କନକ ବ୍ୟୁରୋ : ଦିନକୁ ଦିନ ବଢିଚାଲିଛି ବାଘ ଆତଙ୍କ । ଆତଙ୍କିତ ଅବସ୍ଥାର ରହିଛନ୍ତି ଗାଁର ଲୋକେ । ସଂଜ ନଇଁଲେ ଘରେ ଘରେ ପଡୁଛି ତାଟି କବାଟ । ବାଘ ଯୋଗୁ ଭୟରେ ଜୀବନ ଜୀଉଁଛନ୍ତି ନୂଆପଡା ରେଂଜ କୁକୁଡାତାଲ ଗାଁର ଲୋକେ । କିଛି ଦିନ ହେଲା ଗାଁରେ ବାଘ ବୁଳୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ପୁଣି ଏକ କଲରପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ମୂଷରଙ୍ଗି ଜଙ୍ଗଲର ଏକ ପଥର ଚଟାଣରେ ଦୁଇଟି କଲରପତରିଆ ବାଘ ବସୁଥିବା ବେଳେ ଚଳପ୍ରଚଳ କରୁଥିବା ଗାଁର ଲୋକେ ଦେଖିବାକୁ ପାଇଛନ୍ତି । ପଥର ଚଟାଣ ଉପରେ ବାଘଟି ପ୍ରାୟ ୨ ଘଂଟା ବସିରହିଥିବାର ଦେଖିବାକୁ ମିଳିଥିଲା । ତେବେ ଗାଁରେ ଲୋକଙ୍କୁ ସୁରକ୍ଷା ଦେବାକୁ କିଛି ଲୋକ ବନବିଭାଗ ସହ ମିଶି ଠେଙ୍ଗାବାଡି ଧରି ଲୋକଙ୍କୁ ସୁରକ୍ଷା ଦେଉଛନ୍ତି । ସେପଟେ ଗାଁର ଜଙ୍ଗଲ ଚାରିପଟେ ତାରବାଡ ଓ ଲାଇଟ୍ ଲଗାଇବାକୁ ଦାବି କରିଛନ୍ତି ଗାଁର ଲୋକମାନେ ।

Advertisment

ନୂଆପଡା ଭଳି ରାୟଗଡ଼ାରେ ମହାବଳ ବାଘ ଆତଙ୍କ । ବାଘ ପାଇଁ ଲୋକ ଭୟଭୀତ ଥିବାବେଳେ ଜଣେ ମହିଳା, ବିଲରେ ବାଘ ବୁଲୁଥିବା ଦେଖିଥିବା କହିଛନ୍ତି । ବାଘ କବଳରୁ ନିଜ ଜୀବନ ବଂଚାଇବାକୁ ଗଛରେ ଚଢ଼ିଯାଇଥିବାରୁ ତାଙ୍କ ଜୀବନ ବଂଚିଯାଇଥିଲା । ଫସଲ କାଟୁଥିବା ବେଳେ ମହାବଳ ବାଘ ବୁୁଲୁଥିବା ମହିଳା ଜଣକ ଦେଖିଥିଲେ । ଗାଁ ପାଖରେ ବାଘ ବୁଲୁଥିବାର ଖବର ପାଇ ୨ ଦିନ ଯାଏଁ ଜଙ୍ଗଲକୁ ନଯିବା ସହ ଘରୁ ନବାହାରିବାକୁ ଗାଁଲୋକଙ୍କୁ ପରାମର୍ଶ ଦେଇଛନ୍ତି ବନବିଭାଗ । ବାଘ ଗିତିବିଧି ଉପରେ ନଜର ରଖିବାକୁ ଟ୍ରାପ କ୍ୟାମେରା ମଧ୍ୟ ଲଗାଯାଇଛି ।