ଜାମିନ ମିଳିଲାନି, ଜେଲ ଗଲେ ପୂର୍ବତନ ବିଜେଡି ବିଧାୟକ? ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।

302

କନକ ବ୍ୟୁରୋ : ଜେଲ ଗଲେ ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକ । ଜାମିନ ନାମଞ୍ଜୁର ହେବା କାରଣରୁ ଅନାମଙ୍କୁ ଜେଲ ପଠାଯାଇଛି । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ଜିଲ୍ଲା ମୁଖ୍ୟ କାରାଗାରକୁ ଅନାମଙ୍କୁ ପଠାଯାଉଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଅନାମଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।

ଏହାପୂର୍ବରୁ ଗତ ଜାନୁଆରୀ ୧୭ ତାରିଖରେ ଅନାମଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୩ଟି ଟିମ୍ ପକ୍ଷରୁ ରେଡ୍ କରାଯାଇଥିଲା । ସେତେବେଳେ ଅନାମଙ୍କ ବାସଭବନ ସମେତ ଲଜ ଓ ବିଦେଶୀ ମଦ ଦୋକାନ ଉପରେ ଏକାସଙ୍ଗରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ୩କୋଟି ୪୨ ଲକ୍ଷରୁ ଅଧିକ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ଟିମ୍ । ଆଉ ଏହାକୁ ଯାଞ୍ଚ କରାଯିବା ପରେ ତାଙ୍କୁ ଆଜି ଗିରଫ କରାଯାଇଛି ।

ଅନାମଙ୍କ ଗିରଫ ପରେ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ନବୀନ ସରକାର କଡା କାର୍ଯ୍ୟାନୁଷ୍ଠାନ ନେଉଥିବାର ବାର୍ତ୍ତା ଦେଇଛନ୍ତି । ଏପରିକି ଏହାପୂର୍ବରୁ ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ମଧ୍ୟ ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କରାଯାଇଥିଲା । ଆଉ ଏଭଳି କଡା କାର୍ଯ୍ୟାନୁଷ୍ଠାନ ନେଇ ନବୀନ ସଂକେତ ଦେଇଛନ୍ତି ଯେ, ଦୁର୍ନୀତିଗ୍ରସ୍ତଙ୍କୁ ନବୀନ ସରକାରରେ ନିସ୍ତାର ନାହିଁ । ସେ ନେତା ହୁଅନ୍ତୁ ବା ଅଫିସର । ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଦୁର୍ନୀତିମୁକ୍ତ ଶାସନ ଉପରେ ଗୁରୁତ୍ୱ ଦେଇଛନ୍ତି ନବୀନ । ଯେଉଁଥିପାଇଁ ଗତ ୬ ମାସ ମଧ୍ୟରେ ୧୨ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ଦୁର୍ନୀତିରେ ଲିପ୍ତ ଥିବା ୫୯ ଜଣ ସରକାରୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଏହାଛଡା ୧୧ ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଭତ୍ତା ବନ୍ଦ କରାଯାଇଛି ।