ପୋଡା ଟ୍ରାନ୍ସଫର୍ମରରେ ୪୪୦ ଭୋଲ୍ଟର କରେଣ୍ଟ ଦେଖିଲେ ବିଜେପି ମୁଖିଆ ।

50

କନକ ବ୍ୟୁରୋ : ସରିଯାଇଛି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ । ବାଜି ମାରିଛନ୍ତି ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ । ମାତ ଖାଇଛି କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ । କିନ୍ତୁ ଏହି ନିର୍ବାଚନକୁ ନେଇ ଶେଷ ୨୪ ଘଣ୍ଟା ପର୍ଯ୍ୟନ୍ତ ଯେଉଁ ଚର୍ଚ୍ଚା ଲାଗି ରହିଥିଲା ତାହା ଜାତୀୟ ତଥା ରାଜ୍ୟ ରାଜନୀତିକୁ ମଧ୍ୟ ବେଶ ସରଗରମ କରିଥିଲା । ଖାସକରି ପୂରା ଦେଶର ସମସ୍ତ ରାଜନୈତିକ ଦଳର ନଜର ବିଜେଡି ଉପରେ ଥିଲା । ବିଜେଡିର ନିଷ୍ପତି ଉପରେ ଯେମିତି ଲଟକିଥିଲା ସବୁକିଛି । କାରଣ ସମସ୍ତେ ବେଶ ଭଲ ଭାବେ ବୁଝିଥିଲେ ନବୀନ ଆଉ ଦଳୀୟ ସାଂସଦଙ୍କ ଭୋଟର ଗୁରୁତ୍ୱକୁ । ଆଉ ଏସବୁ ଭିତରେ ବାରମ୍ବାର ବାଜି ଉଠୁଥିଲା ନବୀନଙ୍କ ଫୋନ୍ । ପରେ ଜଣା ପଡିଲା ଦିଲ୍ଲୀ, ବିହାର ଓ ମହାରାଷ୍ଟ୍ରରୁ ବିଜେଡି ସୁପ୍ରିମୋ ନବୀନଙ୍କ ନିକଟକୁ ଆସିଥିଲା ଏହି ଫୋନ କଲ । ତେବେ କିଏ କରିଥିଲା ଏହି କଲ? ଏଭଳି ପ୍ରଶ୍ନ ସାଧାରଣରେ ମଧ୍ୟ ଉଙ୍କି ମାରିଥିଲା । କିନ୍ତୁ ପରେ ଏହି ପରଦା ଉପରୁ ରହସ୍ୟ ଉଠିଥିଲା । ନବୀନଙ୍କ ପାଖକୁ ଆସିଥିବା ଏହି କଲ ଏମିତି ସେମିତି କଲ ନଥିଲା । ସମର୍ଥନ ପାଇଁ ନବୀନଙ୍କ ଫୋନ ବାରମ୍ବାର ବାଜି ଉଠୁଥିଲା । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଆବଶ୍ୟକ ଥିଲା ନବୀନଙ୍କ ସମର୍ଥନ ।

amit saha criticized naveenରାଜ୍ୟସଭା ଉପାଧ୍ୟକ୍ଷ ପାଇଁ ଜେଡିୟୁ ସାଂସଦଙ୍କୁ ଏନଡିଏ ପ୍ରାର୍ଥୀ କରିବା ମାତ୍ରେ ନବୀନଙ୍କ ପାଖକୁ ଆସିଲା ଘନଘନ ଫୋନ । ଜେଡିୟୁ ମୁଖ୍ୟ ନୀତିଶ କୁମାର, ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ନବୀନଙ୍କ ସମର୍ଥନ ଲୋଡିଲେ । ଏପରିକି ଏନସିପି ଅଧ୍ୟକ୍ଷ ଶରଦ ପାୱର ମଧ୍ୟ ନବନୀଙ୍କୁ ଫୋନ କରି ୟୁପିଏ ସପକ୍ଷରେ ସମର୍ଥନ ମାଗିଥିଲେ । କିନ୍ତୁ ସମସ୍ତଙ୍କୁ ଝୁଲାଇ ରଖିଥିଲେ ନବୀନ । ତେବେ ଏହାର ପରଦିନ ପ୍ରଧାନମନ୍ତ୍ରୀ ମୋଦି ନବୀନଙ୍କୁ ଫୋନ କରି ସମର୍ଥନ ଲୋଡିବା ପରେ ବିଜେଡି ସୁପ୍ରିମୋ ନିଜର କାର୍ଡ ଖୋଲିଥିଲେ । ଆଉ ଏହାପରେ ରାତି ଅଧରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କଲା ବିଜେଡି । ସଂଖ୍ୟା ଖେଳରେ ପଛରେ ଥିବା ଏନଡିଏ ପାଇଁ ନବୀନଙ୍କ ଏହି ସମର୍ଥନ ଯେମିତି ଅମୃତ ସଦୃଶ ଥିଲା । ଆଉ ଏହି ନିଷ୍ପତି ସହ ରାତାରାତି ନବୀନ ପାଲଟିଗଲେ ଗେମଚେଞ୍ଜର ।

naveenଏସବୁ ଭିତରେ ଯେତେବେଳେ ଗୋଟିଏ ପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ମୁଖିଆ ଅମିତ ଶାହା ବାରମ୍ବାର ନବୀନ ସରକାରଙ୍କୁ ଟାର୍ଗେଟ କରିବାକୁ ଭୁଲୁନାହାନ୍ତି । ଏପରିକି ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୋଡା ଟ୍ରାନ୍ସଫର୍ମର,ଅପାରାଗ ସ୍ଥାଣୁ ସରକାର , ବଙ୍ଗୋପସାଗରକୁ ଉପାଡି ଫିଙ୍ଗିଦିଅ ବୋଲି ଅମିତ ଶାହା କହିବାକୁ ଭୁଲୁନାହାନ୍ତି । ଏପରିକି ମିଶନ ୧୨୦ ଲକ୍ଷ୍ୟ ନେଇ ବାରମ୍ବାର ବିଜେଡି-ବିଜେପି ମୁହାଁମୁହିଁ ହେଉଛନ୍ତି । ସେହିଭଳି ସ୍ଥଳେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ପୋଡା ଟ୍ରାନ୍ସଫର୍ମରରୁ ୪୪୦ ଭୋଲ୍ଟର କରେଣ୍ଟ ପାଇଛି ବିଜେପି । ଯେଉଁ ସରକାରକୁ ଉପାଡି ବଙ୍ଗୋପସାଗରକୁ ଫିଙ୍ଗିଦେବାକୁ ଗେରୁଆ ଦଳ ମୁଖିଆ ଆହ୍ୱାନ ଦେଉଥିଲେ ସେହି ସରକାରର ସମର୍ଥନ ପାଇଁ ରାତି ଅଧିଆ କଲ କରିବାକୁ ପଡୁଛି । ପ୍ରତି ପାଦରେ ଯେଉଁଠି ବିଜେଡି ସମର୍ଥନ ବିନା ବିଜେପି ଆଗକୁ ଯାଇ ପାରୁନାହିଁ ସେହିଭଳି ସ୍ଥଳେ ମିଶନ ୧୨୦ର ସ୍ୱପ୍ନ ସଫଳ ହୋଇପାରିବ କି ନାହିଁ ତାହା ଏବେ ବିଜେପି ପାଇଁ ସବୁଠୁ ବଡ ପ୍ରଶ୍ନବାଚୀ ।

୨୦୧୯ରେ ଯେତେବେଳେ ସବୁଠାରୁ ବଡ ରାଜନୈତିକ ଲଢେଇ ପାଇଁ ରାଜ୍ୟରେ ଉଭୟ ବିଜେପି ଆଉ ବିଜେଡି ପ୍ରସ୍ତୁତ ହେଉଛନ୍ତି, ଠିକ ସେତିକିବେଳେ ସଂପର୍କର ନୂଆ ପରିଭାଷାକୁ ନେଇ ମଧ୍ୟ ସମୀକ୍ଷା କରାଯାଉଛି । ନିର୍ବାଚନ ପରେ ଏକ ମେଂଟ ରାଜନୀତି ରାଜ୍ୟରେ ଦେଖିବାକୁ ମିଳିବ କି? ଦିଲ୍ଲୀରେ ମୋଦି, ନବୀନଙ୍କ ସମର୍ଥନ ଲୋଡିବେ କି? ମେଂଟ ରାଜନୀତିର ଯୁଗ ଭିତରେ ଏହି ଦିଗ ବା ରାସ୍ତାକୁ ସମସ୍ତେ ଖୋଲା ରଖିବାକୁ ଚାହୁଁଛନ୍ତି, ଯାହା ଉଭୟ ଦଳର କର୍ମୀଙ୍କୁ ମଧ୍ୟ ସଂଶୟରେ ରଖିବ ବୋଲି କୁହାଯାଉଛି ।