କଂଗ୍ରେସ ଛାଡିଲେ ବରିଷ୍ଠ ନେତା ପ୍ରଫୁଲ ମାଝୀ । ଡିସେମ୍ବର ୧୦ରେ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା

277

କନକ ବ୍ୟୁରୋ : ପଚାଂୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ମଧ୍ୟ ବଢିବାରେ ଲାଗିଛି । ଆଉ ଏହାରି ମଧ୍ୟରେ ରାଜ୍ୟରେ କଂଗ୍ରେସ ଦଳ ଧୀରେ ଧୀରେ ଖାଲି ହେବାରେ ଲାଗିଛି । ପ୍ରଥମେ ଦଳର ଆଗଧାଡିର ନେତା ପ୍ରଦୀପ ମାଝୀ ଦଳ ଛାଡି ବିଜେଡିରେ ଯୋଗଦାନ କରିବା ପରେ ଆଜି ପୁଣି ଦଳ ଛାଡିଛନ୍ତି କଂଗ୍ରେସର ଭେଟ୍‌ରାନ  ଲିଡର ଡାକ୍ତର ପ୍ରଫୁଲ ମାଝି ।

ଖାଲି ଯେ ଦଳ ଛାଡିଛନ୍ତି ତାହା ନୁହେଁ, ବରଂ ଦଳ ଭିତରର ଅନ୍ତଃଦ୍ୱନ୍ଦ କଥା ବି ପଦାରେ ପକାଇଛନ୍ତି । ସେ ସିଧାସଳଖ ସାଘାଂତିକ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କୁ ଦଳରେ ପ୍ରତାରଣା କରାଯାଇଛି । ପୂରା ପରିବାର ୬୦ ବର୍ଷରୁ ଅଧିକ ସମୟ କଂଗ୍ରେସକୁ ଦେଇଥିଲେ, କିନ୍ତୁ ଦଳ ତାଙ୍କୁ ଅଣଦେଖା କରି ଆସିଛି । ଏଥିସହ କଂଗ୍ରେସ ଏକ ମୁଣ୍ଡ ବିହୀନ ଦଳ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି । ଶୁଣନ୍ତୁ ଦଳ ଛାଡିବା ପରେ କଣ କହୁଛନ୍ତି ଡାକ୍ତର ପ୍ରଫୁଲ ମାଝି ।

ତଳସରାର ଭୂତପୂର୍ବ ଲୋକପ୍ରିୟ କଂଗ୍ରେସ ବିଧାୟକ ତଥା ମନ୍ତ୍ରୀ ଗଜାଧର ମାଝୀଙ୍କ ଝିଆରୀ ଜ୍ବାଇଁ ଡ. ମାଝୀ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ଲଗାତାର ୩ ଥର ବିଧାୟକ ନିର୍ବାଚିତ ହୋଇ ହ୍ୟାଟ୍ରିକ ମାରିଥିଲେ । ୨୦୦୬ ମସିହା ମେ ୨୦ ତାରିଖରେ ଗଜାଧର ମାଝୀଙ୍କ ଦେହାନ୍ତ ପରେ ହୋଇଥିବା ଉପ-ନିର୍ବାଚନରେ ଡ. ମାଝୀ ନିର୍ବାଚିତ ହୋଇ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ସେ ବିଜୟୀ ହୋଇଥିଲେ । କିନ୍ତୁ ୨୦୧୯ ନିର୍ବାଚନରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା ।

୨୦୧୯ ନିର୍ବାଚନ ସମୟରେ ହିଁ ସେ କଂଗ୍ରେସ ଛାଡ଼ି ବିଜେଡିକୁ ଯିବାକୁ ମନ ବଳାଇଥିବା ଚର୍ଚ୍ଚା ହୋଇଥିଲା । କିନ୍ତୁ କୌଣସି କାରଣରୁ ତାହା ସମ୍ଭବ ହୋଇ ନଥିଲା ଓ ସେ କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ିଥିଲେ । ତେବେ ଟାଣୁଆ ଆଦିବାସୀ ଚେହେରା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ପରେ ଡ. ମାଝୀ କଂଗ୍ରେସ ଛାଡ଼ିବା ଆପାତତଃ ସ୍ପଷ୍ଟ ହୋଇଛି । ଏହା ଦଳ ପାଇଁ ଚିନ୍ତାର କାରଣ ହେବ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି ।