ଦାଦନଙ୍କ ଘରବାହୁଡାର ଛାତିଥରା ଚିତ୍ର: ସୁନ୍ଦରଗଡରେ ଜିଲ୍ଲା ମୁଖ୍ୟାଳୟରେ ଛାଡିଦେଲା ବସ୍, ଘର ଆହୁରି ୨ଶହ କିଲୋମିଟର; ଭିଟାମାଟିକୁ ଗଡିଲା ସାଇକଲ

ମୁମ୍ବାଇରୁ ଟ୍ରକରେ ଆସିଲେ ପ୍ରବାସୀ ଶ୍ରମିକ

325

କନକ ବ୍ୟୁରୋ: କିଏ ଟ୍ରେନ୍ ତ ଆଉ କିଏ ବସରେ । ଭିଟାମାଟିକୁ ଛୁଟୁଛି ପ୍ରବାସୀ ଓଡିଆଙ୍କ ସୁଅ । ଏହାରି ଭିତରେ କିଛି ପ୍ରବାସୀ ବିକଳ୍ପ ବ୍ୟବସ୍ଥା ନପାଇ ନିଜ ଉଦ୍ୟମରେ ଘରକୁ ଫେରୁଛନ୍ତି । ମୁମ୍ବାଇରୁ ଟ୍ରକରେ ରାୟପୁର ପହଁଚିଛନ୍ତି କିଛି ପ୍ରବାସୀ ଶ୍ରମିକ । ଏହାପରେ ରାୟପୁରରୁ ଏକ ଟ୍ରକ ଡାଲାରେ ବସି ନୂଆପଡା ପହଂଚିଛନ୍ତି । ଯିଏ ଯେମିତି ପାରିଲା ସେଥିରେ ଘରକୁ ଫେରିବାକୁ ଉଦ୍ୟମ କରୁଛନ୍ତି । କିଛି ଶ୍ରମିକ ତ ସାଇକେଲରେ ଘର ବାହୁଡିବା ଅଭିଯାନ ଆରମ୍ଭ କରିଛନ୍ତି । ବଲାଙ୍ଗୀର ଓ କଳାହାଣ୍ଡି ଜିିଲ୍ଲାର ଅନେକ ଶ୍ରମିକ ଶହ ଶହ କିଲୋମିଟର ସାଇକଲ ଚଳାଇ ଘରକୁ ଫେରୁଛନ୍ତି ।

ସେପଟେ, ଓଡିଶା ମାଟିରେ କୌଣସି ଶ୍ରମିକଙ୍କୁ ଚାଲିବାକୁ ଦେବାନାହିଁ । ନିଜ ରାଜ୍ୟର ପ୍ରବାସୀ ଓଡିଆ ଶ୍ରମିକଙ୍କ ତ ପ୍ରଶ୍ନ ଉଠୁନାହିଁ । ଏପରି କି ବାହାର ରାଜ୍ୟର ଶ୍ରମିକଙ୍କୁ ବି ଓଡିଶା ମାଟିରେ ଚାଲିବାକୁ ଦେବୁନାହିଁ । ପୋଲିସ ଡିଜି ଅଭୟ ଗଣମାଧ୍ୟମ ସମ୍ମୁଖରେ କିଛି ଏହିଭଳି ବକ୍ତବ୍ୟ ରଖିଥିଲେ । ହେଲେ ଏହାର ଠିକ ଗୋଟିଏ ଦିନ ବିତିଛି । ଆଉ ସୁନ୍ଦରଗଡରୁ ଆସିଛି ଅଭାବନୀୟ ଚିତ୍ର । ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ଟେନସାର ଶ୍ରମିକ ମାନେ କାମ କରିବା ପାଇଁ ଯାଇଥିଲେ ବିଶାଖାପାଟଣାକୁ ଆଉ ସେଠାରେ ଲକ୍ ଡାଉନରେ ଫସି ରହିଯାଇଥିଲେ ।

ହେଲେ ଏବେ ନିଜ ଖର୍ଚ୍ଚରେ ନିଜ ଗାଁ ମାଟିକୁ ବାହାରିଥିଲେ ବସ୍ ଭଡା କରି । ହେଲେ ବସ୍ ଚାଳକ ସେମାନଙ୍କୁ ଆଣି ସୁନ୍ଦରଗଡ ଜିଲ୍ଲା ମୁଖ୍ୟାଳୟରେ ଛାଡି ଚାଲି ଯାଇଥିଲା । ଆହୁରି ଦୁଇଶହ କୋଡିଏ କିଲୋମିଟରର ଯାତ୍ରା ନିଜ ଗାଁ ଟେନସାକୁ ପହଂଚିବା ପାଇଁ କଣ କରିବେ, କାହାକୁ କହିବେ କିଛି ମଧ୍ୟ ଚିନ୍ତା କରିପାରିନଥିଲେ । ଶେଷରେ ନିଜ ପାଦ ଉପରେ ଭରସା କରି ଚାଲି ଚାଲି ବାହାରି ପଡିଛନ୍ତି କୋଇଡା ଅଭିମୁଖେ ।