ଅମଳ ବେଳାରେ ଛନକା କଲାଣି ଭାଉ। ନୂଆ-ପୁରୁଣା ଦାମ୍ ସବୁ ସମାନ, ଚିନ୍ତାରେ ଖାଉଟି। ପିଆଜ ଛାଡି ରହି ହେଉଥିଲା ହେଲେ ଆଳୁ ଛାଡିବା ମୁସ୍କିଲ

625

କନକ ବ୍ୟୁରୋ: ପିଆଜ ପରେ ଆଳୁ ଚିନ୍ତା । ପିଆଜ ଦରକୁ ନେଇ ଗ୍ରାହକ ଚିନ୍ତାରେ ଥିବାବେଳେ ବଢୁଛି ଆଳୁ ଦର । ଆଳୁ ଦର ଏବେ ବଜାରରେ କିଲୋପ୍ରତି ୩୦ ଛୁଇଁଛି । ରାଜ୍ୟର ପ୍ରମୁଖ ବଜାର କଟକର ଛତ୍ରବଜାରରେ ଆଳୁ ୩୦ ଟପିଛି । ପିଆଜ ଛାଡି ଲୋକେ ରହିପାରୁଥିଲେ, କିନ୍ତୁ ଆଳୁ ବିନା ଲୋକେ କେମିତି ଚଳିବ ସେ ନେଇ ଲୋକେ ଚିନ୍ତାରେ ପଡିଛନ୍ତି ।

ପିଆଜ ଭଳି ବଢୁଛି ଆଳୁର ଭାଉ । କ୍ଷେତରେ ଗଛ ଲାଗିବା ପୂର୍ବରୁ ପିଆଜ ଦର ୧୨୦ ଛୁଇଁଥିଲା । ସାରା ଭାରତ ବର୍ଷରେ ପିଆଜକୁ ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ ଠିକ୍ ଅମଳ ବେଳାରେ ଆଳୁ ଖଳୁ ଖୋଳୁ ୩୦ ଟଙ୍କାର ଭାଉ ଗୋଟିଏ ପଟେ ଆଳୁ ଚାଷୀଙ୍କୁ ସୁଖଦ ଅନୁଭୂତି ଦେଇଥିବା ବେଳେ ଅନ୍ୟପଟେ ଗତ ଦୁଇ ତିନି ବର୍ଷରେ ଆଳୁର ଏ ପ୍ରକାରର ସର୍ବାଧିକ ଦର ଖାଉଟି ମୁଣ୍ଡରେ ଚଡକ ସମାନ ହୋଇଛି ।

କାରଣ ଠିକ୍ ଅମଳ ବେଳାରେ ଆଳୁର ଏମିତି ଭାଉ ପ୍ରାୟ ହୁଏ ନାହିଁ । ଆଳୁର ଚାହିଦା କମ ହୋଇଯାଏ । ଗୋଦାମରେ ନୂଆ ଆଳୁ ସାଇତିବା ପାଇଁ ପୁରୁଣା ଆଳୁକୁ ବେପାରି ଖଲାସ କରନ୍ତି । ତେଣୁ ନୂଆ ଆଳୁଠାରୁ ପୁରୁଣା ଆଳୁ ଦାମ ଅପେକ୍ଷାକୃତ କମ ରହେ । ଅମଳ ବେଳାରେ ପୁରୁଣା ଆଳୁ ପ୍ରାୟ ୧୫ରି ୨୦ ଟଙ୍କା ମଧ୍ୟରେ ସୀମିତ ରହେ । ସପ୍ତାହେ ତଳର ଦାମ ଦେଖିଲେ ମଧ୍ୟ ଆଳୁ ସମାନ ପ୍ରକାର ସ୍ଥିତିରେ ଥିଲା । ତେବେ ଚଳିତ ସସ୍ତାହରେ ଆଳୁ ଏମିତି ବେହାଲ କରିଛି ।