କନକ ବ୍ୟୁରୋ : ପାଠ ପଢ଼଼ିବା ବୟସରେ ବାପାଙ୍କ ପାଇଁ ପାଲଟିଛି ଶ୍ରବଣ କୁମାର । ଦିବ୍ୟାଙ୍ଗ ବାପାର ଆଶାବାଡ଼଼ି ସାଜିଛି ପ୍ରତିକ୍ଷା । ନା ଅଛି ଘର, ନା ଅଛି ରୋଜଗାର । ପରିବାର କହିଲେ ଦିବ୍ୟାଙ୍ଗ ବାପା ଓ ଝିଅ । ଗତ ୩ ବର୍ଷ ତଳେ ମାଆଙ୍କ ଦେହାନ୍ତ ପରେ ବାପାଙ୍କ ସେବା କରିବା ପାଇଁ ଅଷ୍ଟମ ଶ୍ରେଣୀରୁ ପାଠ ଛାଡ଼ିଦେଇଛନ୍ତି ଏହି ନାବାଳିକା ଝିଅ । ଭଙ୍ଗା ଦଦରା ଏହି ବିପଦ ସଙ୍କୁଳ ଘରେ ରହୁଛନ୍ତି ବାପା-ଝିଅ ।
ପ୍ରତିଦିନ ଶିବ ମନ୍ଦିର ସାମ୍ନାରେ ଭିକ ମାଗିବା ହେଲା ଜୀବିକା । ସେଥିରୁ ଯାହା କିଛି ମିଳେ ସେଇଥିରେ ଚଳେ ପରିବାର । ଘରର ରୋଷେଇ ସାଙ୍ଗକୁ ବାପାଙ୍କୁ ନେବା ଆଣିବା କରିବା ହେଉ ସବୁ କିଛି ପ୍ରତିକ୍ଷା ଉପରେ ନିର୍ଭର କରେ । ସରକାରୀ ଯୋଜନା କହିଲେ କେବଳ ଦିବ୍ୟାଙ୍ଗ ବାପାଙ୍କୁ ମିଳୁଛି ମାସିକ ୫୦୦ ଟଙ୍କାର ଭତା ଓ ୩୫ କେଜି ଚାଉଳ । ମୁଣ୍ଡ ଗୁଞିବାକୁ ଘର ଖଣ୍ଡିଏ ପାଇଁ ବାର ଦୁଆର ହେଲେଣି ତଥାପି ଘର ଖଣ୍ଡିଏ ମିଳୁନାହିଁ । ସାହି ପଡ଼ିଶାଙ୍କ ସହଯୋଗରେ କଟୁଛି ଜୀବନ ।
ବେଶ ସୁରୁଖୁରୁରେ କଟୁଥିଲା ପୁର୍ଣ୍ଣଚନ୍ଦ୍ରଙ୍କ ଜୀବନ । ପତ୍ନୀ କୁଲି କାମ କରି ପରିବାର ଚଳାଉଥିଲେ । ଯେହେତୁ ପିଲାଟି ଦିନରୁ ପର୍ଣ୍ଣଚନ୍ଦ୍ର ଦୁଷ୍ଟି ବାଧିତ । ଝିଅକୁ ପାଠ ପଢ଼ାଇ ଭଲ ମଣିଷ କରିବେ ବୋଲି ଆଶା ବାନ୍ଧିଥିଲେ । ହେଲେ ସବୁ ଆଶା ତାଙ୍କର ଆଶାରେ ରହିଯାଇଛି ।