ପିଲାଙ୍କ ପ୍ରତିବାଦ ଆଗରେ ମୁଣ୍ଡ ନୂଆଁଇଲେ ମନ୍ତ୍ରୀ । ଗଣଶିକ୍ଷା ମନ୍ତ୍ରୀ କହିଲେ, +୨ ପ୍ରଥମ ବର୍ଷ ପରୀକ୍ଷାରେ ପାସଫେଲ୍ ନିଷ୍ପତିର ହେବ ପୁର୍ନବିଚାର

ଆସନ୍ତା ଶିକ୍ଷାବର୍ଷରୁ ଲାଗୁ କରିବା ପାଇଁ ଛାତ୍ରଛାତ୍ରୀଙ୍କ ଦାବି

451

କନକ ବ୍ୟୁରୋ: ବଦଳିଲା ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସ୍ ଫେଲ୍ ନିଷ୍ପତି । ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା କଡାକଡି କରାଯିବା ଲାଗି ନିଷ୍ପତି ପରେ ଏହାକୁୁ ବିରୋଧ କଲେ ଛାତ୍ରଛାତ୍ରୀ । ଆଜି ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ରମାଦେବୀ ବିଶ୍ୱିବିଦ୍ୟାଳୟ +୨ ପ୍ରଥମ ବର୍ଷର ଛାତ୍ରୀ । ବିଶ୍ୱବିଦ୍ୟାଳୟ ସମ୍ମୁଖ ରାସ୍ତାକୁ ଅବରୋଧ କରିବା ସହ ନିଷ୍ପତିକୁ ବାତିଲ କରିବାକୁ ଦାବି କରିଥିଲେ । ଅନ୍ୟପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ପିଲାମାନେ ଯଦି ପ୍ରସ୍ତୁତ ହୋଇନାହାନ୍ତି ତେବେ ଏହି ନିଷ୍ପତିର ପୁର୍ନବିଚାର କରାଯିବ ।

ଯୁକ୍ତ ଦୁଇ ପ୍ରଥମବର୍ଷ ପରୀକ୍ଷାକୁ ବିରୋଧ । ଯୁକ୍ତ ଦୁଇ ପ୍ରଥମବର୍ଷ ପରୀକ୍ଷା କଡାକଡି କରାଯିବା ନେଇ ସରକାରଙ୍କ ନିଷ୍ପତିକୁ ରମାବେଦୀ ଛାତ୍ରୀଙ୍କ ବିରୋଧ । ଟାୟାର ଜାଳି ରାସ୍ତାକୁ ଓହ୍ଲାଇ ଆସିଲେ ଛାତ୍ରୀ । ରାସ୍ତାରେ ବସିଲେ ଛାତ୍ରୀ, ଅଟକି ଗଲା ଗାଡି ମୋଟର । ଆନ୍ଦୋଳନ କରିଥିବା ଛାତ୍ରୀଙ୍କ କହିବା ହେଲା, ଯଦି ସରକାର ଏଭଳି ନିଷ୍ପତି ନେବାର ଥିଲା ତେବେ ପରୀକ୍ଷାର ମାସେ ପୂର୍ବରୁ କାହିଁକି ନେଲେ । ୬ ମାସ ଆଗରୁ ଏଭଳି ନିଷ୍ପତି ନେଇଥିଲେ କିଛି ଅସୁବିଧା ହୋଇନଥାନ୍ତା । ଫେବୃଆରୀ ମାସରେ ପରୀକ୍ଷା ହେବାକୁ ଥିବାବେଳେ ହଠାତ୍ ଜାନୁଆରୀରୁ ଏମିତି ଘୋଷଣା କରିବା ଠିକ୍ ନୁହେଁ । ଏ ପର୍ଯ୍ୟନ୍ତ ପ୍ରଥମ ବର୍ଷର ପାଠପଢ଼ା ଶେଷ ହୋଇନାହିଁ । ତେଣୁ ପରୀକ୍ଷା କେମିତି ଦେବେ ସେନେଇ ଦ୍ୱିଧାରେ ପଡିଯାଇଛନ୍ତି ଛାତ୍ରୀ । ଛାତ୍ରୀମାନଙ୍କ ଦାବି ହେଲା, ଏପରି ବ୍ୟବସ୍ଥାରେ ପରୀକ୍ଷା ହେଉ, ଯାହା ଦ୍ୱାରା ଛାତ୍ରୀମାନେ ଅସୁବିଧାରେ ପଡିବେ ନାହିଁ । ସହଜରେ ଏବଂ ସୁବିଧାରେ ସେମାନେ ପରୀକ୍ଷା ଦେଇପାରିବେ ।

ଅନ୍ୟପକ୍ଷରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି, ପିଲାମାନେ ଯଦି ପ୍ରସ୍ତୁତ ହୋଇନାହାନ୍ତି ତେବେ ଏହି ନିଷ୍ପତିର ପୁର୍ନବିଚାର କରାଯିବ । ଆସନ୍ତାବର୍ଷରୁ ଏହି ନିୟମ ଲାଗୁ କରିବା ପାଇଁ ଯୋଜନା ହେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଚଳିତ ବର୍ଷଠାରୁ +୨ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ୩୩ ପ୍ରତିଶତ ମାର୍କ ନରଖିଲେ ଦ୍ୱିତୀୟ ବର୍ଷକୁ ଯାଇପାରିବେ ନାହିଁ ବୋଲି ଗତ ୧୪ ତାରିଖରେ ଘୋଷଣା କରିଥିଲେ ଗଣଶିକ୍ଷା ମନ୍ତ୍ରୀ । ଏଥିପାଇଁ ପିଲାମାନଙ୍କୁ ଦ୍ୱିତୀୟ ଥର ସୁଯୋଗ ଦେବାକୁ କହିଥିଲେ ମନ୍ତ୍ରୀ ।