କନକ ବ୍ୟୁରୋ : ମିଲରଙ୍କ କାରସାଦି ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ କରିଛି ଜିଲ୍ଲା ପ୍ରଶାସନ । ପ୍ରକୃତରେ ମିଲରମାନେ କଣ କରୁଛନ୍ତି, ଚାଷୀଙ୍କ ଧାନ ନ ଉଠିବା ପଛରେ ମିଲରଙ୍କ କଣ ଭୂମିକା ରହିଛି ସେ ନେଇ ତଦନ୍ତ କରିବାକୁ ନିଷ୍ପତି ନେଇଛି ପ୍ରଶାସନ ।
ଓଡିଶାର ବିଭିନ୍ନ ମଣ୍ଡିରେ ଧାନ ପଡିଥିବାର ଦୃଶ୍ୟ ଆପଣ ଅନେକ ବାର ଦେଖିଥିବେ, ଏବଂ ଚାଷୀ ଅଭିଯୋଗ କରିଥିବେ ତାଙ୍କ ଧାନ କିଣୁନାହାନ୍ତି ଏବଂ କୁଆଡେ ଟାର୍ଗେଟ ପୂରା ହୋଇଯାଇଛି । ଏହାର କାରଣ ଓ ମିଲରଙ୍କ ଭୁମିକା ଖୋଜୁ ଖୋଜୁ ବଲାଙ୍ଗୀରର ଏକ ଘଟଣା ନଜରକୁ ଆସିଥିଲା ।
ବଲାଙ୍ଗୀରର ତୁସୁରା ଠାରେ ଥିବା ସନ୍ତୋଷ ରାଇସ୍ ମିଲର ଏହି ବିଦ୍ୟୁତ ବିଲ ସାମନାକୁ ଆସିଥିଲା, ଯେଉଁଥିରେ ଦେଖାଯାଇଥିଲା, ଅଧିକ ଧାନ ମିଲିଂ ହୋଇଛି ବୋଲି ରିପୋର୍ଟ ହୋଇଛି କିନ୍ତୁ ବିଦ୍ୟୁତ ବିଲ ଅନେକ କମ ଆସିଛି ।
ପୁରା ଘଟଣା ପଛରେ କଣ ହୋଇଥାଇପାରେ ଏହି ପ୍ରଶ୍ନ ସାମନାକୁ ଆସୁଛି । ଚାଷୀଙ୍କ ଠାରୁ ଧାନ ନ କିଣି ମିଲରମାନେ ଭିତିରିଆ ଭାବେ ଚାଉଳ କିଣି ସରକାର ଦେଇଥିବା ଟାର୍ଗେଟ ପୁରା କରୁଥିବା ସନ୍ଦେହ ହେଉଛି ।
କନକ ନ୍ୟୁଜରେ ପ୍ରସାରିତ ରିପୋର୍ଟକୁ ଗମ୍ଭୀରତାର ସହ ନେଇଛି ଜିଲ୍ଲା ପ୍ରଶାସନ । ପ୍ରକୃତରେ ମିଲରମାନେ କଣ କରୁଛନ୍ତି,ଚାଷୀଙ୍କ ଧାନ ନ ଉଠିବା ପଛରେ ମିଲରଙ୍କ କଣ ଭୂମିକା ରହିଛି ସେ ନେଇ ତଦନ୍ତ କରିବାକୁ ନିଷ୍ପତି ହୋଇଛି । ଯୋଗାଣ ଅଧିକାରୀ ବିକ୍ରମ ମାଝି । ଆମେ ଯେତେବେଳେ ମିଲରଙ୍କ କାରସାଦି ସମ୍ପର୍କରେ ତାଙ୍କୁ ପ୍ରଶ୍ନ କରିଥିଲୁ ସେ ଯେମିତି ଘଟଣାଟିକୁ ହାଲକା ଭାବରେ ନେଉଥିବା ମନେହେଉଥିଲା ।
ସନ୍ତୋଷ ରାଇସ ମିଲ ଘଟଣା ସାମନାକୁ ଆସିବା ପରେ ଏ ସବୁ ପ୍ରଶ୍ନର ଉତର ମିଳିବା ଆବଶ୍ୟକ ହୋଇପଡିଛି ।
୧)ସରକାରଙ୍କ ଟାର୍ଗେଟ ଅନୁସାରେ ମିଲରମାନେ ଧାନ କିଣୁଛନ୍ତି ତ ?
୨)ମିଲରଙ୍କ ଧାନ କିଣାକୁ ଠିକ ଭାବେ ତଦାରଖ କରାଯାଉଛି ତ ?
୩)ମିଲରମାନେ ଅଳ୍ପ ଧାନ କିଣି ଭିତିରିଆ ଚେନରୁ ଚାଉଳ ଆଣି ଟାର୍ଗେଟ ପୁରା କରୁନାହାନ୍ତି ତ ?