ସୁସ୍ଥ ହୋଇ ହ୍ୱାଇଟ ହାଉସକୁ ଫେରିଲେ ଟ୍ରମ୍ପ । ଏବେ ସଙ୍ଗରୋଧରେ ରହି ହେବେ ଚିକିତ୍ସିତ ।

99

କନକ ବ୍ୟୁରୋ : ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ହସ୍ପିଟାଲରୁ ହ୍ୱାଇଟ ହାଉସକୁ ଫେରି ଆସିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସୋମବାର ୱାଲଟର ରିଡ ହସ୍ପିଟାଲର ଡାକ୍ତର କହିଥିଲେ, ରାଷ୍ଟ୍ରପତି ସଂପୂର୍ଣ୍ଣ ଠିକ ହୋଇ ନାହାନ୍ତି । ହେଲେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇ ପାରିବ । ଆଜି ଡିସଚାର୍ଜ ହୋଇ ହ୍ୱାଇଟ ହାଉସ ଫେରିବା ପରେ ଟ୍ରମ୍ପ ମୁହଁରୁ ମାସ୍କ ହଟାଇ ଗଣମାଧ୍ୟମ ପ୍ରତିନିଧିକୁ ସମ୍ବୋଧିତ କରିଛନ୍ତି । ଯାହାକୁ ନେଇ ଟ୍ରମ୍ପକୁ ସମାଲୋଚନା କରିଛନ୍ତି ବିରୋଧୀ ।

ଭାରତୀୟ ସମୟ ଅନୁସାରେ ମଙ୍ଗଳବାର ସକାଳେ ୱାଲଟର ରିଡ ମେଡିକାଲ ସେଂଟରରୁ ଡିସଚାର୍ଜ ହୋଇ ହ୍ୱାଇଟ ହାଉସ ଫେରିଛନ୍ତି । ସେ କରୋନାରୁ ସଂପୂର୍ଣ୍ଣ ମୁକ୍ତ ହୋଇ ନାହାନ୍ତି, ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ହ୍ୱାଇଟ ହାଉସକୁ ଫେରିଆସିଛନ୍ତି । ଏବେ ସେ କିଛି ଦିନ ହ୍ୱାଇଟ ହାଉସରେ ସଙ୍ଗରୋଧରେ ରହି ଚିକିତ୍ସିତ ହେବେ ।

ହେଲିକପ୍ଟରରେ ହ୍ୱାଇଟ ହାଉସ ପହଂଚିବା ପରେ ସିଧା ଉପର ମହଲାକୁ ଯାଇ ମୁହଁରୁ ମାସ୍କ ହଟାଇଥିଲେ ଡୋନାଲ୍ଡ ଟ୍ରମ୍ପ । ଏହାପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି, ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । କରୋନାକୁ ଡର ନାହିଁ, ନିଜ ଉପରେ କରୋନାର ପ୍ରଭାବ ବିସ୍ତାର କରିବାକୁ ଦିଅ ନାହିଁ ।

ଟ୍ରମ୍ପ ମୁହଁରୁ ମାସ୍କ କାଢିବା ଘଟଣା ନେଇ ଏକାଧିକ ପ୍ରଶ୍ନ ସୃଷ୍ଟି ହୋଇଛି । କାରଣ ସେ କରୋନା ସଂକ୍ରମିତ ହୋଇଥିବାରୁ ଏପରି ଅବହେଳା ଅଶାକରାଯାଉ ନାହିଁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହ୍ୱାଇଟ ହାଉସ ଫେରି ଆସିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଜୋ ବେଡାନ । ସେ କହିଛନ୍ତି ରାଷ୍ଟ୍ରପତି ଫେରିଆସିବା ଭଲ ଖବର, ହେଲେ ହ୍ୱାଇଟ ହାଉସ ଫେରିବା ପରେ ସେ ମାସ୍କ ପିନ୍ଧୁ ନାହାନ୍ତି କି ସାମାଜିକ ଦୂରତା ରକ୍ଷା କରୁ ନାହାନ୍ତି ।

ଆମେରିକାରେ ନଭେମ୍ବର ୩ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ଏହାପୂର୍ବରୁ ଟ୍ରମ୍ପଙ୍କୁ ଦୁଇଟି ବଡ ବିତର୍କର ସାମ୍ନା ବି କରିବାକୁ ପଡିବ । ଏପରି ସମୟରେ ସେ କରୋନାରେ ଆକ୍ରାନ୍ତ ହେବା ଦ୍ୱାରା ତାଙ୍କ ନିର୍ବାଚନୀ ପ୍ରଚାର ପ୍ରତି ବଡ ଝଟକା ବୋଲି କୁହାଯାଉଛି ।