କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡ ତ୍ରୁଟି । ବୁଧବାର ପଞ୍ଜାବ ଫିରୋଜପୁର ଗସ୍ତରେ ଯାଉଥିବା ପ୍ରଧାନମନ୍ତ୍ରୀଙ୍କ ଗାଡିକୁ ହୁସୈନ୍ୱାଲା ସ୍ଥିତ ଫ୍ଲାଏ-ଓଭରରେ ଅଟକାଇଲେ କିଛି ପ୍ରଦର୍ଶନକାରୀ । ପ୍ରାୟ ୨୦ ମିନିଟ୍ ଧରି ତାଙ୍କ ଗାଡି ଅଟକିବା ପରେ ଭଟିଣ୍ଡା ଏୟାରପୋର୍ଟକୁ ଫେରି ଆସିଥିଲା ପ୍ରଧାନମନ୍ତ୍ରୀଙ୍କ କନଭଏ । ଆଉ ଭଟିଣ୍ଡା ଏୟାରପୋର୍ଟରେ ପହଁଚିବା ପରେ ବିମାନବନ୍ଦର କର୍ତୃପକ୍ଷଙ୍କୁ ପିଏମ ମୋଦୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଧନ୍ୟବାଦ ଜଣାଇଦେବ, ମୋଦୀ ଭଟିଣ୍ଡା ଏୟାରପୋର୍ଟ ପର୍ଯ୍ୟନ୍ତ ଜୀବନ୍ତ ପହଁଚିପାରିଛି ।

Advertisment

ପଞ୍ଜାବ ହୁସୈନିୱାଲା ଯିବା ପୂର୍ବରୁ ଫ୍ଲାଏ ଓଭରବ୍ରିଜ୍ ଉପରେ ପ୍ରାୟ ୧୫-୨୦ ମିନିଟ୍ ଧରି ଏହିଭଳି ଅଟକି ରହିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରକେଡ୍ । ଯେଉଁଠି ଚାଲିଥିଲା ଆନ୍ଦୋଳନ । ତେଣୁ ପ୍ରଧାନମନ୍ତ୍ରୀଙ୍କ କାରକେଡ ଯିବାକୁ ଆଗକୁ ରାସ୍ତା ନଥିଲା । ଦିଲ୍ଲୀରୁ ଯାଇ ଭଟିଣ୍ଡା ଏୟାରପୋର୍ଟରେ ମୋଦୀ ଓହ୍ଲାଇବା ପରେ ହେଲିକପ୍ଟରରେ ହୁସୈନିୱାଲା ଯିବାର ଥିଲା । କିନ୍ତୁ ପାଗ ଖରାପ କାରଣରୁ ସଡକପଥରେ ମୋଦୀଙ୍କ କାରକେଡ୍ ଯାଇଥିଲା । ତେବେ ସୁରକ୍ଷା କାରଣରୁ ପ୍ରଧାନମନ୍ତ୍ରୀ ଫେରି ଆସିବା ପରେ ପଂଜାବ ସରକାର ବିରୋଧରେ ବର୍ଷିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ।

ସେ କହିଛନ୍ତି ନୈତିକତା ଦୃଷ୍ଟିରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଦରକାର । ସେହପରି ବିଜେପି ମଧ୍ୟ ପଞ୍ଜାବର କଂଗ୍ରେସ ସରକାରକୁ ଟାର୍ଗେଟ କରିଛି । ଏହାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପଞ୍ଜାବ ସରକାରଙ୍କ ପାଖରୁ ରିପୋର୍ଟ ତଲବ କରିଛନ୍ତି । ସେହିପରି ଏହାକୁ ନେଇ ବିଜେପି ପଂଜାବ ସରକାର ତଥା ଶାସକ ଦଳ କଂଗ୍ରେସ ଉପରେ ବର୍ଷିଛି । ଆଉ ମୁଖ୍ୟମନ୍ତ୍ରୀ ଚନ୍ନି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗସ୍ତ ସୂଚୀ ତାଙ୍କ ପାଖରେ ଥିଲା । ହେଲେ ପ୍ରଧାନମନ୍ତ୍ରୀ ରାସ୍ତାରେ ଆସିବା ନେଇ କୌଣସି ସୂଚନା ନଥିଲା । ଏଥିସହ ତଦନ୍ତ ନିର୍ଦ୍ଦେଶ କରିବାକୁ ତାଙ୍କ ସରକାର ପ୍ରସ୍ତୁତ ବୋଲି ସେ କହିଛନ୍ତି ।