ଗଣମାଧ୍ୟମର ଖବରକୁ ଅପେକ୍ଷା କରିଥିଲା କି ମାଲକାନଗିରି ପ୍ରଶାସନ? ପାଇଖାନା ଦୁର୍ନୀତି ନେଇ ଖବର ପ୍ରସାରଣ ପରେ ଭାଙ୍ଗିଲା ଦିନ, ଆରମ୍ଭ ହେଲା କାମ

98
କନକ ବ୍ୟୁରୋ: ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ମାଲକାନଗିରିର ସ୍ୱାଭିମାନ ଅଂଚଳରେ ପାଇଖାନା ଦୁର୍ନୀତି ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବିଭିନ୍ନ ଗାଁରେ ପାଇଖାନାଗୁଡିକର ପୁନରୁଦ୍ଧାର କାମ ଆରମ୍ଭ କରିଛି ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନ । ତେବେ ପୁରା ସ୍ୱାଭିମାନ ଅଂଚଳର ଗାଁ ଗାଁରେ ଏବେ ପାଇଖାନା କାମକୁ ଶେଷ କରିବା ଲାଗି ଦାବି କରିଛନ୍ତି ସ୍ଥାନୀୟ ଅଂଚଳର ୯ଟି ପଂଚାୟତର ଲୋକେ । ଏହାସହ ଏହି ଦୁର୍ନୀତିରେ ସାମିଲ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ହୋଇଛି ଦାବି ।
ସ୍ୱାଭିମାନ ଅଂଚଳରେ ମହାଦୁର୍ନୀତି । ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ନେଇ ଖବର ପ୍ରସାରଣ ପରେ ଏ ହେଉଛି ବର୍ତମାନର ଚିତ୍ର । ଯେଉଁ ଦାରଲାବେଡା ଗାଁରେ ୬୩ ଟି ପାଇଖାନାକୁ କେବଳ କାଗଜ ପତ୍ରରେ ସାରି ପଇସା ହଡପ କରିଥିଲେ । ସେଠାରେ ଏବେ ବ୍ଲକ ପ୍ରଶାସନ ପକ୍ଷରୁ ତରବରିଆ ଭାବେ ନିର୍ମାଣ କାମ ଆରମ୍ଭ ହୋଇଛି । ଟ୍ୱିନ ପିଟ୍ ଠାରୁ ଆରମ୍ଭ କରି ପ୍ୟାନ ଆଉ ଟିଣ ଛପର, ସବୁ କିଛି ଏବେ ସଠିକ ଭାବେ ନିର୍ମାଣ ଲାଗି ଉଦ୍ୟମ ଆରମ୍ଭ କରିଦେଇଛନ୍ତି ସମ୍ପୃକ୍ତ ଠିକାଦାର ।
୨୦୧୯-୨୦ ଆର୍ଥୀକ ବର୍ଷ ରେ ସ୍ୱାଭିମାନ ଅଂଚଳର ୯ଟି ପଂଚାୟତରେ ମୋଟ ୪୪୯୪ଟିରୁ ୪୦୫୪ ଟି ପାଇଖାନା କାମ ସରି ଥିବା ନେଇ କାଗଜପତ୍ରରେ ଦର୍ଶାଯାଇ ଥିଲା । କିନ୍ତୁ କନକ ନ୍ୟୁଜ୍ର ଅନୁସନ୍ଧାନରୁ ଅଧିକାଂଶ କାମ ନସାରି କିମ୍ବା ଆଦୌ ନକରି ପଇସା ହରି ଲୁଟ ହୋଇ ଥିବା ଜଣାପଡିଥିଲା । ଆଦିବାସୀଙ୍କ ପାଇଁ ଆସିଥିବା ଏହି ଅର୍ଥକୁ ହରିଲୁଟ୍ ହୋଇଥିବା ସ୍ପଷ୍ଟ ହେବା ପରେ ବିଭିନ୍ନ ଗାଁରେ ଏହାର ପ୍ରତିବାଦ ସ୍ୱର ଉଠିଥିଲା ସମସ୍ତ ଗାଁରେ ପାଇଖାନା କାମ ସାରିବା ସହ ଦୁର୍ନିତୀଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଲାଗି ଦାବି ହୋଇଛି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଟିମ ଗଠନ କରାଯାଇ ଚିତ୍ରକୋଣ୍ଡା ବ୍ଲକରେ ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ସମସ୍ତ ନଥି ପତ୍ର ଯାଂଚ କରିବା ସହ ସେଗୁଡି ଜବତ କରାଯାଇ ଥିଲା । ତେବେ ରିପୋର୍ଟ କୁ ଆଧାର କରି ପରବର୍ତି ସମୟରେ ଗାଁରେ ତଦନ୍ତ ହେବା ଆଶଙ୍କାରେ  ତରବରିଆ ପାଇଖାନା ନିର୍ମାଣ ସାଙ୍ଗକୁ ଘଂଟଘୋଡାଇବାକୁ ଯୋରଦାର ଉଦ୍ୟମ ମଧ୍ୟ ଆରମ୍ଭ ହୋଇଛି ।