ମହାନିଲାମୀ ପୂର୍ବରୁ କେଉଁ ଦଳ ପାଖରେ ଅଛି କେତେ କୋଟି ଟଙ୍କା? ଦେଖନ୍ତୁ ପୂରା ତାଲିକା ।

306

କନକ ବ୍ୟୁରୋ : ସରିଛି ଆଇପିଏଲ ରିଟେନ ପ୍ରକ୍ରିୟା । ପୁରୁଣା ୮ଟି ଦଳ ନିଜ ମନପସନ୍ଦର ଖେଳାଳୀଙ୍କୁ ରିଟେନ କରିବା ସହ ଅନ୍ୟ ଖେଳାଳୀଙ୍କୁ ମହାନିଲାମୀ ପୂର୍ବରୁ ରିଲିଜ କରିଛନ୍ତି । ଚାମ୍ପିୟନ ଚେନ୍ନାଇ, କୋଲକାତା, ମୁମ୍ବାଇ, ଦିଲ୍ଲୀ ୪ ଜଣ ଲେଖାଏଁ ରିଟେନ କରିଥିବା ବେଳେ ରାଜସ୍ଥାନ, ବାଙ୍ଗାଲୋର, ହାଇଦ୍ରାବାଦ ୩ ଜଣ ଲେଖାଏଁ ଖେଳାଳୀଙ୍କୁ ରିଟେନ କରିଛନ୍ତି । କେବଳ ପଞ୍ଜାବ ୨ ଜଣ ଖେଳାଳୀଙ୍କୁ ରିଟେନ କରି ଅନ୍ୟ ମାନଙ୍କୁ ରିଲିଜ କରିଛି । ଆଇପିଏଲ ନିୟମ ଅନୁଯାୟୀ ଗୋଟିଏ ଫ୍ରାଞ୍ଚାଇଜ ସର୍ବାଧିକ ୪ ଜଣ ଖେଳାଳୀଙ୍କୁ ରିଟେନ ରଖିପାରିବ । ତେବେ ରିଟେନ ପ୍ରକ୍ରିୟାରେ ସବୁଠୁ ଅଧିକ ଟଙ୍କା ଖେଳାଳୀଙ୍କ ପିଛା ଖର୍ଚ୍ଚ କରିନ୍ତି ଉଭୟ ମୁମ୍ବାଇ ଓ ଚେନ୍ନାଇ । ଉଭୟ ଫ୍ରାଞ୍ଚାଇଜ ଖେଳାଳୀଙ୍କୁ ରିଟେନ କରିବାକୁ ୪୨ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ କରିଛନ୍ତି ।

ଆଇପିଏଲ ମହାନିଲାମୀରେ ଚଳିତ ବର୍ଷ ପ୍ରତି ଫ୍ରାଞ୍ଚଇଜକୁ ଖେଳାଳୀ କିଣିବା ବାବଦକୁ ୯୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅନୁମତି ମିଳିଛି । ଏପରିକି ରିଟେନ ଖେଳାଳୀଙ୍କ ବାବଦକୁ ଫ୍ରାଞ୍ଚାଇଜ ଯେତିକି ଟଙ୍କା ଖର୍ଚ୍ଚ କରିବେ ତାହା ମଧ୍ୟ ଏହି ନିର୍ଦ୍ଧାରିତ ୯୦ କୋଟି ଟଙ୍କା ମଧ୍ୟରେ ରହିବ । ତେଣୁ ରିଟେନ ପ୍ରକ୍ରିୟା ଶେଷ ହେବା ପରେ ଏବେ କେଉଁ ଦଳ ପାଖରେ କେତେ ଟଙ୍କା ରହିଛି ତାହା ଉପରେ ଥରେ ନଜର ପକାନ୍ତୁ ।

ରିଟେନ ପ୍ରକ୍ରିୟାରେ ସବୁଠୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ଉଭୟ ମୁମ୍ବାଇ ଓ ଚେନ୍ନାଇ । ଉଭୟ ଟିମ୍ ୪୨ କୋଟି ଟଙ୍କା ଖର୍ଚ୍ଚ କରି ୪ ଜଣ ଲେଖାଏଁ ଖେଳାଳୀଙ୍କୁ ରିଟେନ ରଖିଛନ୍ତି । ଚାମ୍ପିୟନ ଚେନ୍ନାଇ ପ୍ରଥମ ପସନ୍ଦର ଖେଳାଳୀ ଭାବେ ଜାଡେଜାଙ୍କୁ ୧୬ କୋଟି ଟଙ୍କାରେ ରିଟେନ କରିଛି ।ସେହିଭଳି ଧୋନୀଙ୍କୁ ୧୨ କୋଟି, ମୋଇନ ଅଲ୍ଲୀଙ୍କୁ ୮ କୋଟି ଓ ଋତୁରାଜ ଗାଏକ୍ୱାଡଙ୍କୁ ୬ କୋଟିରେ ରିଟେନ ରଖିଛି । ଅଥାର୍ତ ମହାନିଲାମୀରେ ଅନ୍ୟ ଖେଳାଳୀଙ୍କୁ କିଣିବାକୁ ଏବେ ମଧ୍ୟ ଚେନ୍ନାଇ ପାଖରେ ୪୮ କୋଟି ଟଙ୍କା ରହିଛି ।

ସେହିଭଳି ମୁମ୍ବାଇ ମଧ୍ୟ ରୋହିତ ଶର୍ମାଙ୍କୁ ପ୍ରଥମ ପସନ୍ଦର ଖେଳାଳୀ ଭାବେ ୧୬ କୋଟି ଟଙ୍କାରେ ରିଟେନ ରଖିଛି । ବୁମରାଙ୍କୁ ୧୨ କୋଟି, ସୂର୍ଯ୍ୟକୁମାର ଯାଦବଙ୍କୁ ୮ କୋଟି ଓ କିରଣ ପୋଲାର୍ଡଙ୍କୁ ୬ କୋଟି ଟଙ୍କାରେ ରିଟେନ ରଖିଛି ମୁମ୍ବାଇ । ଦଳ ଯେହେତୁ ଅନେକ ଷ୍ଟାର ଖେଳାଳୀଙ୍କୁ ରିଲିଜ କରିଛି ତେଣୁ ବଳକା ୪୮ କୋଟି ଟଙ୍କାରେ କିଛି ପୁରୁଣା ସଦସ୍ୟଙ୍କୁ ମହାନିଲାମୀରେ କିଣିବାକୁ ଲକ୍ଷ୍ୟ ରଖିଛି ଦଳ ।

ଚେନ୍ନାଇ ଓ ମୁମ୍ବାଇ ପରେ ଖେଳାଳୀଙ୍କୁ ରିଟେନ ରଖିବାକୁ ଦିଲ୍ଲୀ କ୍ୟାପିଟାଲ୍ସ ୩୯ କୋଟି ଟଙ୍କା ଖର୍ଚ୍ଚ କରିଛି । ଦିଲ୍ଲୀ ପ୍ରଥମ ପସନ୍ଦର ଖେଳାଳୀ ଭାବେ ରିଷଭ ପନ୍ତଙ୍କୁ ୧୬ କୋଟି ଟଙ୍କାରେ ରିଟେନ ରଖିଥିବା ବେଳେ ଅକ୍ଷର ପଟେଲଙ୍କୁ ୯ କୋଟି, ପୃଥ୍ୱୀ ଶ୍ୱଙ୍କୁ ୭.୫୦ କୋଟି ଓ ଦ୍ରୁତ ବୋଲର ନୋକିଆଙ୍କୁ ୬.୫୦ କୋଟି ଟଙ୍କାରେ ରିଟେନ କରିଛି । ଦିଲ୍ଲୀ ୩୯ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଫ୍ରାଞ୍ଚାଇଜର ୱାଲେଟରୁ ୪୨.୫୦ କୋଟି ଟଙ୍କା କଟିଛି । ମହାନିଲାମୀକୁ ଓହ୍ଲାଇବା ପୂର୍ବରୁ ଦିଲ୍ଲୀ ପାଖରେ ଏବେ ମଧ୍ୟ ୪୭.୫୦ କୋଟି ଟଙ୍କା ହାତରେ ରହିଛି । ଯେହେତୁ ଦଳ ଶ୍ରେୟସ ଆୟର, ହେଟମାୟର ଓ ରବାଡାଙ୍କ ଭଳି ଖେଳାଳୀଙ୍କୁ ରିଲିଜ କରିଛି ତେଣୁ ବଳକା ଟଙ୍କାରେ ଟି-୨୦ ସ୍ପେଶାଲିଷ୍ଟ ଖେଳାଳୀଙ୍କୁ କିଣିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି ।

ସେହିଭଳି କୋଲକାତା ମଧ୍ୟ ୪ ଜଣ ଖେଳାଳୀଙ୍କୁ ରିଟେନ ରଖିବା ସହ ୩୪ କୋଟି ଟଙ୍କା ଖର୍ଚ୍ଚ କରିଛି । ରସେଲଙ୍କୁ ପ୍ରଥମ ପସନ୍ଦର ଖେଳାଳୀ ଭାବେ ୧୨ କୋଟି, ବରୁଣ ଚକ୍ରବର୍ତ୍ତୀ ଓ ଭେଙ୍କଟେଶ ଆୟରଙ୍କୁ ୮ କୋଟି ଏବଂ ସୁନୀଲ ନାରାୟଣଙ୍କୁ ୬ କୋଟି ଟଙ୍କା ଦେଇ ରିଟେନ କରିଛି । ରିଟେନ ପ୍ରକ୍ରିୟାରେ ୩୪ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଦଳର ୱାଲେଟରୁ ୪୨ କୋଟି ଟଙ୍କା କଟିଛି । କାରଣ ଦଳ ୪ ଜଣ ଖେଳାଳୀଙ୍କୁ ରିଟେନ ରଖିଛି । ଆଉ ଏହାସହ ମହାନିଲାମୀକୁ ଓହ୍ଲାଇବା ପୂର୍ବରୁ ଏବେ ମଧ୍ୟ ୪ ୮କୋଟି ଟଙ୍କା ରହିଛି ।

ତାରକା ଖଚିତ ବାଙ୍ଗାଲୋର ସବୁ ଖେଳାଳୀଙ୍କୁ ରିଲିଜ କରି କେବଳ ୩ ଜଣ ଖେଳାଳୀଙ୍କୁ ରିଟେନ କରିଛି । ପ୍ରଥମ ପସନ୍ଦର ଖେଳାଳୀ ଭାବେ ବିରାଟ କୋହଲିଙ୍କୁ ୧୫ କୋଟି, ଗ୍ଲେନ ମ୍ୟାକ୍ସୱେଲଙ୍କୁ ୧୧ କୋଟି, ମହମ୍ମଦ ସିରାଜଙ୍କୁ ୭ କୋଟି ଦେଇ ରିଟେନ କରିଛି ଦଳ । ଆଉ ଏହା ବାବଦକୁ ବାଙ୍ଗାଲୋର ୩୩ କୋଟି ଟଙ୍କା ଖର୍ଚ୍ଚ କରିଛି । ତେବେ ଅପ୍ରତ୍ୟାଶିତ ଭାବେ ଦଳ ୟ୍ରୁଜବେନ୍ଦ୍ର ଚହଲ, ଦେବୀଦତ୍ତ ପାଡିକଲ, ହର୍ଷଲ ପଟେଲଙ୍କ ଭଳି ଖେଳାଳୀଙ୍କୁ ରିଲିଜ କରିଛି । ମହାନିଲାମୀକୁ ଓହ୍ଲାଇବା ପୂର୍ବରୁ ଦଳ ପାଖରେ ଏବେ ୫୭ କୋଟି ଟଙ୍କା ଅଛି । ତେଣୁ ଚଳିତ ମହାନିଲାମୀରେ କିଛି ବଡ ଚେହେରାଙ୍କୁ କିଣିପାରେ ଦଳ ।

ଆଇପିଏଲ ପ୍ରଥମ ସଂସ୍କରଣର ଚାମ୍ପିୟନ ରାଜସ୍ଥାନ ୩ ଜଣ ଖେଳାଳୀଙ୍କୁ ରିଟେନ କରିବା ସହ ୨୮ କୋଟି ଟଙ୍କା ଖର୍ଚ୍ଚ କରିଛି । ପ୍ରଥମ ପସନ୍ଦର ଖେଳାଳୀ ଭାବେ ଅଧିନାୟକ ସଞ୍ଜୁ ସାମସନଙ୍କୁ ୧୪ କୋଟି ଟଙ୍କା ଦେଇ ଦଳ ରିଟେନ କରିଥିବା ବେଳେ ବିଦେଶୀ ଖେଳାଳୀ ଭାବେ ଜୋସ ବଟଲରଙ୍କୁ ୧୦ କୋଟି ଓ ଯଶସ୍ୱୀ ଜୟସ୍ୱାଲଙ୍କୁ ୪ କୋଟି ଟଙ୍କା ଦେଇ ରିଟେନ କରିଛି । ତେବେ ରାଜସ୍ଥାନ ଜୋଫ୍ରା ଆର୍ଚର, ବେନ ଷ୍ଟୋକ୍ସ, ଲିଭିଙ୍ଗଷ୍ଟୋନ, କ୍ରିସ ମୋରିସ, ତେୱତିଆ, ଡେଭିଡ ମିଲରଙ୍କ ଭଳି ଖେଳାଳୀଙ୍କୁ ରିଲିଜ କରିଛି । ଯେହେତୁ ଦଳ ପାଖରେ ଏବେ ୬୨ କୋଟି ଟଙ୍କା ରହିଛି ତେଣୁ ମହାନିଲାମୀରେ ପୁଣିଥରେ ଏମାନଙ୍କ ମଧ୍ୟରୁ କାହାକୁ କିଣିପାରେ ରାଜସ୍ଥାନ ।

ସେହିଭଳି ସନରାଇଜର୍ସ ହାଇଦ୍ରାବାଦ ୩ ଜଣ ଖେଳାଳୀଙ୍କୁ ରିଟେନ ରଖିବା ସହ ୨୨ କୋଟି ଟଙ୍କା ଖର୍ଚ୍ଚ କରିଛି । ଅଧିନାୟକ ୱିଲିୟମସନଙ୍କୁ ଦଳ ପ୍ରଥମ ପସନ୍ଦର ଖେଳାଳୀ ଭାବେ ୧୪ କୋଟି ଟଙ୍କା ଦେଇ ଦଳ ରିଟେନ ରଖିଥିବା ବେଳେ ଅର୍ନ୍ତଜାତୀୟ ପର୍ଦାପଣ କରିନଥିବା ଦୁଇ ଭାରତୀୟ ଖେଳାଳୀ ଅବଦୁଲ ସାମଦ ଓ ଉମରାନ ମଲ୍ଲିକଙ୍କୁ ୪ କୋଟି ଟଙ୍କା ଲେଖାଏଁ ଦେଇ ଦଳ ରିଟେନ କରିଛି । ଡେଭିଡ ୱାର୍ଣ୍ଣର, ରସିଦ ଖାନ୍, ଜେସନ ରୟ, ଜେସନ ହୋଲଡର ଓ ବେୟାରଷ୍ଟୋଙ୍କ ଭଳି ଖେଳାଳୀଙ୍କୁ ଦଳ ରିଲିଜ କରିଛି । ତେଣୁ ମହାନିଲାମୀରେ କିଛି ବଡ ଚେହେରାଙ୍କୁ କିଣିବା ଲକ୍ଷ୍ୟରେ ରହିଛି ଦଳ । ଯେଉଁଥିପାଇଁ ଦଳ ପାଖରେ ଏବେ ମଧ୍ୟ ୬୮ କୋଟି ଟଙ୍କା ଅଛି ।

ଅନ୍ୟପଟେ ତାରକା ଖଚିତ ପଞ୍ଜାବ ଦଳ ମାତ୍ର ୨ ଜଣ ଖେଳାଳୀଙ୍କୁ ରିଟେନ ରଖି ଅନ୍ୟ ଖେଳାଳୀଙ୍କୁ ରିଲିଜ କରିଛି । ପ୍ରଥମ ପସନ୍ଦର ଖେଳାଳୀ ଭାବେ ମୟଙ୍କ ଅଗ୍ରୱାଲଙ୍କୁ ୧୨ କୋଟି ଓ ଅନକ୍ୟାପଡ ଭାରତୀୟ ଖେଳାଳୀ ଅର୍ଶଦୀପ ସିଂଙ୍କୁ ୪ କୋଟି ଟଙ୍କା ଦେଇ ରିଟେନ କରିଛି ଦଳ । ତେବେ କ୍ରିସ ଗେଲ, କେ,ଏଲ ରାହୁଲ, ମହମ୍ମଦ ସାମି, ନିକୋଲାସ ପୁରନ, ଶାହାରୁଖ ଖାନଙ୍କ ଭଳି ଖେଳାଳୀଙ୍କୁ ଦଳ ରିଲିଜ କରିଛି । ଦଳ ୧୬ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଫ୍ରାଞ୍ଚାଇଜର ୱାଲେଟରୁ ୧୮ କୋଟି ଟଙ୍କା କଟିଛି । ତେଣୁ ମହାନିଲାମୀକୁ ଓହ୍ଲାଇବା ପୂର୍ବରୁ ଦଳ ପାଖରେ ଏବେ ମଧ୍ୟ ୭୨ କୋଟି ଟଙ୍କା ରହିଛି । ତେଣୁ ପୂର୍ବପେକ୍ଷା ଦଳକୁ ଅଧିକ ଶକ୍ତିଶାଳୀ କରିବାକୁ କିଛି ବିଦେଶୀ ଖେଳାଳୀଙ୍କୁ ସାମିଲ କରିପାରେ ପଞ୍ଜାବ ।