଛ ନୁହେଁ କାଜୁ, କଦଳୀ, ଲେମ୍ବୁ ଓ ବିଭିନ୍ନ ପ୍ରକାରର ପନିପରିବା ମଧ୍ୟ ଚାଷ ହୋଇଛି    । ଅତ୍ୟାଧୁନିକ ପ୍ରଣାଳୀରେ ଏହି ଚାଷ କରାଯାଉଥିବା ବେଳେ ଗଛଗୁଡ଼ିକର ଯତ୍ନ ନେଉଛନ୍ତି କର୍ମଚାରୀ । ଏହି ବଗିଚାରୁ ବାହାରୁଥିବା ଆମ୍ବ ସ୍ଥାନୀୟ ବଜାର ସମେତ ଉତର ପ୍ରଦେଶ, ପଶ୍ଚିମବଙ୍ଗରେ ବିକ୍ରି ହେଉଛି । ବାହାର ରାଜ୍ୟର ବ୍ୟବସାୟୀ ମାନେ ତାଙ୍କ ବଗିଚା ନିକଟକୁ ଆସି କିଣି ନେଉଛନ୍ତି ।

ଚଳିତ ବର୍ଷ ଜିଲ୍ଲାରେ ପ୍ରଚୁର ପରିମାଣର ଆମ୍ବ ହୋଇଥିଲେ ମଧ୍ୟ ଏହାକୁ ସଂରକ୍ଷିତ ଭାବେ ରଖିବା ପାଇଁ ଶିତଳଭଣ୍ଡାରଟିଏ ନଥିବାରୁ କମ୍ ଦରରେ ବିକ୍ରି ହେଉଛି । ଯାହାଦ୍ୱାରା ଚାଷୀ ମଧ୍ୟ କ୍ଷତି ସହୁଛନ୍ତି ।