କନକ ବ୍ୟୁରୋ : ଚନ୍ଦ୍ରଯାନରେ ସଫଳତା ପରେ ସୂର୍ଯ୍ୟ ସମ୍ପର୍କରେ ଅଧିକ ଅନୁଧ୍ୟାନ ପାଇଁ ଖୁବଶୀଘ୍ର ମହାକାଶକୁ ମହାକାଶଯାନ ପଠାଇବ ଇସ୍ରୋ । ଏହି ମହାକାଶ ଯାନର ନାଁ ରହିଛି ଆଦିତ୍ୟ ଏଲ-୧ । ଏହି ମହାକାଶ ଯାନର ନିର୍ମାଣ ଶେଷ ହୋଇଛି । ଶ୍ରୀହରିକୋଟାରେ ଏହାର ପରୀକ୍ଷା ନିରୀକ୍ଷା ଚାଲିଛି । ଇସ୍ରୋ ମୁଖ୍ୟଙ୍କ ସୂଚନା ଅନୁସାରେ, ଆଦିତ୍ୟ-ଏଲ-ୱାନକୁ ମହାକାଶକୁ ପଠାଇବା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଏହି ମହାକାଶ ଯାନ ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ରହି ସୂର୍ଯ୍ୟ ଉପରେ କରିବ ଗବେଷଣା । ସୂର୍ଯ୍ୟର ଅତି ବାଇଗଣି ରଶ୍ମିକୁ ନେଇ ତଥ୍ୟ ସଂଗ୍ରହ କରିବ ମହାକାଶ ଯାନ - ଆଦିତ୍ୟ ଏଲ୍-ୱାନ୍ ।

Advertisment

ଚନ୍ଦ୍ର ଯାନର ସଫଳତା ପରେ ଭାରତ ତାର ମହାକାଶ ବିଜ୍ଞାନ ଇତିହାସର ସବୁଠାରୁ ବଡ ମିଶନ ଗଗନାୟାନ ଆରମ୍ଭ କରିବାକୁ ଯାଉଛି । ମାସେରୁ ଦେଢ଼ ମାସ ମଧ୍ୟରେ ଇସ୍ରୋ ଏହି ମିଶନ ପରୀକ୍ଷାମୂଳକ ଭାବେ ଆରମ୍ଭ କରିବ । ୨୦୨୪ ଆରମ୍ଭରେ ଗଗନାୟାନ ଜରିଆରେ ମହାକାଶକୁ ବ୍ୟୋମୋମିତ୍ର ରୋବୋଟ ପଠାଯିବ । ଏହା ସଫଳ ହେଲେ ଗଗନାୟାନରେ ମହାକାଶକୁ ଯିବେ ମହାକାଶଚାରୀ । ଗଗନାୟାନ ପୃଥ୍ୱିବୀ ଚାରିପଟେ ୭ଦିନ ବୁଲିବ । ତାପରେ ପୁଣି ଫେରି ଆସିବ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଗଗନାୟନର ନିର୍ମାଣ ପଛରେ ରହିଛି ଓଡିଶାର ଅନେକ ଅବଦାନ । ଭୁବନେଶ୍ୱର ସ୍ଥିତ ସିଟିଟିସିରେ ପ୍ରସ୍ତୁତ ହୋଇଛି ଗଗନାୟନର ଅଧିକାଂଶ ଯନ୍ତ୍ରପାତି । ଗଗନାୟନର ଏକ ହଜାରରୁ ଅଧିକ ଯନ୍ତ୍ରାଂଶ ପ୍ରସ୍ତୁତ କରିଛିି ସିଟିଟିସି । ପୂର୍ବରୁ ଏହି ଯନ୍ତ୍ରପାତି ବିଦେଶରୁ ଅଣାଯାଉଥିବାବେଳେ ଏସବୁ ଭାରତର ପ୍ରତିଷ୍ଠିତ ଅନୁଷ୍ଠାନ ସିଟିଟିସିରେ ପ୍ରସ୍ତୁତ ହୋଇଛି ।

କେବଳ ଏତିକି ନୁହେଁ ଆଗାମି ଦିନରେ ମଂଗଳ ଅଭିଯାନ କରିବାକୁ ଇସ୍ରୋ ମଧ୍ୟ ଯୋଜନା କରୁଛି । ସେହିପରି ଚନ୍ଦ୍ରଯାନ-୪ ପାଇଁ ମଧ୍ୟ ଲକ୍ଷ୍ୟ ରଖିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ।