କନକ ବ୍ୟୁରୋ: ସାଂସଦ ରମେଶ ମାଝୀଙ୍କ ପରେ ବିଧାୟକ ମନୋହର ରନ୍ଧାରୀ ନିଜ ଗଡରେ ହଟହଟା ହୋଇଛନ୍ତି । ମନୋହର ରନ୍ଧାରୀ ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ଦୁଇ ନମ୍ବର ଜୋନର କଂଟାମାଳ ପଞ୍ଚାୟତ ଚଣ୍ଡାଗୁଡା ଗାଁକୁ ଯାଉଥିବାବେଳେ ତାଙ୍କ ଗାଡିକୁ ଅଟକାଇଛନ୍ତି ଗାଁ ଲୋକ । ରାତିରେ ପ୍ରଚାର ନକରିବାକୁ କହିଛନ୍ତି । ଏଥିସହ ଗାଡିରେ ଶାଢ଼ୀ, ଲୁଙ୍ଗି ଓ ତଉଲିଆ ନେଇ ବାଣ୍ଟିବାକୁ ଯାଉଥିବାରୁ ଗ୍ରାମବାସୀ ବିଧାୟକଙ୍କୁ ଅଟକାଇଥିବା ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ମଇଦଲପୁର ପୁଲିସ ପହଁଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି । ନବରଙ୍ଗପୁରରେ କଂଗ୍ରେସର ପୂର୍ବତନ ନେତା ପ୍ରଦୀପ ମାଝୀ ବିଜେଡିରେ ସାମିଲ ହେବା ପରେ ଏହି ଜିଲ୍ଲା ବିରୋଧୀ ଶୂନ୍ୟ ହୋଇଯିବ ବୋଲି ଚର୍ଚ୍ଚା ହେଉଥିଲା । ହେଲେ, ଗତ କିଛି ଦିନ ହେଲା ଯେମିତି ସାଂସଦ ରମେଶ ମାଝୀଙ୍କୁ ବିରୋଧ କରାଯାଉଛି ଓ ଆଜି ବିଧାୟକ ମନୋହର ରନ୍ଧାରୀଙ୍କୁ ବିରୋଧ କରାଯାଇଛି ତାହା ଚର୍ଚ୍ଚାର ବିଷୟ ହୋଇଛି । ପ୍ରଦୀପ ବିଜେଡିରେ ସାମିଲ ହୋଇଥିଲେ ବି କେଉଁଠି ନା କେଉଁଠି ନବରଙ୍ଗପୁରରେ ଶାସକ ଦଳ ବିଜେଡି ବିରୋଧରେ ବିରୋଧୀ ସକ୍ରିୟ ଥିବା ସୂଚନା ଦେଉଛନ୍ତି । ଏବଂ ବାରମ୍ବାର ଶାସକ ଦଳର ନେତାଙ୍କୁ ବିରୋଧ କରୁଛନ୍ତି ।