କେବିଏନ ଗ୍ରୁପ୍ ପରି କଟକରେ ପବ୍ଲିକ୍ ଷଣ୍ଢ ଗ୍ରୁପ୍ : ଆତଙ୍କ ସୃଷ୍ଟି କଲା ଭଳି କରୁଛନ୍ତି ଭିଡିଓ ପୋଷ୍ଟ; ଜଣକୁ ଉଠାଇନେଲା ପୋଲିସ

ବନ୍ଧୁକ ଜବତ, ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ

89

କନକ ବ୍ୟୁରୋ : ରାଜଧାନୀରେ କେବିଏନ୍ ପରି କଟକରେ ପବ୍ଲିକ ଷଣ୍ଢ ଗ୍ରୁପ୍ । ହାତରେ ବନ୍ଧୁକ ଓ ଖଣ୍ଡା ଧରି ଆତଙ୍କ ଖେଳାଇବା ଭଳି ଭିଡିଓ ସୁଟିଂ କରି ପୋଷ୍ଟ କରିଛନ୍ତି । ହାତରେ ବନ୍ଧୁକ ଓ ଖଣ୍ଡା ଧରି ଧମକାଉଥିବା ଭିଡିଓ ମାଲଗୋଦାମ ଥାନା ପୋଲିସ ହାତରେ ଲାଗିଛି । ପୋଲିସ ଏହି ଭିଡିଓ ପଛର କାର୍ପଟଦାର କୁହାଯାଉଥିବା ମଙ୍ଗଳାସାହିର କାଦୁଅ ଓରଫ୍ ଦେବଜ୍ୟୋତି ବେହେରାକୁ ଉଠାଇ ନେଇଛି । ସେ ଯୋବ୍ରାରେ ମାଛ ବ୍ୟବସାୟ କରୁଥିଲା । ଅନ୍ୟ ଯୁବକଙ୍କ ସହ ମିଶି ଉତ୍ପାତ କରୁଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ତାଠାରୁ ବନ୍ଧୁକ ଜବତ କରାଯାଇଛି । ଏହା ଅସଲି ନୁହଁ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଗ୍ରୁପର ଅନ୍ୟମାନଙ୍କୁ ଖୋଜୁଛି ପୋଲିସ ।

ସୂଚନା ଅନୁଯାୟୀ, ଏବେ ଇନ୍‌ଷ୍ଟାଗ୍ରାମରେ ଅପଲୋଡ୍‌ ହୋଇଥିବା ୧୦ଟି ଭିଡିଓ ଭାଇରାଲ୍‌ ହେଉଛି । ପ୍ରଥମ ଭିଡିଓଟି ୨୦ ସେକେଣ୍ତ୍‌ର । ‘ପବ୍ଲିକ ଷଣ୍ଢ’ ନାଁରେ ଏହି ଭିଡିଓ ଅପଲୋଡ୍‌ ହୋଇଛି। ୫ ଜଣ ଯୁବକ ଏକ ଅର୍ଦ୍ଧନିର୍ମିତ କୋଠା ସାମ୍‌ନାରେ ଛିଡ଼ା ହୋଇ ଅଶ୍ଳୀଳ ଧମକ ଦେଉଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ହାତରେ ଠେଙ୍ଗା ଧରିଛି । ପାଖରେ ଥିବା ଏକ କ˚କ୍ରିଟ୍‌ ମିକ୍ସଚର‌୍‌ ମେସିନ ଉପରେ ବି ୩ ଜଣ ଯୁବକ ବସିଛନ୍ତି । ସେହିଭଳି ଦ୍ବିତୀୟ ଭିଡିଓଟି ୨୩ ସେକେଣ୍ତ୍‌ର। ଯୋବ୍ରା ନିକଟ ନଦୀବାଲିରେ ସୁଟି˚ ହୋଇଥିବା ଅନୁମାନ କରାଯାଉଛି । ଦୁଇଜଣ ଯୁବକ ହାତରେ ଖଣ୍ତା ଧରିଥିବା ବେଳେ ଜଣେ ଧମକ ଦେଉଛି । ତୃତୀୟ ଭିଡିଓଟି ଯୋବ୍ରାରୁ ରାଣୀହାଟ କେନାଲ ଯାଏ ତାଳଦଣ୍ତା କେନାଲ ପାର୍ଶ୍ବରେ ସୁଟି˚ ହୋଇଥିବା ଜଣାପଡ଼ିଛି ।

୨୫ ସେକେଣ୍ତର ଏହି ଭିଡିଓରେ ଜଣେ ଯୁବକ ହାତରେ ବନ୍ଧୁକ ଧରି ଧମକ ଦେଉଥିବା ଦେଖିବାକୁ ମିଳିଛି । ଏହି ବନ୍ଧୁକଟି ଜର୍ମାନୀ ତିଆରି ଭଳି ଦେଖିବାକୁ ଲାଗୁଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ମାଲଗୋଦାମ ଥାନା ପୁଲିସ ବନ୍ଧୁକକୁ କାଦୁଅ ନିକଟରୁ ଜବତ କରିଛି । ଏହା ଅସଲି ନୁହେଁ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଅବଶିଷ୍ଟ ୭ଟି ଭିଡିଓ ବି ଯୋବ୍ରା ତାଳଦଣ୍ତା କେନାଲ ରାସ୍ତାରେ ‘ଆଇ ଲଭ୍‌ କଟକ’ ଲେଖା ଥିବା ପାର୍କ ନିକଟରେ ରେକର୍ଡ ହୋଇଥିବା ଜଣାପଡ଼ିଛି ।