ପାଟକୁରା ପାଣିରେ ଧୋଇ ହୋଇଗଲା ବିଜୟଙ୍କ ସ୍ୱପ୍ନ । କହିଲେ, ମୋ ସପକ୍ଷରେ ଥିଲା ଲୋକମତ କିନ୍ତୁ ଆସିଲା ଭିନ୍ନ ଫଳାଫଳ

275

କନକ ବ୍ୟୁରୋ: ବିଜୟଙ୍କ ବିଧାନସଭା ସ୍ୱପ୍ନ ଭାଙ୍ଗିଗଲା । ବିଜେଡି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୱାଲ ୧୭ ହଜାର ୬୫୫ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଏହାକୁ ନେଇ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି କି, ଏହି ଫଳାଫଳ ତାଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ଲୋକମତ ମୋ ସପକ୍ଷରେ ନିର୍ବାଚନ ପୂର୍ବରୁ ରହିଥିଲା । ଏକଥା ଦୀର୍ଘଦିନ ଧରି ପ୍ରଚାର ସମୟରେ ମଧ୍ୟ ଦେଖିବାକୁ ମିଳିଥିଲା । ହେଲେ ବାସ୍ତବିକ ଫଳାଫଳ ଅନ୍ୟ କିଛି ଆସିଲା । ଆଉ ସେହି ଗଣତନ୍ତ୍ରରେ ଜନମତକୁ ସମ୍ମାନ ଦେବାକୁ ହେବ ବୋଲି କହିଛନ୍ତି ବିଜୟ ମହାପାତ୍ର ।

ମତଦାତା ଯାହା ରାୟ ଦେଇଛନ୍ତି ତାହାକୁ ମାନିବାକୁ ପଡ଼ିବ । ଆଉ ବିଜୟୀ ହୋଇଥିବା ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇବାକୁ ପଡ଼ିବ ଏହା ହିଁ ଗଣତନ୍ତ୍ରର ପ୍ରକ୍ରିୟା । ମୋ ହାରିବା ପଛର କାରଣକୁ ନେଇ ଅନୁଧ୍ୟାନ କରାଯିବ କାହିଁକି ଏଭଳି ଫଳାଫଳ ହେଲା ଏବଂ କିଭଳି ଗୋଟିଏ ନିର୍ବାଚନ ମଣ୍ଡଳୀକୁ ଶାସକ ଦଳର ନେତା ମନ୍ତ୍ରୀମାନେ ଘେରିକି ରହିଲେ ତାହା ମଧ୍ୟ ତର୍ଜମା କରାଯିବ । ଏପରିକି ଅନେକ ସ୍ଥାନରେ ଭୋଟ୍ କିଣାବିକା ପାଇଁ ଘର ଘର ଟଙ୍କା ବଣ୍ଟାଗଲା ଆଉ ଇଭିଏମ ମେସିନକୁ ନେଇ ହେରଫେର ଅଭିଯୋଗ ମଧ୍ୟ ହୋଇଥିଲା । ଏସବୁ ଜିନିଷକୁ ନେଇ ଅନେକ ଆଲୋଚନା ପରେ ହିଁ ମୁଁ ମତାମତ ରଖିବି ।

ଲୋକମତ ଯାହା ଥିଲା ତାହା ଜନମତ ଆସିବା ପରେ ପୂରା ଚିତ୍ର ବଦଳିଗଲା । ଏପରିକି ଉଭୟ ବିଜେଡି ଓ ବିଜେପିର ଭୋଟ୍ ହାର ବୃଦ୍ଧି ହୋଇଥିଲେ ମଧ୍ୟ କାହିଁକି ଏଭଳି ଫଳାଫଳ ଆସିଲା ତାହାର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ ବୋଲି କହିଛନ୍ତି ବିଜୟ । ଏପରିକି ଏହା ପଛରେ ଅନେକ କାରଣ ରହିଛି ବୋଲି ପରୋକ୍ଷରେ ବିଜେଡି ଆଡକୁ ଅଙ୍ଗୁଳି କରିଛନ୍ତି ବିଜୟ ।