ପରୀ ଓ ପିହୁ ପରେ ନୟାଗଡ଼ରୁ ନିଖୋଜ ହୋଇଗଲା ୩ ବର୍ଷର ସ୍ୱାତୀ । ଶିଶୁ ନିଖୋଜରେ ଦେଶରେ ତୃତୀୟ ସ୍ଥାନରେ ଓଡ଼ିଶା ।

140

କନକ ବ୍ୟୁରୋ : ନୟାଗଡ ଯଦୁପୁର ଗାଁର ଶିଶୁକନ୍ୟା ପରୀ ପ୍ରଥମେ ନିଖୋଜ ହେବା ଓ ପରେ ତାର ଗଳିତ ମୃତଦେହ ଅଖା ଭିତରୁ ମିଳିବା ସାରାରାଜ୍ୟକୁ ଦୋହଲାଇ ଦେଇଛି । ଏହାକୁ ନେଇ ତମ୍ବିତୋଫାନ ଲାଗିରହିଥିବାବେଳେ ସେହି ନୟାଗଡ ଜିଲ୍ଲାରୁ ଆସିଛିି ଆଉ ଏକ ଶିଶୁ ନିଖୋଜ ଭଳି ସାଂଘାତିକ ଖବର ।

ରଣପୁର ଥାନା ବଧିପାଟଣା ଗାଁର ସଞ୍ଜୟ ସାହୁ ଓ ସବିତା ସାହୁଙ୍କ ୩ ବର୍ଷର ଶିଶୁକନ୍ୟା ସ୍ୱାତୀ କେଉଁଆଡେ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଛନ୍ତି ତାର ପରିବାର । ଗତକାଲି ଅପରାହ୍ନ ୩ଟାରେ ବାଡିପଟକୁ ଖେଳିବାକୁ ଯାଇଥିବାବେଳେ ଆଉ ଫେରିନଥିଲା । ବହୁ ଖୋଜାଖୋଜି ପରେ ପତା ନମିଳିବାରୁ ପରିବାର ରାଜସୁନାଖଲା ଫାଣ୍ଡିରେ ଏକ ନିଖୋଜ ମାମଲା ରୁଜୁ କରିଛନ୍ତି ।

ପରୀ ପ୍ରସଙ୍ଗକୁ ନେଇ ପ୍ରବଳ ହଙ୍ଗାମା ଚାଲିଥିବାରୁ ନିଖୋଜ ଅଭିଯୋଗ ପରେ ତୁରନ୍ତ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଦେଇଛି ପୋଲିସ । ହେଲେ ଯାଜପୁର ବିଂଝାରପୁର ଥାନା ମଧୁସୁଦନପୁର ଗାଁରେ ୨ ବର୍ଷର ଶିଶୁ କନ୍ୟା ପିହୁ ୪ ମାସ ହେଲେ ନିଖୋଜ ରହିଛି । ପିହୁ ମାମୁଁ ଘରେ ରହୁଥିବା ବେଳେ ଅଗଷ୍ଟ ୯ ତାରିଖ ଅପରାହ୍ଣରେ ଗାଁ ଦାଣ୍ଡରେ ଖେଳୁଥିଲା । ସେହି ସମୟରେ କେହି ଅପହରଣ କରି ନେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଘଟଣା ସଂପର୍କରେ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ଏଯାଏଁ ପିହୁର ପତା ପାଉନି ପୁଲିସ ।

ଅଭିଯୋଗ ଅନୁସାରେ, ପିହୁକୁ କେହି ଜଣେ ବାଇକରେ ନେଇ ଯାଉଥିବା କିଛି ବ୍ୟକ୍ତି ଦେଖିଛନ୍ତି । ଏ କଥା ପୋଲିସକୁ ମଧ୍ୟ କୁହାଯାଇଛି । ତଥାପି ପିହୁ ନିଖୋଜ ଘଟଣାର ୪ ମାସ ବିତିଯାଇଥିଲେ ବି ପୁଲିସ କୌଣସି ଠୋସ ପଦକ୍ଷେପ ନେଇନାହିଁ । ସବୁଠାରୁ ଚିନ୍ତାର ବିଷୟ ହେଉଛି ରାଜ୍ୟରେ ଶିଶୁ ନିଖୋଜ ହାର ଦିନକୁ ଦିନ ବଢିବାରେ ଲାଗିଛି ।

ଶିଶୁ ନିଖୋଜ: ଏନସିଆରବିି ରିପୋର୍ଟ
-ଏନସିଆରବିି ରିପୋର୍ଟ ଅନୁସାରେ ଓଡିଶାର ଶିଶୁ ନିଖୋଜ ହାର ଦେଶରେ ତୃତୀୟ
-ପ୍ରତିଦିନ ଆମ ରାଜ୍ୟରେ ହାରାହାରି ୧୨ରୁ ଅଧିକ ଶିଶୁ ନିଖୋଜ ହେଉଛନ୍ତି
-ପ୍ରତିବର୍ଷ ରାଜ୍ୟରେ ଶିଶୁ ନିଖୋଜ ସଂଖ୍ୟା ୪ ହଜାର ଟପୁଥିବା ଏନସିଆରଟି ରିପୋର୍ଟ

ପରୀ ପ୍ରସଙ୍ଗରେ ପୋଲିସ ଠିକରେ ତଦନ୍ତ କରିନଥିବା ହୃଦବୋଧ କରି ନୟାଗଡ ସଦର ଆଇଆଇସିଙ୍କୁ ନିଲମ୍ବିତ କରିବା ସହ ମାମଲାର ତଦାରଖ କରୁଥିବା ଏସଡିପିଓଙ୍କୁ ବଦଳି କରାଯାଇଛି । ତେଣୁ ଥାନାରେ ହେଉଥିବା ଶଶୁ ନିଖୋଜ ଘଟଣାକୁ ପୋଲିସ ମୂଳରୁ ଗୁରୁତ୍ୱର ସହ ନେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି ।