କନକ ବ୍ୟୁରୋ: ବିଜେଡି ଓ ବିଜେପିର ୨୦୨୪ ପ୍ଲାନକୁ ଟକ୍କର ଦେବ କଂଗ୍ରେସର ହାତ ସେ ହାତ ଯୋଡ ଯାତ୍ରା । ରାଜ୍ୟରେ ଦଳ ପ୍ରତି ସମର୍ଥନ କମୁଥିବାବେଳେ ନୂଆ ରଣନୀତି ନେଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ । ନୂଆ ବର୍ଷରେ ନୂଆ ରଣନୀତି ସହ ଜାନୁଆରୀ ୨୬ରୁ ଆରମ୍ଭ ହେବ ହାତ ସେ ହାତ ଯୋଡ ଯାତ୍ରା । ଯାତ୍ରା ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖକୁ ନେବ କଂଗ୍ରେସ । ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାରଙ୍କ ଉପସ୍ଥିତିରେ ଦଳର ବରିଷ୍ଠ ନେତା, ବିଧାୟକ ଓ ଜିଲ୍ଲା ସଭାପତି ଙ୍କ ଉପସ୍ଥିତିରେ ଏହି ନିଷ୍ପତି ନିଆଯାଇଛି ।

Advertisment

କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ମାନିଛନ୍ତି କୌଣସି ନା କୌଣସି କାରଣରୁ କଂଗ୍ରେସ ଉପରୁ ଲୋକଙ୍କ ଆସ୍ଥା ତୁଟିଯାଉଛି । ଏଥିପାଇଁ ଆଲୋଚନାର ଆବଶ୍ୟକତା ରହିଛି । ଦଳ ସଚେତନ ନ ହେଲେ ଆଗକୁ କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ନରସିଂହ । ତେବେ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି, କଂଗ୍ରେସକୁ ସୁଦୃଢ କରାଯିବ । ଗାଁକୁ ଗାଁ ବୁଲି ଲୋକଙ୍କୁ ଭେଟିବେ କର୍ମୀ । ରାହୁଲଙ୍କ ବାର୍ତା ଲୋକଙ୍କ ପାଖରେ ପଂହଚାଯିବ ।

ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କ୍ଷମତାରୁ ଦୂରେଇ ରହିବା ପରେ କଂଗ୍ରେସ ପ୍ରତି ଜନସମର୍ଥନ କମିବାରେ ଲାଗିଛି । ଧାମନଗର ଓ ପଦ୍ମପୁର ଆସନରେ ଦଳ ଅମାନତ ହରାଇଛି । ଏପରିକି ପଦ୍ମପୁରରେ ଭୋଟ ବିକ୍ରି ଅଭିଯୋଗ କଂଗ୍ରେସ ଉପରେ ଆସିଛି । ଏଭଳିସ୍ଥଳେ କଂଗ୍ରେସ ପୁଣି ଲୋକଙ୍କ କେତେ ଆସ୍ଥାଭାଜନ ହେବ ସେ ନେଇ ଆଶଙ୍କା ପ୍ରକାଶ ପାଇଛି ।

ଦେଶରେ ରାହୁଲ ଭାରତ ଯୋଡ ଯାତ୍ରା କରୁଛନ୍ତି । ଏପଟେ ରାଜ୍ୟରେ ମଧ୍ୟ ଏହି ଯାତ୍ରା କରାଯାଇଛି । କିନ୍ତୁ ଆଭ୍ୟନ୍ତରୀଣ କନ୍ଦଳ ଥମିବାର ନାଁ ନେଉନାହିଁ । ତେଣୁ ସବୁ ନେତା ଏକଜୁଟ ହୋଇ ମିଶନ ୨୪ ପାଇଁ କାମ କରିବାର ସମୟ ଆସିଛି ।