କନକ ବ୍ୟୁରୋ: ବାଘୁଣି ସୁନ୍ଦରୀକୁ ମଧ୍ୟପ୍ରଦେଶ କାହ୍ନାକୁ ଫେରାଇ ନେବାକୁ ଏନଟିସିଏ ଚିଠି ଲେଖିବା ପରେ ସଫେଇ ରଖିଲେ ବନବିଭାଗ କର୍ତ୍ତୃପକ୍ଷ । ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ କହିଲେ, ବ୍ୟାଘ୍ର ପ୍ରକଳ୍ପ ବିଫଳ ହେବା କହିବା ଠିକ୍ ହେବନି । ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ଯୋଗୁଁ ସୃଷ୍ଟି ହୋଇଥିଲା ଅସୁବିଧା । ଆନ୍ତରାଜ୍ୟ ବ୍ୟାଘ୍ର ପ୍ରକଳ୍ପ ବିଫଳ ହେବା ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଥିଲା ଏନଟିସିଏ । ହେଲେ ବନ ବିଭାଗର ଚରମ ଅବହେଳା ପାଇଁ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ବନ୍ଦ କରିଦେଇଛି ଏନଟିସିଏ ।

Advertisment

publive-image

ତେବେ ଦେଶରେ ବାଘ ବଂଶ ବୃଦ୍ଧି କରିବାକୁ ଆରମ୍ଭ ହୋଇଥିବା ଉଦ୍ୟମ କ୍ରମେ ୨୦୧୮ ରେ ମଧ୍ୟପ୍ରଦେଶର କାହ୍ନା ଓ ବାନ୍ଧବଗଡ ଅଭୟାରଣ୍ୟରୁ ଦୁଇଟି ବାଘଙ୍କୁ ସାତକୋଶିଆ ଅଭୟାରଣ୍ୟକୁ ଅଣାଯାଇଥିଲା । କିନ୍ତୁ ମଣିଷ ମାରିବା ଅଭିଯୋଗରେ ବାଘୁଣୀ ସୁନ୍ଦରୀକୁ ଏନକ୍ଲୋଜର ଭିତରେ ବନ୍ଦୀ ଥିବା ବେଳେ ପୁରୁଷ ମହାବଳ ମହାବୀରର ମଧ୍ୟ ଅପ୍ରାକୃତିକ ମୃତ୍ୟୁ ହୋଇସାରିଛି । ବଡ କଥା ହେଉଛି, ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ଏନକ୍ଲୋଜରରେ ବନ୍ଦୀ ଥିବା ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶକୁ ଫେରାଇନିଆଯିବ । ତୁରନ୍ତ ଏହି ବାଘୁଣୀକୁ କାହ୍ନା ଅଭୟାରଣ୍ୟର ଘୋରେଲା କେନ୍ଦ୍ରକୁ ନେବା ପାଇଁ ଗତକାଲି କଡା ଚିଠି ଲେଖି ଜଣାଇଛି ଏନଟିସିଏ । ଯାହାଦ୍ୱାରା ରାଜ୍ୟ ରାଜ୍ୟ ଭିତରେ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ଠପ ହୋଇଯାଇଛି ।

publive-image

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୁରୁଷ ମହାବଳ ବାଘ ମହାବୀର ସାତକୋଶିଆରେ ଛଡାଯିବାର ମାତ୍ର ୪ ମାସ ମଧ୍ୟରେ ଏହାର ମୃତ୍ୟୁ ହୋଇଥିଲା । କିନ୍ତୁ ବନବିଭାଗ ମହାବୀରର ମୃତ୍ୟୁର କାରଣ ଲୁଚାଇଥିବା ବେଳେ ଶିକାରୀ ଫାଶରେ ପଡି ଏହାର ମୃତ୍ୟୁ ହୋଇଥିବା ଦର୍ଶାଇଥିଲା ବିଶେଷଜ୍ଞଙ୍କ ରିପୋର୍ଟ । ତେବେ ମଧ୍ୟପ୍ରଦେଶରୁ ବାଘକୁ ଆଣି ରାଜ୍ୟ ଜଙ୍ଗଲରେ ଛାଡି ଯେତିକି ବାହାବା ଲୁଟିଥିଲେ ରାଜ୍ୟ ସରକାର, ତାର ଅସଲ ମୁଖାକୁ ଏବେ ଖୋଲିଦେଇଛି ଏନଟିସିଏ । ଯୋଜନା ଯେଉଁଭଳି ଭାବେ କରାଯାଇଥିଲେ, ବାସ୍ତବତାରେ ତାର ସଫଳ ରୁପାୟନ ହୋଇପାରିଲା ନାହିଁ ।