କନକ ବ୍ୟୁରୋ : ମିଗଜୋନ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ରହି ରହି ଝିପି ଝିପି ବର୍ଷା ହେଉଛି । ଏଥିସହ ପବନର ବେଗ ୩୦ରୁ ୪୦ କିମି ବେଗରେ ପବନ ବୋହୁଛି । ରାତି ତମାମ ଏଭଳି ସ୍ଥିତ ଲାଗି ରହଛି । ତେବେ ଏଯାଏଁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ସେପଟେ ଜିଲ୍ଲାର ୩ଟି ସମ୍ବେଦନଶୀଳ ସ୍ଥାନ ମୋଟୁ, ଧୁଙ୍ଗିଆପୁଟ ଓ ଗିରକାନପାଲିଠାରେ ୩ଟି ଓଡ୍ରାଫ୍ ଟିମ ମୁତୟନ କରାଯାଇଛି । ସମସ୍ତ ବ୍ଲକ ହେଡ କ୍ୱାର୍ଟରେ ଅଗ୍ନିଶମ କର୍ମଚାରୀଙ୍କୁ ସଜାଗ ରଖାଯାଇଛି ।

Advertisment

ସେପଟେ ବ୍ରହ୍ମପୁରରେ ମଧ୍ୟ ଗତକାଲି ରାତିଠୁ ଝିପି ଝିପି ବର୍ଷା ହେଉଛି । ଦୁଇ ଦିନ ଧରି ମେଘୁଆ ପାଗ ରହିଥିବା ବେଳେ ରାତି ୧୦ଟାରୁ ବର୍ଷା ଆରମ୍ଭ ହୋଇଥିଲା । ଆଜି ସକାଳୁ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ଲାଗି ରହିଛି । ଅନ୍ୟପଟେ ଏବେ ଧାନ ଅମଳ ସମୟ ହୋଇଥିବାରୁ ଚାଷୀ କୂଳ ଚିନ୍ତାରେ ପଡିଛନ୍ତି । ଏବେ ଧାନ କଟା ଚାଲିଥିବାରୁ ଅଧିକ ବର୍ଷା ହେଲେ ପାଚିଲା ଧାନ ଗଜା ମରୁଡି ହେବାର ଆଶଙ୍କା ରହିଛି ।

ଗଜପତି ଜିଲ୍ଲା ମୋହନା ଅଂଚଳରେ ମଧ୍ୟ ବର୍ଷା ଜାରି ରହିଛି । ସୋମବାର ରାତିରୁ ଝିପି ଝିପି ବର୍ଷା ହେଉଥିଲା ବେଳେ ଆଜି ବର୍ଷାର ପରିମାଣ ବୃଦ୍ଧି ପାଇଛି । ପାଣିପାଗ ବିଭାଗ ପକ୍ଷରୁ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେଣୁ ଗଜପତି ଜିଲ୍ଲା ପ୍ରଶାସନ ସଜାଗ ରହିଛି । ଆଜି ଜିଲ୍ଲାର ସମସ୍ତ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ଜିଲଲାପାଳ । ଗତ ୪୮ ଘଂଟା ଧରି ବର୍ଷା ଲାଗି ରହିଥିବା ଯୋଗୁଁ ମାଟି ଅତଡା ଖସିବା ଆଶଙ୍କା ରହିଛି । ଜିଲ୍ଲା ପ୍ରଶାସନ ସହ ଅଗ୍ନିଶମ ବାହିନୀ ସବୁ ପ୍ରକାର
ସମସ୍ୟାର ମୁକାବିଲା କରିବା ପାଇଁ ସଜାଗ ଅଛନ୍ତି ।