କନକ ବ୍ୟୁରୋ : ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଅବସର ପରେ ମିଳୁଥିବା ସୁରକ୍ଷା, ସୁବିଧା ଓ ପେନସନକୁ ନେଇ କେନ୍ଦ୍ର ସରକାର ଏକ ନୂଆ ଅଧିସୂଚନା ଜାରି କରିଛନ୍ତି । ଚଳିତ ବର୍ଷ ଅଗଷ୍ଟ ୨୩ ତାରିଖରେ ପୂର୍ବରୁ ଥିବା ଅଧିସୂଚନାର ସଂଶୋଧନ କରାଯାଇଛି । ଏହି ନୂଆ ଅଧିସୂଚନା ମୁତାବକ ଦେଶରେ ଅବସରପ୍ରାପ୍ତ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ କିଛି ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ।

Advertisment

ସୁପ୍ରିମକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତିଙ୍କୁ ନିଜ ବାସଭବନରେ ୨୪ ଘଂଟିଆ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥାଏ । ଏହାସହ ଜଣେ ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଅବସର ନେବାର ୫ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତିଗତ ସୁରକ୍ଷାକର୍ମୀ ବି ରଖିପାରିବେ । ଏହା ସହ ସେ ବାହାରକୁ ଯିବା ବେଳେ ବି ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ସାଙ୍ଗରେ ନେଇ ପାରିବେ । ହେଲେ ଏହା ଅବସର ନେବାର ୩ ବର୍ଷ ପର୍ଯ୍ୟନ୍ତ ଲାଗୁ ହୋଇଥାଏ ।

ସେପଟେ ଅବସର ପ୍ରାପ୍ତ ମୁଖ୍ୟ ବିଚାରପତିଙ୍କୁ ବିନା ଭଡାରେ ଟାଇପ୍-୭ ଭବନ ଯୋଗାଇ ଦିଆଯାଇଥାଏ । ଏହା କେବଳ ସରକାର ୬ ମାସ ପାଇଁ ଦିଲ୍ଲୀକ୍ଷେତ୍ରରେ ଯୋଗାଇ ଦେଇଥାନ୍ତି । ଏଥିରେ ୩ ଟି ସାର୍ଭେଣ୍ଟ କ୍ୱାଟର ସହ ୩୦୩୬ ବର୍ଗଫୁଟର ଘର ଥାଏ । ଏହାସହ ୨ ଟି ଗ୍ୟାରେଜ ସହ ଡ୍ରାଇଭରଙ୍କ ପାଇଁ ଗୋଟିଏ ଘର ମିଳିଥାଏ ।

ସେପଟେ ଚାକର ବାକର କଥା ଯଦି ଦେଖିବା ତେବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଓ ମୁଖ୍ୟ ବିଚାରପତିଙ୍କୁ ଏକ ଘରୋଇ ସହାୟକ ଓ ଜଣେ ଡ୍ରାଇଭର ସରକାର ଯୋଗାଇଦେଇଥାନ୍ତି । ଏହାସହ ଦେଶର ପ୍ରତି ବିମାନବନ୍ଦରରେ ସେମାନଙ୍କୁ ଏକ ସ୍ୱତନ୍ତ୍ର ରହଣି ଲାଉଞ୍ଜ ମିଳିଥାଏ ।

ଅନ୍ୟପଟେ ସୁପ୍ରିମକୋର୍ଟରୁ ଅବସର ନେଇଥିବା ସମସ୍ତ ବିଚାରପତି ଓ ମୁଖ୍ୟ ବିଚାରପତିଙ୍କୁ ମାଗଣା ଟେଲିଫୋନ ସେବା ଯୋଗାଇ ଦିଆଯାଇଥାଏ । ଏହାସହ ମୋବାଇଲ ଓ ଡାଟାକାର୍ଡ ପାଇଁ ପ୍ରତିମାସ ୪,୨୦୦ ଟଙ୍କା ମିଳିଥାଏ ।

ଯଦି ପେନସନ କଥା କହିବା ତେବେ ଅବସରପ୍ରାପ୍ତ ମୁଖ୍ୟ ବିଚାରପତିଙ୍କୁ ମାସିକ ୭୦,୦୦୦ ହଜାର ଟଙ୍କା ମିଳିଥାଏ । ହେଲେ ଅବସରପ୍ରାପ୍ତ ବିଚାରପତିଙ୍କୁ ୩୯ ହଜାର ଟଙ୍କା ପେନସନ ମିଳିଥାଏ ।