ଦଳୀୟ କନ୍ଦଳରୁ ପିଟାପିଟି, ପୁରୀ ପରେ ଭଦ୍ରକ କଂଗ୍ରେସ ପାର୍ଟି ଅଫିସରେ ଗଣ୍ଡଗୋଳ । କଂଗ୍ରେସ ପ୍ରଭାରୀ କହିଲେ, ଅଶାନ୍ତି କରୁଛନ୍ତି ଅନ୍ୟ ଦଳର ସମର୍ଥକ

100

କନକ ବ୍ୟୁରୋ : କଂଗ୍ରେସରେ କମୁନି କନ୍ଦଳ । ପୁରୀ ପରେ ଆଜି ଭଦ୍ରକରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ କର୍ମୀ । କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ପୁଣି କଂଗ୍ରେସ କାର୍ଯ୍ୟାଳୟ ଆଗରେ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ବଡ କଥା ହେଉଛି, ଓଡିଶା କଂଗ୍ରେସ ପ୍ରଭାରୀ, ପିସିସି ସଭାପତି ଓ ବରିଷ୍ଠ ନେତାଙ୍କ ସାମ୍ନାରେ ଦୁଇ ଗୋଷ୍ଠୀ ହାତାହାତି ହୋଇଛନ୍ତି । ଏନେଇ ଥାନାରେ ଏତଲା ବି ଦିଆଯାଇଛି । ଦୁଇ ଦିନ ତଳେ ପୁରୀରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି ୩ ଜଣ ଲହୁଲୁହାଣ ହୋଇଥିଲେ । ଆଜି ପୁଣି ସମାନ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକରେ ।

ବୁଧବାର ଭଦ୍ରକରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ସ୍ଥିର ହୋଇଥିଲା । ବୈଠକରେ ଜିଲ୍ଲା ପାଇଁ ବିଭିନ୍ନ ସାଂଗଠନିକ ପଦବୀ ବଣ୍ଟନ ସହ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ ଥିଲା । ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସମେତ ଦଳର ବରିଷ୍ଠ ନେତା ପହଁଚିଥିଲେ । ହେଲେ ଏହା ପୂର୍ବରୁ ଆରମ୍ଭ ହୋଇଯାଇଥିଲା ଗୋଷ୍ଠୀ କନ୍ଦଳ । ତେବେ ଏନେଇ ଜିତେନ୍ଦ୍ର ଓ ନିରଞ୍ଜନ କହିଛନ୍ତି, ଏଥିରେ ଦଳର କେହି ସମ୍ପୃକ୍ତ ନାହାନ୍ତି । କିଛି ଅସାମାଜିକ ତତ୍ତ୍ୱ ଯେଉଁମାନଙ୍କର ଦଳ ସହ କୌଣସି ସମ୍ପର୍କ ନାହିଁ ସେହିମାନେ ଏଭଳି ଘଟଣା ଭିଆଇଛନ୍ତି ।

ଏହାପୂର୍ବରୁ ଗତ ସୋମବାର ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ସାଂଗଠନିକ ବୈଠକ ଚାଲିଥିବା ବେଳେ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । କଂଗ୍ରେସ କର୍ମୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଯେଉଁଥିରେ ୩ ଜଣ ଯୁବନେତା ଆହତ ହୋଇଥିଲେ । ଗୋଟିଏ ପଟେ ରାଜ୍ୟରେ କଂଗ୍ରେସକୁ ମଜବୁତ କରିବାକୁ ବରିଷ୍ଠ ନେତା ଅଂଟା ଭିଡିଥିିବା ବେଳେ କର୍ମୀଙ୍କ ମଧ୍ୟରେ ଏଭଳି ଅଶାନ୍ତି, ସ୍ଥିତିକୁ ଆହୁରି ଜଟିଳ କରିଦେଇଛି ।