କନକ ବ୍ୟୁରୋ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଚ୍ୟାଲେଞ୍ଜ ସତ୍ୱେ, ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନ୍ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ରାସ୍ତାରେ ପ୍ରଦୀପଙ୍କୁ ବିରୋଧ କରିବାକୁ ବିଜେଡି କର୍ମୀମାନେ ଜଗି ବସିଥିଲେ, ସେହି ବାଟ ଦେଇ ଯାଇଥିଲେ ପାଣ୍ଡିଆନ । କଡା ସୁରକ୍ଷା ବଳୟ ଭିତରେ କାରକେଡରେ ଯାଉଥିବା ପାଣ୍ଡିଆନଙ୍କୁ ବିଜେଡି କର୍ମୀମାନେ ସ୍ୱାଗତ କରିଥିଲେ    । ତାପରେ ସଭାକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ସଚିବ ।

Advertisment

ଗଞ୍ଜାମ ଗସ୍ତରେ ଯାଇଥିବାବେଳେ ଦେଖିବାକୁ ମିଳିଛି ଫାଇଭ-ଟି ସଚିବଙ୍କ କଡା ସୁରକ୍ଷାର ଚିତ୍ର । ପାଣ୍ଡିଆନ ଯେତେବେଳେ ଲୋକମାନଙ୍କ ପାଖକୁ ଯାଇ ହାତ ମିଳାଉଥିଲେ, ତାଙ୍କ ପାଖେ ପାଖେ ଜଗି ରହିଥିଲେ କିଛି ଗୋଲାପି ଟି-ସାର୍ଟ ପିନ୍ଧିଥିବା ସୁରକ୍ଷା କର୍ମୀ । ତେବେ ଏହି ଗୋଲାପି ପୋଷାକରେ ଥିବା ବ୍ୟକ୍ତିମାନେ ପୋଲିସ କି ଆଉ କିଏ ତାହା ସ୍ପଷ୍ଟ ହୋଇ ନାହିଁ । ଏଥିସହ ସଚିବଙ୍କ ସଭାକୁ ଯାଉଥିବା ଲୋକମାନଙ୍କୁ କଡା ଯାଂଚ କରାଯାଇଥିଲା । ଏପରିକି ସଭାସ୍ଥଳକୁ ଯାଉଥିବା କଲେଜ ଛାତ୍ରଛାତ୍ରୀଙ୍କ ବ୍ୟାଗ ଯାଂଚ କରାଯାଇ କଲମ କାଢ଼ି ନିଆଯାଉଥିବା ଦେଖିବାକୁ ମିଳିଛି ।

ଫାଇଭ-ଟି ସଚିବଙ୍କ ଗସ୍ତ ଭିତରେ ଘୋଷଣା ଅନୁସାରେ ବିରୋଧ କରିଛି ଗଞ୍ଜାମ ଜିଲ୍ଲା ବିଜେପି । କଳା ପୋଷାକ ପିନ୍ଧି ବିରୋଧ କରିଛନ୍ତି ବିଜେପି ନେତା ଓ କର୍ମୀ । ତେବେ ଉତେଜନା ବଢ଼ୁଥିବାବେଳେ ବିଜେପି ନେତାମାନଙ୍କୁ ଅଟକ ରଖିଛି ଗଞ୍ଜାମ ପୋଲିସ ।

ବିରୋଧୀଙ୍କ ବିରୋଧ ସତ୍ୱେ, ସଚିବଙ୍କ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଲାଗି ପଡିଛି ପ୍ରଶାସନ । ସଚିବଙ୍କ କାର୍ଯ୍ୟକ୍ରମରେ ଅଧିକ ଲୋକ କେମିତି ଯୋଗ ଦେବେ, ସେଥିପାଇଁ କଲେଜ ଛାତ୍ରଛାତ୍ରୀଙ୍କୁ ନୋଟିସ କରାଯାଇଥିବା ସାମନାକୁ ଆସିଛି । ଯେପରି ଶତ ପ୍ରତିଶତ ଛାତ୍ରଛାତ୍ରୀ କଲେଜରେ ଉପସ୍ଥିତ ରହିବେ ସେନେଇ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ କତୁପକ୍ଷ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ବିବେକ ବିହାରରେ ଫାଇଭ-ଟି ସଚିବଙ୍କ ‘ଯୁବ ସମାବେଶ’ ଛାତ୍ରଛାତ୍ରୀଙ୍କୁ ଯୋଗଦେବାକୁ କୁହାଯଇଥିଲା । ଛାତ୍ରଛାତ୍ରୀମାନେ ଖାଇବା ପରେ ସେମାନଙ୍କୁ ବସ୍ ଯୋଗେ ସଭା ସ୍ଥଳକୁ ନେବାକୁ ବ୍ୟବସ୍ଥା କରାଯାଇଥିବା ନୋଟିସରେ ଉଲେଖ ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଯିବା ଏବଂ ଆସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ନେଇ ମଧ୍ୟ ନୋଟିସରେ ସ୍ପଷ୍ଟ କରାଯାଇଛି ।