ଓଡିଶା ପରେ ବାଂଲାଦେଶରେ ତାଣ୍ଡବ ରଚିଲା ‘ଫୋନି’ । ସମୁଦ୍ର ଗର୍ଭରେ ଲୀନ ହେଲା ୧୨ଟି ଗାଁ ।

1,884

କନକ ବ୍ୟୁରୋ : ପ୍ରଥମେ ଓଡିଶା ଏବଂ ପରେ ବାଂଲାଦେଶ । ଗତ ୩ ତାରିଖରେ ଓଡିଶା ଦେଖିଲା ପ୍ରକୃତିର କରାଳ ରୂପ । ସାମୁଦ୍ରିକ ଝଡ ଫୋନି ଆଣିଲା ମହାପ୍ରଳୟ । ଯେଉଁଥିରେ ଓଡିଶାରେ ନାହିଁନଥିବା କ୍ଷତି ହୋଇଛି । ଅନେକ ଧନଜୀବନ ନଷ୍ଟ ହୋଇଥିବା ବେଳେ ବଦଳିଯାଇଛି ଉପକୂଳ ଓଡିଶାର ନକ୍ସା । ଲକ୍ଷ ଲକ୍ଷ ପରିବାର ବାସହୀନ ହୋଇଥିବା ବେଳେ ମାଟିକାମୁଡିଛି ହଜାର ହଜାର ଗଛ । ଶୁକ୍ରବାରଦିନ ଓଡ଼ିଶା ଓ ତାପରେ ପଶ୍ଚିମବଙ୍ଗର କିଛି ଅଂଚଳରେ କ୍ଷୟକ୍ଷତି କରିବା ପରେ ଶନିବାରଦିନ ଫୋନି ମହାବାତ୍ୟା ପଡୋଶୀ ଦେଶ ବାଂଲାଦେଶରେ ପ୍ରବେଶ କରିଥିଲା ।

ବାଂଲାଦେଶରେ ପ୍ରବେଶ ବେଳକୁ ଏହାର ଶକ୍ତି ହ୍ରାସ ପାଇଥିଲେ ମଧ୍ୟ ଅନେକ କ୍ଷୟକ୍ଷତି କରିଛି । ଏପରିକି ପ୍ରାୟ ୧୨ଟି ଗାଁ ସମୁଦ୍ର ଗର୍ଭକୁ ଚାଲିଯାଇଛି । ବାଂଲାଦେଶରେ ଏହି ବାତ୍ୟା ପ୍ରଭାବରେ ଏପର୍ଯ୍ୟନ୍ତ ମିଳିଥିବା ରିପୋର୍ଟ ଅନୁସାରେ ୧୪ ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ ୬୩ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି । ଆହୁରି ମଧ୍ୟ ଏହି ବାତ୍ୟା ପ୍ରଭାବରେ ପ୍ରାୟ ୧୦ ହଜାର ଘର ଭାଙ୍ଗିଯାଇଥିବା ପ୍ରାରମ୍ଭିକ ଭାବେ ଅଟକଳ କରାଯାଇଛି । ତେବେ କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଚାଲୁ ରହିଥିବାରୁ ଏହି ସଂଖ୍ୟା ଆଗକୁ ବଢିପାରେ । ଅଧିକାଂଶ ଘର ନୋଆଖାଲି ଜିଲ୍ଲାରେ ହୋଇଛି ।