ଓଡିଶା ରାସ୍ତାରେ ଆଉ ଚାଲିବେନି ଶ୍ରମିକ: ପରିବହନ ମନ୍ତ୍ରୀଙ୍କ ସୂଚନା, ଏଣିକି ଚାଲିଚାଲି ନୁହେଁ ବସରେ ଯିବେ ଦାଦନ; ଶ୍ରମିକଙ୍କୁ ରାସ୍ତାରେ ଦେଖିଲେ ଏବେ ଉଠାଇନେବ ପୁଲିସ୍

ସ୍ୱତନ୍ତ୍ର ସ୍କ୍ରିନିଂ ସେଂଟରରେ ଯାଂଚ ପରେ ରାଜ୍ୟକୁ ଫେରାଇଦେବା ପାଇଁ କରାଯିବ ବ୍ୟବସ୍ଥା

818

କନକ ବ୍ୟୁରୋ: ଓଡିଶା ରାସ୍ତାରେ ଆଉ ଚାଲିବେ ନାହିଁ ଦାଦନ ଶ୍ରମିକ । ସରକାରଙ୍କ ନିଷ୍ପତି ପରେ ଏହି ପ୍ରକିୟାକୁ ଜୋରଦାର କରିଛି ପୁଲିସ । ବାହାର ରାଜ୍ୟରୁ ଆସି ଓଡିଶାରେ ଶ୍ରମିକ ଭାବେ କାମ କରୁଥିବା ଲୋକେ ଏବେ ତାଲାବନ୍ଦ କଟକଣା ଭିତରେ ଫେରିବା ଆରମ୍ଭ କରିଛନ୍ତି । ଗାଡି ମୋଟର ନମିଳିଲେ ପାଦରେ ଚାଲିଚାଲି କିମ୍ବା ସାଇକେଲ ଓ ଅନ୍ୟାନ୍ୟ ଉପାୟରେ ଫେରୁଥିବା ଦେଖିବାକୁ ମିଳିଛି । ଏଭଳି ଶ୍ରମିକଙ୍କୁ ରାସ୍ତା ଉପରେ ଦେଖିଲେ ଉଠାଇନେବ ପୁଲିସ । ସ୍ୱତନ୍ତ୍ର ସ୍କ୍ରିନିଂ ସେଂଟରରେ ନେଇ ଯାଂଚ କରାଯିବ । ନେଗେଟିଭ ଆସିଲେ ସେମାନଙ୍କ ରାଜ୍ୟକୁ ଫେରାଇଦେବା ପାଇଁ ବ୍ୟବସ୍ଥା କରାଯିବ । ଓଡିଶାରେ ପ୍ରାୟ ୮ଟି ରାଜ୍ୟରୁ ପ୍ରବାସୀ ଶ୍ରମିକ ରହୁଥିବା ସୂଚନା ମିଳିଛି । ଗୋଟିଏ ରାଜ୍ୟରୁ ଏହିପରି ୪୦ ଜଣ ନେଗେଟିଭ ଚିହ୍ନଟ ହେଲେ ସେମାନଙ୍କୁ ଓଏସଆରଟିସିର ବସରେ ପଠାଇବା ପାଇଁ ବନ୍ଦୋବସ୍ତ କରାଯିବ ।

ସେପଟେ, ତାଲାବନ୍ଦ ପାଇଁ ନିଜ ଘରକୁ ଫେରୁଛନ୍ତି ହଜାର ହଜାର ଶ୍ରମିକ । ଗାଡି ଚଳାଚଳ ବନ୍ଦ ଥିବାରୁ ଏମାନଙ୍କୁ ଶହ ଶହ କିଲୋମିଟର ଚାଲି ଚାଲି ଯିବାକୁ ପଡୁଛି । ତେବେ ଏଣିକି ଆଉ ଶ୍ରମିକଙ୍କୁ ଚାଲିଚାଲି ଯିବାକୁ ପଡିବନାହିଁ । ବସ ମାଧ୍ୟରେ ଶ୍ରମିକଙ୍କୁ ନିଜ ଅଂଚଳରେ ଶ୍ରମିକଙ୍କୁ ଛଡାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଖାଦ୍ୟ ପାନୀୟ ସହିତ ସୁରକ୍ଷିତ ଭାବେ ସେମାନଙ୍କୁ ନିଜ ଅଂଚଳରେ ଛଡାଯିବ ବୋଲି ମନ୍ତ୍ରୀ କହିଛନ୍ତି । କେନ୍ଦ୍ର ଗୃହ ସଚିବ ମଧ୍ୟ ଲିଖିତ ଭାବେ ଏନେଇ ଜଣାଇଛନ୍ତି । ଓଡିଶାରେ ଥିବା ଅନ୍ୟ ରାଜ୍ୟର ଶ୍ରମିକ ଓ ଓଡିଶାକୁ ଆସିବାକୁ ଥିବା ଶ୍ରମିକଙ୍କୁ ଠାବ କରି ଗାଡି ମାଧ୍ୟମରେ ଛଡାଯିବ । କରୋନା ପାଇଁ ତାଲାବନ୍ଦ ଭିତରେ ସାରା ଦେଶରେ ଶ୍ରମିକଙ୍କ ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି । ଖରା ବର୍ଷାରେ ଛୁଆ ପିଲାଙ୍କୁ ଧରି ଶହ ଶହ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶ୍ରମିକ ।