କନକ ବ୍ୟୁରୋ : ନିର୍ବାଚନରେ ଆକ୍ରମଣ ଓ ପ୍ରତିଆକ୍ରମଣ ଏକ ସାଧାରଣ କଥା । ହେଲେ ଯେତେବେଳେ ଜଣେ ପ୍ରଧାନମନ୍ତ୍ରୀ ଓ ଜଣେ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୟାନକୁ ନେଇ ଆକ୍ରମଣ ପ୍ରତିଆକ୍ରମଣ ଦେଖିବାକୁ ମିଳେ ତାହା ରାଜନୀତିରେ ହଇଚଇ ସୃଷ୍ଟି କରେ । ଏହି କ୍ରମରେ ଆଜି କନ୍ଧମାଳ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେଭଳି ବୟାନରେ ଆକ୍ରମଣ କରିଥିଲେ ତାହାର ଜବାବ ରଖିଛନ୍ତି ନବୀନ ପଟ୍ଟନାୟକ ।
ନବୀନ ପଟ୍ଟନାୟକ ଏକ ଭିଡିଓ ଜାରି କରି ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି । ସେ କହିଛନ୍ତି କି, ମୋର କଣ ମନେ ଅଛି କି ନାହିଁ ତାହା ଓଡିଶାବାସୀ ୨୪ ବର୍ଷ ଧରି ଜାଣିଛନ୍ତି । କିନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡିଶାକୁ କେତେ ମନେ ରଖିଛନ୍ତି ବୋଲି ନବୀନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଓଡିଆ ଭାଷା କ୍ଲାସିକାଲ ଭାଷା ହେବା ପରେ ବି ପ୍ରଧାନମନ୍ତ୍ରୀ ଓଡିଆ ଭାଷାକୁ ଭୁଲିଗଲେ, ଆପଣ ସଂସ୍କୃତ ଭାଷାର ବିକାଶ ପାଇଁ ଆପଣ ୧ ହଜାର କୋଟି ଟଙ୍କା ଦେଲେ, ହେଲେ ଓଡିଆ ଭାଷାର ବିକାଶ ପାଇଁ ଆପଣ ଗୋଟିଏ ବି ଟଙ୍କା ସହାୟତା ଦେଲେ ନାହିଁ । ଆପଣ ଓଡିଶୀ ମ୍ୟୁଜିକକୁ ଭୁଲିଗଲେ, ହେଲେ ମୁଁ ଓଡିଶୀ ମ୍ୟୁଜିକକୁ କ୍ଲାସିକାଲ ମାନ୍ୟତା ପାଇଁ ଦୁଇଥର ଆବେଦନ କରିଛି, ହେଲେ ଆପଣ ଦୁଇଥର ଅଗ୍ରାହ୍ୟ କଲେ ବୋଲି ନବୀନ ପଟ୍ଟନାୟକ କହିଛନ୍ତି । କେବଳ ସେତିକି ନୁହେଁ, ଭାରତ ରତ୍ନକୁ ନେଇ ମଧ୍ୟ ନବୀନ ପଟ୍ଟନାୟକ ମୋଦୀଙ୍କୁ କଟାକ୍ଷ କରିଛନ୍ତି । ନବୀନ କହିଛନ୍ତି କି, ଓଡିଶାରେ ଅନେକ ବୀରପୁତ୍ର ରହିଛନ୍ତି, ଆପଣ ସେମାନଙ୍କ ମଧ୍ୟରୁ ଆଜି ଅନେକଙ୍କ ନାମ କହିଛନ୍ତି, ହେଲେ ଆପଣ ଭାରତ ରତ୍ନ ଦେବାକୁ କାହାକୁ ମଧ୍ୟ ଯୋଗ୍ୟ ଭାବିଲେ ନାହିଁ । ଆପଣ ଭାରତ ରତ୍ନ ବାଣ୍ଟିବା ବେଳେ ଓଡିଶାର ବୀରପୁତ୍ର ବିଜୁ ପଟ୍ଟନାୟକଙ୍କୁ କେମିତି ଭୁଲିଗଲେ ବୋଲି ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି ନବୀନ ।
କେବଳ ସେତିକି ନୁହେଁ ଏମଏସପି ପ୍ରସଙ୍ଗରେ ମଧ୍ୟ ମୋଦୀଙ୍କୁ ନବୀନ ଘେରିଛନ୍ତି । ନବୀନ କହିଛନ୍ତି କି, ଆପଣ ଚାଷୀମାନଙ୍କ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗୁଣା କରିବାକୁ ପ୍ରତିଶ୍ରୁତି ଦେଇଥିଲେ, ହେଲେ କ୍ଷମତାକୁ ଆସିବା ପରେ ଆପଣ ଭୁଲିଗଲେ । ଆପଣ ଓଡିଶା ଲୋକଙ୍କ ପାଇଁ କୋଷ୍ଟାଲ ହାଇୱେ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, ହେଲେ ତାକୁ ବି ଭୁଲିଗଲେ । ସେହିଭଳି କୋଇଲା ରୟାଲ୍ଟି ନେଇ ମଧ୍ୟ ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି ନବୀନ । ସେ କହିଛନ୍ତି କି, ଓଡିଶାରୁ ନେଉଥିବା କୋଇଲା ଉପରେ ରୟାଲ୍ଟି ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ଆପଣ ୧୦ ବର୍ଷ ହେବ ତାକୁ ବି ଭୁଲିଗଲେ । ନବୀନ କହିଛନ୍ତି କି, କେବଳ ନିର୍ବାଚନ ସମୟରେ ଓଡିଶାକୁ ମନେ ପକାଇଲେ କିଛି ଲାଭ ମିଳିବ ନାହିଁ । ଅପାଣ ୨୦୧୪ ଓ ୨୦୧୯ ରେ ଦେଇଥିବା ପ୍ରତିଶ୍ରୁତି ମନେ ରଖିଛନ୍ତି କି ବୋଲି ମୋଦୀଙ୍କୁ ନବୀନ ପ୍ରଶ୍ନ କରିଛନ୍ତି । ଦରବୃଦ୍ଧି କମାଇବା, ବର୍ଷକୁ ୨ କୋଟି ରୋଜଗାର ଦେବା ଗ୍ୟାସ ଓ ତୈଳର ଦରବୃଦ୍ଧି କମାଇବା, ମୋବାଇଲ କନେକ୍ଟିଭିଟି ଦେବା, ଜିଏସଟି ଛାଡ କରିବା ଭଳି ପ୍ରତିଶ୍ରୁତି ଦେଇ ଭୁଲିଯିବାକୁ ଓଡିଶାବାସୀ ମନେ ରଖିଛନ୍ତି ବୋଲି ନବୀନ କହିଛନ୍ତି । ଜୁନ ୧୦ ତ ନୁହେଁ କି ଆଗାମୀ ୧୦ ବର୍ଷ ମଧ୍ୟରେ ମଧ୍ୟ ବିଜେପି ଓଡିଶାବାସୀଙ୍କ ହୃଦୟ ଜିତିପାରିବ ନାହିଁ ବୋଲି ନବୀନ ଦୃଢୋକ୍ତି ପ୍ରକାଶ କରିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଓଡିଶାବାସୀଙ୍କ ଭଲ ପାଇବା ନେଇ ବିଜୁ ଜନତା ଦଳ ଷଷ୍ଠଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବୋଲି ନବୀନ କହିଛନ୍ତି ।