କଂଗ୍ରେସର ମିଶନ ମଧ୍ୟପ୍ରଦେଶ: ଜବଲପୁରରେ ପହଁଚି ନର୍ମଦା ନଦୀରେ ଶ୍ଲୋକମନ୍ତ୍ର ପାଠ କରି ପୂଜାର୍ଚ୍ଚନା କଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା 

184

କନକ ବ୍ୟୁରୋ: କର୍ଣ୍ଣାଟକରେ ବିପୁଳ ବିଜୟ ପରେ କଂଗ୍ରେସର ଆତ୍ମବଳ ବେଶ ବୃଦ୍ଧି ପାଇଛି । ଆଗକୁ ଅନ୍ୟ କିଛି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ଏହା ଉପରେ ଅଧିକ ଫୋକସ କରୁଛି ଦଳ । ଏହି କ୍ରମରେ ଏବେ କଂଗ୍ରେସ ଆରମ୍ଭ କରିଛି ମିଶନ ମଧ୍ୟପ୍ରଦେଶ । ସୋମବାର ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଜବଲରପୁରରେ ପହଁଚି ନଦୀ ନର୍ମଦାରେ ପୂଜାପାଠ କରିଛନ୍ତି । ଏହିଠାରୁ ହିଁ ନିର୍ବାଚନ ବିଗୁଲ ବଜାଇଛି କଂଗ୍ରେସ । ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ସବୁଠୁ ବଡ ଦଳଭାବେ ଉଭା ହୋଇ ସରକାର ଗଠନ କରିଥିଲା । ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଦ୍ରୋହୀ ସାଜିବାରୁ ବିଜେପି ବାଜି ମାରି ସରକାର ଗଠନ କରିଥିଲା   । ତେଣୁ ଏଥରକ ପୁଣି ଥରେ କ୍ଷମତା ହାସଲ କରିବା ପାଇଁ ଜୋରଦାର ପ୍ରୟାସ କରୁଛି କଂଗ୍ରେସ । ଆଉ ୬ମାସ ପରେ ଅର୍ଥାତ ଚଳିତବର୍ଷ ଶେଷ ସୁଦ୍ଧା ନିର୍ବାଚନ ହେବ । ତେଣୁ କାଳବିଳମ୍ବ ନକରି ନିର୍ବାଚନୀ ପ୍ରଚାର ଆରମ୍ଭ କରିଛି ଦଳ । ଅନ୍ୟପଟେ ଆଜି ଜବଲପୁରରେ ବିଭିନ୍ନ ସ୍ଥାନରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ବିଶାଳ ଗଦାକୁ ସେହି ସବୁ ସ୍ଥାନରେ ରଖାଯାଇଛି ଯେଉଁଠି ପହଁଚି ପ୍ରିୟଙ୍କାଙ୍କ ସଭା ଓ କାର୍ଯ୍ୟକ୍ରମ କରିଥିଲେ । କହିବାକୁ ଗଲେ ହିନ୍ଦୁତ୍ୱ କାର୍ଡ ଖେଳି ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଚେଷ୍ଟା କରୁଛି ଦଳ । କର୍ଣ୍ଣାଟକରେ ନିର୍ବାଚନରେ ଏହି ଗଦା  ଓ ହନୁମାନ ଯେତିକି ବିବାଦ ସାଉଁଟିଥିଲା ସେତିକି ଲାଭ ମଧ୍ୟ ପାଇଥିଲା । ସେପଟେ ନିର୍ବାଚନୀ ରାଲିକୁ ସମ୍ବେଧିତ କରି ବିଜେପିକୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ବାଡ୍ରା । ଯଦି ଦଳ ମଧ୍ୟପ୍ରଦେଶ ସରକାର ଗଠନ କରେ ତେବେ ୫ଟି ପ୍ରତିଶ୍ରୁତି ପ୍ରଥମେ ପୂରଣ କରାଯିବ ବୋଲି କହିଛନ୍ତି କଂଗ୍ରେସ ମହାସଚିବ । ପ୍ରତିମାସରେ ପ୍ରତ୍ୟକ ମହିଳାଙ୍କୁ ୫ହ ଟଙ୍କା ଭର୍ତା, ୫ଶହ ଟଙ୍କାରେ ଗ୍ୟାସ ସିଲିଣ୍ଡର, ୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି, ୨୦୦ ୟୁନିଟ ବିଜୁଳି ବିଲ ଅଧା କରାଯିବ ଓ ପୁରୁଣା ପେନସନ ସ୍କିମ ଲାଗୁ କରାଯିବ ।