ସରିବ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ। କିଏ ହେବେ ଟିମ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ, ବଢ଼ିଲା ଚର୍ଚ୍ଚା

841

କନକ ବ୍ୟୁରୋ : ୨୦୨୩ ୱାର୍ଲ୍ଡକପ୍ ଶେଷ ହେବା ସହିତ ସରିଛି ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ । ଦୁଇ ବର୍ଷର କାର୍ଯ୍ୟକାଳକୁ ଆଉ ଆଗକୁ ବୃଦ୍ଧି ନକରିବାକୁ ରାହୁଲ ବିସିିସିଆଇକୁ ଅବଗତ କରାଇଛନ୍ତି । ଗତ ଦୁଇ ବର୍ଷରେ ରାହୁଲଙ୍କ ପ୍ରଶିକ୍ଷଣରେ ଭାରତୀୟ କ୍ରିକେଟ ଟିମ୍ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ, ଟି-୨୦ ବିଶ୍ୱକପ ସମେତ ଦିନିକିଆ ବିଶ୍ୱକପରେ ଉନ୍ନତମାନର ପ୍ରଦର୍ଶନ କରିଥିଲା । ତେବେ ରାହୁଲ ଦ୍ରାବିଡଙ୍କ ପରେ ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ହୋଇପାରନ୍ତି । ବିଶ୍ୱକପ ଚାଲିଥିବା ସମୟରେ ଲକ୍ଷ୍ମଣ ଏନେଇ ବିସିସିଆଇ ସହ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି । ଟିମ୍ ଇଣ୍ଡିଆର ପରବର୍ତୀ ମୁଖ୍ୟ କୋଚ କିଏ ହେବ ତାକୁ ନେଇ ଚର୍ଚ୍ଚା ଭିତରେ ଭିଭିଏସ ଲକ୍ଷ୍ମଣଙ୍କ ସମେତ ପୂର୍ବତନ କୋଚ୍ ଅନୀଲ କୁମ୍ବଲେ ଓ ବୀରେନ୍ଦ୍ର ସେହୱାଗ ମଧ୍ୟ ରେସରେ ସାମିଲ ଅଛନ୍ତି ।

ଭିଭିଏସ ଲକ୍ଷ୍ମଣ ଭାରତୀୟ ବି ଟିମର ମୁଖ୍ୟ କୋଚ ସାଙ୍ଗକୁ ନ୍ୟାସନାଲ କ୍ରିକେଟ ଏକାଡେମୀର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଲକ୍ଷ୍ମଣ ୨୦୧୩ ମସିହାରୁ ନିଜର କୋଚିଂ କ୍ୟାରିୟର ଆରମ୍ଭ କରିଥିବା ବେଳେ ଆଇପିଏଲ ଟିମ ସନରାଇଜର୍ସ ହାଇଦ୍ରାବାଦର ମେଂଟର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା । ଅନ୍ତର୍ଜାତୀୟ ସ୍ତରରେ ୨୦୦ରୁ ଅଧିକ ମ୍ୟାଚ ଖେଳିଥିବା କୁମ୍ବଲେ ପୂର୍ବରୁ ୨୦୧୬ ମସିହାରେ ମଧ୍ୟ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି    ।

ଭାରତୀୟ କ୍ରିକେଟ ଟିମର ମୁଖ୍ୟ ପ୍ରଶିକ୍ଷକ ପାଇଁ ରେସରେ ପୂର୍ବତନ ଭାରତୀୟ ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହେୱାଗଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି । ୨୦୧୭ ମସିହାରେ ମଧ୍ୟ ସେହେୱାଗ ମୁଖ୍ୟ ପ୍ରଶିକ୍ଷକ ପାଇଁ ଆବେଦନ କରିଥିଲେ ।

ବିଶ୍ୱକପ ପରେ ଆଜିଠୁ ଇଣ୍ଡିଆ-ଅଷ୍ଟ୍ରେଲିଆ ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ ହୋଇଛି । ଏହା ଭିତରେ ଆଗକୁ ବିସିସିଆଇ କାହାକୁ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ଦେଉଛି ତାକୁ ଅପେକ୍ଷା ।