କନକ ବ୍ୟୁରୋ: କଂଗ୍ରେସ ମେଂଟରେ ଫାଟ! ପଂଜାବ ପରେ ହରିୟାଣାରେ ରାଜନୈତିକ ଟଣାଓଟରା । ପଂଜାବରେ କାହା ସହ ମେଂଟ କରିବ ନାହିଁ ବୋଲି ଘୋଷଣା କରିସାରିଛି ଆପ୍ । ଆଉ ଏହି ଘୋଷଣାର ମାତ୍ର ସପ୍ତାହକ ଭିତରେ ହରିୟାଣାରୁ ଶୁଭୁଛି ସମାନ ସ୍ୱର । ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନରେ ଦଳ ଏକାକୀ ଲଢ଼ିବ । ଯଦିଓ ମେଂଟ ନେଇ ସର୍ବଭାରତୀୟ ସ୍ତରରେ ଭଲ ଚର୍ଚ୍ଚା ଚାଲିଛି । କିନ୍ତୁ ହରିୟାଣାରେ ଏକାକୀ ଲଢ଼ିବା ପାଇଁ ସକ୍ଷମ ବୋଲି ଭୂପିନ୍ଦର ସିଂ ହୁଡ୍ଡା । ଆଦମପୁର ବିଧାନସଭା ନିର୍ବାଚନ ଫଳାଫଳକୁ ଉଦାହରଣ ଭାବେ ରଖି ଏହି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଭୂପିନ୍ଦର । ଆଦମପୁର ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ପରାସ୍ତ ହୋଇଥିଲା । ତେଣୁ ସିଟ୍ ବୁଝାମଣାକୁ ଗୁରୁତ୍ୱର ସହ ଆଲୋଚନା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ନିଜକୁ ମୁଖ୍ୟମନ୍ତ୍ରୀ ପଦର ଆଶାୟୀ ବୋଲି କହିବା ସହ ସମସ୍ତ ୧୦ଟି ଲୋକସଭା ଆସନରେ ନିର୍ବାଚନ ଲଢ଼ିବ ବୋଲି କହିଛନ୍ତି । ଏହା ପୂର୍ବରୁ ପଂଜାବର ମନ୍ତ୍ରୀ ଅନମୋଲ ମାନ୍ କହିଥିଲେ, କଂଗ୍ରେସ ସହ ମେଂଟ ହେବ ନାହିଁ । ଏକାକୀ ଆମ୍ ଆଦମୀ ପାର୍ଟି ନିର୍ବାଚନ ଲଢ଼ିବ ବୋଲି କହିଥିଲେ । ଗତ ସେପ୍ଟେମ୍ବର ୧ ତାରିଖରେ ମୁମ୍ବାଇରେ ଇଣ୍ଡିଆ ମେଂଟର ବଡ଼ଧରଣର ବୈଠକ ବସିଥିଲା । ଏହି ବୈଠକରେ ଦଳଗୁଡ଼ିକ ମଧ୍ୟରେ ଆସନ ବୁଝାମଣା ନେଇ ଚର୍ଚ୍ଚା ହୋଇଥିଲା । ଏସବୁ ସତ୍ୱେ ରାଜ୍ୟଗୁଡ଼ିକରେ ଏକାକୀ ନିର୍ବାଚନ ଲଢ଼ିବାକୁ ଦଳଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି ।