କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପରେ ପରେ ହୋଇପାରେ ପୌର ନିର୍ବାଚନ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ନିର୍ବାଚନ କମିଶନ୍ । ଆସନ୍ତା ମାର୍ଚ୍ଚ ୧୧ରେ ପଂଚାୟତ ସମିତି ସ୍ତରୀୟ ନିର୍ବାଚିତ ପ୍ରିତିନିଧି ଏବଂ ମାର୍ଚ୍ଚ ୧୨ରେ ଜିଲ୍ଲା ପରିଷଦ ସଦସ୍ୟମାନଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ଏହା ପୂର୍ବରୁ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ହେବ । ସେଥିପାଇଁ ଡିସେମ୍ବର ଶେଷ ସପ୍ତାହରେ ତାରିଖ ଘୋଷଣା ହେବାସହ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ନିର୍ବାଚନ ସରିବ ବୋଲି ବିଶ୍ୱସ୍ତ୍ର ସୂତ୍ରରୁ ଜଣାପଡିଛି ।

Advertisment

ଏହା ପରେପରେ ପୌର ନିର୍ବାଚନ କରାଇବାକୁ ନିର୍ବାଚନ କମିଶନ୍ ପ୍ରସ୍ତୁତି କରୁଛନ୍ତି । ଏନେଇ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା କିଛି ଦୃଶ୍ୟ ସ୍ପଷ୍ଟ ସଂକେତ ଦେଉଛି । ଜିଲ୍ଲାଗୁଡିକୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ଇଭିଏମ ଓ ଅନ୍ୟାନ୍ୟ ନିର୍ବାଚନୀ  ଉପକରଣ ପଠାଇବା ଆରମ୍ଭ ହୋଇଛି । ପଂଚାୟତ ନିର୍ବାଚନ ବାଲଟ ବକ୍ସରେ ହେଉଥିବା ବେଳେ ଇଭିଏମ ପଠାଇବା ପ୍ରକ୍ରିୟାରୁ ଜଣାପଡୁଛି ଯେ, ପୌର ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ୍ ।

ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାକୁ ଇଭିଏମ ମେସିନ ପଠାଯାଇଛି । ଗତକାଲି ମଧ୍ୟ ୫ଟି ଜିଲ୍ଲାକୁ ଯାଇଛି ଇଭିଏମ । ରାଜ୍ୟର ୧୦୫ ପୌରାଂଚଳରେ ନିର୍ବାଚନ ହେବାକୁ ଅଛି । ଏହାସହ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ନିର୍ବାଚନ ହେବାର ଅଛି । ତେବେ ଆଇନଗତ ପ୍ରକ୍ରିୟା କାରଣରୁ ସମ୍ବଲପୁର ଓ ରାଉରକେଲାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇନଥିବା ସୂଚନା ମିଳିଛି ।